ଥମୁନି ଆଳୁ ସଙ୍କଟ : ୟୁପି ଆଳୁ ଦେଖିନାକ ଟେକୁଛନ୍ତି ଗ୍ରାହକ, ପୁଣି ଆସିବ ପଞ୍ଜାବରୁ

ଭୁବନେଶ୍ୱର : ଥମୁନି ଆଳୁ ସଙ୍କଟ । ଖସୁନି ଆଳୁ ଦର । ରାଜ୍ୟର ବିଭିନ୍ନ ବଜାରରେ ଏବେ ଆଳୁ କେଜି ଦର ପ୍ରାୟ ୪୦ ଟଙ୍କା ରହିଛି । ମାସେ ଧରି ଲାଗି ରହିଛି ଏଭଳି ସ୍ଥିତି। ପଶ୍ଚିମବଙ୍ଗରୁ ଆଳୁ ଯୋଗାଣ ବାଧାପ୍ରାପ୍ତ ହେବା ପରେ ଆଳୁ ଦର ଉପରମୁହାଁ । କଟକ ଛତ୍ରବଜାର, ଭୁବନେଶ୍ବର ଆଇଗଣିଆ ଆଳୁ ଗୋଦାମ, ବ୍ରହ୍ମପୁର, ବାଲେଶ୍ବର ସବୁଠି ସମାନ ସ୍ଥିତି ।

ଆଳୁ ପ୍ୟାକେଟ ୧୬ରୁ ୧୭ଶହ ଟଙ୍କାରେ ବିକ୍ରି ହେଉଛି। ପଶ୍ଚିମବଙ୍ଗରୁ ଆଳୁ ଯୋଗାଣ ସ୍ବାଭାବିକ ହୋଇନଥିବା ବେଳେ ଉତ୍ତର ପ୍ରଦେଶରୁ ଆସୁଛି ଆଳୁ। କିନ୍ତୁ ଏବେ ଦେଖିବାକୁ ମିଳୁଛି ଗ୍ରାହକ ୟୁପି ଆଳୁ ଦେଖିନାକ ଟେକୁଛନ୍ତି। ସ୍ବାଦ ଦୃଷ୍ଟିରୁ ୟୁପି ଆଳୁ ଓଡ଼ିଶା ଲୋକଙ୍କୁ ପସନ୍ଦ ଆସୁନି। ବିଭିନ୍ନ ସ୍ଥାନରେ ରିଅଲିଟି ଚେକ୍ ବେଳେ ଏକଥା ନଜରକୁ ଆସିଛି।

ଗ୍ରହକଙ୍କ କହିବା କଥା ୟୁପି ଆଳୁ ଅପେକ୍ଷା ବେଙ୍ଗଲ ଆଳୁ ଖାଇବାକୁ ଭଲ। ଅଧିକାଂଶ ବ୍ୟବସାୟୀଙ୍କ ମତ ଉତ୍ତର ପ୍ରଦେଶ ଆଳୁ ଗ୍ରାହକ କିଣିବାକୁ ପସନ୍ଦ କରୁନାହାନ୍ତି। ଏହା ଆକାରରେ ବଡ଼, ଚୋପା ଅତି ପତଳା । ୨ରୁ୩ ଦିନରେ ଏହା ପଚି ଯାଉଛି। ଅନେକ ସ୍ଥାନରେ ୟୁପି ଆଳୁ ଗ୍ରାହକ କିଣୁ ନଥିବାରୁ ବ୍ୟବସାୟୀ ବସ୍ତା ମଧ୍ୟ ଖୋଲୁନାହାନ୍ତି। ଫଳରେ କ୍ଷତି ସହିବାକୁ ପଡୁଛି।

ଅନ୍ୟପଟେ ଆଳୁର ଚଢା ଦରକୁ ନେଇ ଖାଉଟିଙ୍କ ମଧ୍ଯରେ ଅସନ୍ତୋଷ ଲାଗି ରହିଛି। ସେପଟେ ଯୋଗାଣ ସ୍ବାଭାବିକ ହେଲେ ଦର କମିବ ବୋଲି କହିଛନ୍ତି ବ୍ୟବସାୟୀ । ରାଜ୍ଯରେ ଆଳୁର ଚାହିଦା ପୂରଣ କରାଯିବ। ଏଥିପାଇଁ ଆବଶ୍ୟକ ପଡ଼ିଲେ ପଞ୍ଜାବରୁ ମଧ୍ୟ ଆଳୁ ଆସିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

 

You might also like