ପଶ୍ଚିମବଙ୍ଗରେ ପରିଚୟ ଖୋଜୁଛି ଉତ୍କଳ ଭବନ, ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି ଓଡ଼ିଶାର ସୌଧ

(କେନ୍ୟୁଜ): ହତଶ୍ରୀ ହୋଇ ପଡ଼ିଛି କୋଲକାତା ଉତ୍କଳ ଭବନ। ଆମ ରାଜ୍ୟର ଗୌରବ ଓ ମର୍ଯ୍ୟାଦା ବହନ କରୁଥିବା ଏହି ଭବନକୁ ଦେଖିଲେ ଆପଣ ମର୍ମାହତ ହେବେ ନିଶ୍ଚୟ । କାରଣ ରକ୍ଷଣା ବେକ୍ଷଣ ଅଭାବରୁ ଏହାର ସମ୍ମୁଖ ଭାଗ ଅନେକ ଦିନରୁ ଭାଙ୍ଗିରୁଜି ଗଲାଣି । ବାରମ୍ବାର ଗଣମାଧ୍ୟମରେ ଏ ସମ୍ପର୍କିତ ଖବର ପ୍ରସାରିତ କରାଯାଇଥିଲେ ବି ସେଥିପ୍ରତି କର୍ତ୍ତୃପକ୍ଷଙ୍କ ନିଘା ନାହିଁ। ଏତେ ବର୍ଷର ସୌଧଟିର ନବୀକରଣ ଜରୁରୀ ହୋଇ ପଡ଼ିଛି ।

ବଡ଼ବଡ଼ ଅକ୍ଷରରେ ଲେଖା ହୋଇଛି ଉତ୍କଳ ଭବନ । ଆଉ ଏଇ ଭବନଟି ରହିଛି କୋଲକାତାର ତଳତାଲା ଲେନିନ୍‌ ସରଣୀ ଅଞ୍ଚଳରେ । ସେ ଜନ ପ୍ରତିନିଧି ହୁଅନ୍ତୁ ଅବା ବିଶିଷ୍ଟ ବ୍ୟକ୍ତି, କୋଲକାତା ଆସିଲେ ଏଇଠି ରହି ନିଜ କାର୍ଯ୍ୟ କରିଥାନ୍ତି । ତେଣୁ ଏଇ ଭବନଟି ପଶ୍ଚିମବଙ୍ଗରେ ଓଡ଼ିଶାର ପରିଚୟ ଭାବେ ଠିଆ ହୋଇଛି । ତେବେ ଆଶ୍ଚର୍ଯ୍ୟ ଲାଗେ ଆଉ ଦୁଃଖ ବି ଲାଗେ, ଏହାର ଅବସ୍ଥା ଦେଖି । ଦୁର୍ଦ୍ଧିନ ଅବସ୍ଥାରେ ବର୍ଷ ବର୍ଷ ଧରି ଠିଆ ହୋଇଛି ଉତ୍କଳ ଭବନ । ଠିକ୍‌ ଭାବେ ରକ୍ଷଣା ବେକ୍ଷଣ ଅଭାବରୁ ଏହାର ସମ୍ମୁଖ ଭାଗ ନଷ୍ଟ ହୋଇଗଲାଣି । ଓଡ଼ିଶାରୁ ଆସୁଥିବା ଅତିଥି, ଜନ ପ୍ରତିନିଧିମାନେ ଉତ୍କଳ ଭବନର ମରାମତି, ଆଧୁନୀକରଣ ଓ ଆବଶ୍ୟକତା ସମ୍ବନ୍ଧରେ ମତ ଦେଉଥିଲେ ସୁଦ୍ଧା କାର୍ଯ୍ୟ କ୍ଷେତ୍ରରେ ଧର୍ମକୁ ଆଖିଠାର ସଦୃଶ ହେଉଛି। ଉତ୍କଳ ଭବନର ଏହି ଭଗ୍ନ ଦଶା ତୁରନ୍ତ ଦୂର କରି ଏହାକୁ ଏକ ସୁଦୃଶ୍ୟ ରୂପ ଦେବାକୁ ଏଠାକାର ଓଡ଼ିଆ ସଂଗଠକମାନେ ଦାବି କରିଛନ୍ତି। ଭବନର ସମ୍ମୁଖ ଭାଗ ଭଗ୍ନ ଅବସ୍ଥାରେ ରହିଛି । ଉଭୟ ଭିତର ଓ ବାହାର ନବୀକରଣ କରାଯିବାର ଆବଶ୍ୟକତା ରହିଛି।

utkal bhaban 2

ସେହିପରି ଭବନର କ୍ୟାଣ୍ଟିନ ଏବଂ ଶୌଚାଳୟଠାରୁ ଆରମ୍ଭ କରି ଅତିଥି ରହିବା କୋଠରୀ ଗୁଡ଼ିକ ମଧ୍ୟ ଅତି ପୁରୁଣା ହୋଇ ଗଲାଣି । ହେଲେ ଏହାର ନବୀକରଣ ପାଇଁ କୌଣସି ପଦଦକ୍ଷେପ ନିଆଯାଉ ନାହିଁ । ବିଭିନ୍ନ ସମୟରେ ମନ୍ତ୍ରୀ, ବିଧାୟକ ଏବଂ ପ୍ରଶାସକଙ୍କ ଭଳି ପ୍ରମୁଖ ବ୍ୟକ୍ତି ଉତ୍କଳ ଭବନକୁ ଆସି ରହୁଛନ୍ତି। ତଥାପି କାହିଁକି ଏଇ ଅତିଥିଶାଳା ପ୍ରତି କାହାର ମୋହ ଥିବା ଭଳି ଜଣାପଡୁ ନାହିଁ । ଅଶ୍ଚର୍ଯ୍ୟର କଥା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଯୋଗୁଁ ଆଜି ଓଡ଼ିଶା ବିଶ୍ୱ ଦରବାରରେ ନିଜର ମର୍ଯ୍ୟାଦା ବଢ଼ାଇ ପାରିଛି । ସେ ଦିଲ୍ଲୀ ହେଉ କି ମୁମ୍ବାଇ, ସବୁଠି ଓଡ଼ିଶା ଭବନକୁ ଦେଖିଲେ ଆଖି ଲାଖି ଯାଉଛି । ତେବେ କୋଲକାତା ଉତ୍କଳ ଭବନ ପ୍ରତି ଏତେ ବୈମାତୃକ ଭାବ କାହିଁକି ବୋଲି ପ୍ରଶ୍ନ ଉଠିଛି ।

ଅନ୍ୟପଟେ ସେ ସାନିଟାଇଜିଂ ବ୍ୟବସ୍ଥା ହେଉ କି ନିରାପତ୍ତା, ସବୁ କ୍ଷେତ୍ରରେ ବ୍ୟବସ୍ଥା ସଠିକ୍‌ ନାହିଁ । ଭବନକୁ ଜଗିବା ପାଇଁ ଜଣେ ହେଲେ ନିରାପତ୍ତା ରକ୍ଷୀ ବି ନାହାନ୍ତି । (ଗ୍ରାଫିକ୍ସ ଇନ୍‌) ଉତ୍କଳ ଭବନରେ ମୋଟ ୨୮ଟି କୋଠରୀ ରହିଛି। ସେଥି ମଧ୍ୟରୁ ୧୯ଟି ସାଧାରଣ ରୁମ୍ ୬ଟି ସୁଇଟ୍ ରୁମ୍ ରହିଛି। ଦୁଇଟି ଡର୍ମିଟରୀରେ ୧୬ଟି ଶଯ୍ୟା ରହିଛି। ଏହା ସହିତ ଏକ ସଭା କକ୍ଷରେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ଦପ୍ତର ଏବଂ ସୂଚନା ଲୋକ ସମ୍ପର୍କ ବିଭାଗ ଅଫିସ ରହିଛି। ପାଞ୍ଚ ମହଲା ବିଶିଷ୍ଟ ଅଟ୍ଟାଳିକାରେ ଥିବା ସାଧାରଣ କୋଠରୀ ପ୍ରତି ୧ ହଜାର ଟଙ୍କା ଓ ସୁଇଟ୍ ରୁମ ପ୍ରତି ୨ ହଜାର ଟଙ୍କା ଭଡ଼ା ଦେବାକୁ ହୋଇଥାଏ। (ଗ୍ରାଫିକ୍ସ ଆଉଟ୍‌) । ତେବେ ଏଠାକୁ ଆସି ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଦାବି ହେଉଛି, ଉତ୍କଳ ଭବନର ତୁରନ୍ତ ଆଧୁନିକୀକରଣ କରାଯାଉ। ଏହା ସହିତ ଯୁଦ୍ଧ କାଳୀନ ଭିତ୍ତିରେ ସମ୍ମୁଖ ଭାଗ ମରାମତି ହେଉ। କାରଣ ଏହା ଓଡ଼ିଶା ସରକାର ଓ ପ୍ରବାସୀ ଓଡ଼ିଆଙ୍କର ସମ୍ମାନର ପ୍ରଶ୍ନ। ଏ ନେଇ ସ୍ଥାନୀୟ ଲୋକେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ସହ ଯୋଗାଯୋଗ କରିଥିଲୁ । ସେ କହିଛନ୍ତି କି କୋଲକାତା ସ୍ଥିତ ଉତ୍କଳ ଭବନର ନବୀକରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଅପେକ୍ଷା ସେହି ସମୟକୁ କେବେ ଏହି ଉତ୍କଳ ଭବନ ପାଇବା ତାର ପ୍ରକୃତ ପରିଚୟ ।

Leave A Reply

Your email address will not be published.