ନୀଳାଦ୍ରୀ ବିଜେରେ ବାଣ ଫୁଟାଇବା ମନା

ପୁରୀ : ଜନ୍ମବେଦୀରେ ଲୀଳା ଖେଳା ସରିଲା । ସାରା ବିଶ୍ୱକୁ ବଡ଼ଦାଣ୍ଡରେ ଦର୍ଶନ ଦେଲେ । ଭକ୍ତଙ୍କ ମନୋବାଂଛା ପୂରଣ କଲେ । ଏବେ ନୀଳ କନ୍ଦରକୁ ଫେରିବାର ବେଳା । ସେପଟେ ଅପେକ୍ଷାରେ ରତ୍ନସିଂହାସନ । ନବଦିନାତ୍ମକ ଯାତ୍ରା ଶେଷ କରି ଆଜି ପୁଣି ରତ୍ନସିଂହାସନରେ ବିରାଜିତ ହେବେ କାଳିଆ ସାଆନ୍ତେ । ଆଜି ହେଉଛି ମହାପ୍ରଭୁଙ୍କ ପତିତପାବନ ଯାତ୍ରାର ଶେଷ ଦିନ ଯାହାକୁ ନୀଳାଦ୍ରୀବିଜେ କୁହଯାଏ । ଗୋଟି ପହଣ୍ଡିରେ ରଥରୁ ଓହ୍ଲାଇ ସେବକଙ୍କ ଗହଣରେ ଶ୍ରୀମନ୍ଦିର ଯିବେ ଚତୁର୍ଦ୍ଧାବିଗ୍ରହ। ସେଥିପାଇଁ ସେବାୟତ ମାନଙ୍କ ସହ ସମନ୍ୱୟ ରକ୍ଷାକରି ନୀତିକାନ୍ତି ମଧ୍ୟ ଚୂଡାନ୍ତ ହୋଇଛି ।

ସକାଳୁ ରଥ ଉପରେ ମହାପ୍ରଭୁଙ୍କ ମଙ୍ଗଳଆଳତୀ, ମଇଲମ,ସକାଳଧୂପ, ମଧ୍ୟାହ୍ନ ଧୂପ,ସଂଧ୍ୟା ଆଳତୀ ଓ ସଂଧ୍ୟାଧୂପ ଶେଷହେବା ପରେ ଚାରମାଳ ବନ୍ଧାଯାଇ ଆରମ୍ଭ ହେବ ମହାପ୍ରଭୁଙ୍କ ଗୋଟି ପହଣ୍ଡି । ଏଥିପାଇଁ ଆଜି ଆତସବାଜି ହେବନି । ଏ ନେଇ ପରିଚାଳନା କମିଟିରେ ନିଷ୍ପତ୍ତି ହୋଇଛି । କେବଳ ଝୁରୁଝୁରି ବାଣ ପାଇଁ ଅନୁମତି ଦିଆଯାଇଛି । ଝୁରୁଝୁରି ଫୁଟିବା ସମୟରେ ବି ଉପସ୍ଥିତ ରହିବେ ଅଗ୍ନିଶମ ଅଧିକାରୀ ।
ଅତି ସତର୍କତାର ସହ ଝୁରୁଝୁରି ବାଣ ଫୁଟିବା ନେଇ କହିଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ । ଶ୍ରୀଗୁଣ୍ଡିଚା ସମୟରେ ବି ବାଣ ଫୁଟାଇବା ପାଇଁ ବାଣ ଆସିଥିଲା । ହେଲେ ଏହା ପ୍ରଶାସନ ଦୃଷ୍ଟିକୁ ଆସିବା ପରେ ଏହାକୁ ବନ୍ଦ କରାଯାଇଥିଲା  ।