ପ୍ରେମ ବିବାହ କରିବାରୁ ଯୁବକଙ୍କୁ ନିଶା ନିବାରଣ କେନ୍ଦ୍ର ପଠାଇ ଦିଆଗଲା ଅକଥନୀୟ ଅତ୍ୟାଚାର

ଉଦଳା: ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ଅକଥନୀୟ ଅତ୍ୟାଚାର ଅଭିଯୋଗ । ନିଶାସେବନ କରୁ ନଥିବା ଜଣେ ଯୁବକଙ୍କୁ ପରିବାର ଚାପରେ ନିଶା ନିବାରଣ କେନ୍ଦ୍ରକୁ ଆଣିବା ସହିତ ସେଠାରେ ଦିଆଯାଇଛି ଅକଥନୀୟ ଅତ୍ୟାଚାର । ଏଭଳି ଅଭିଯୋଗ ଆସିଛି ଉଦଳାସ୍ଥିତ ଆଶା ନିଶା ନିବାରଣ କେନ୍ଦ୍ରରୁ। ରାଜବରହମପୁର ଥାନା ଟାଙ୍ଗଣା ଗାଁର ସୁମନ ରାଏ ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ । ମାତ୍ର ଏହି ବିବାହକୁ ଗ୍ରହଣ କରିପାରିନଥିଲେ ପରିବାର ଲୋକ।

ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ  ଆଶା ନିଶା ନିବାରଣ କେନ୍ଦ୍ରକୁ ପଠାଇଥିବା ଅଭିଯୋଗ କରିଛନ୍ତି ସୁମନ। ସୁମନଙ୍କୁ ବିଚ୍‌ ରାସ୍ତାରୁ ଏକ କାରରେ ଜୋର ଜବରଦସ୍ତ ମାଡ଼ମାରି ଉଠାଇନେଇଥିଲେ ନିଶା ନିବାରଣ କେନ୍ଦ୍ର କର୍ମଚାରୀ । ସେଠାରେ ତାଙ୍କୁ ଖାଇବାକୁ ନ ଦେଇ ହାତଗୋଡ ବାନ୍ଧି ଦେଇ ଏକ ଘର ଭିତରେ ଭର୍ତି କରି ଦେଇଥିଲେ । ଏପରିକି ସେ ବିବାହ କରିଥିବା ଯୁବତୀଙ୍କୁ ଛାଡିଲେ ଯାଇ ତାଙ୍କୁ ନିଶା ନିବାରଣ କେନ୍ଦ୍ରରୁ ମୁକ୍ତି କରାଯିବ ବୋଲି ଧମକ ଦେଇଥିଲେ ।

ନିର୍ଯ୍ୟାତନା ସହି ନପାରି ସୁମନ ଫିନାଇଲ ପିଇ ଆତ୍ମହତ୍ୟା ପାଇଁ ମଧ୍ୟ ଚେଷ୍ଟା କରିଥିଲେ।  ସୁମନଙ୍କ ସାଙ୍ଗ କିଛି ଦିନ ପରେ ତାଙ୍କୁ ନିଶା ନିବାରଣ କେନ୍ଦ୍ରରୁ ମୁକୁଳାଇବା ପରେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି ସୁମନ୍‌। ତେବେ ଏନେଇ ନିଶା ନିବାରଣ କେନ୍ଦ୍ରର ଅଧିକାରୀଙ୍କୁ ପଚାରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.