ମାସେ ପରେ ବାହାରିନରେ ପାଳନ ହେଲା ଉତ୍କଳ ଦିବସ, କରୋନା କଟକଣା ଯୋଗୁଁ ଫିକା ପଡିଥିଲା ଉତ୍ସବ

ବେଙ୍ଗାଳୁରୁ(କେନ୍ୟୁଜ୍):ବାହାରିନରେ କୋଭିଡ୍ କଟକଣା ଉଠିବା ପରେ ଓଡ଼ିଆ ମାନେ ପାଳନ କରିଛନ୍ତି ଉତ୍କଳ ଦିବସ । ବାହାରିନ ଓଡ଼ିଆ ସମାଜ ଆନୁକୂଲ୍ୟରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଏହି ଉତ୍ସବକୁ ବାହାରିନରେ ଥିବା ସମସ୍ତ ଓଡ଼ିଆ ପରିବାର ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଛନ୍ତି ।

ବିଦେଶରେ ବସବାସ କରୁଥିବା ଓଡ଼ିଆ ପରିବାର ଓ ନୂତନ ପିଢ଼ି ମଧ୍ୟରେ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା, ହସ୍ତଶିଳ୍ପକୁ ପରିଚିତ କରିବା ସହିତ ବିଦେଶରେ ପ୍ରଚାର ପ୍ରସାର କରିବା ଲକ୍ଷ୍ୟରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କାରାଯାଇଛି । ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ସଭାପତି ତଥା ବିଶ୍ବ ଓଡ଼ିଆ ସଦ୍ଭାବନା ରାଷ୍ଟ୍ରଦୂତ ଡ. ଅରୁଣ କୁମାର ପ୍ରହରାଜ ଏହା ପ୍ରକାଶ କରିଛନ୍ତି ।

ବାହାରିନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ମହାମାନ୍ୟ ଶ୍ରୀ ପୀୟୂଷ ଶ୍ରୀବସ୍ତାଵ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବାହାରିନ ଓଡ଼ିଆ ସମାଜର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଭାରତ ଓ ବାହାରିନ  ସାଂସ୍କୃତିକ ସଦ୍ଭାବନାରେ ଏଭଳି କାର୍ଯ୍ୟକ୍ରମ ବହୁ ଗୁରୁତ୍ୱ ବହନ କରେ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ତଥା ଓଡ଼ିଶା ଲଳିତ କଳା ଏକାଡେମୀ ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବିଦେଶ ମାଟିରେ ଏଭଳି ଓଡ଼ିଆ କଳା, ସଂସ୍କୃତି, ପରମ୍ପରାର କାର୍ଯ୍ୟକ୍ରମ ଦେଖି ଅଭିଭୂତ ହୋଇଥିଲେ ।

ଆଗାମୀ ସମୟରେ ବାହାରିନ ଓ ଓଡ଼ିଶା ମଧ୍ୟରେ ଲୋକ କଳା, ଲୋକ ସଂସ୍କୃତିର ବିନିମୟ କାର୍ଯ୍ୟକ୍ରମ ହେବା ଉପରେ ସେ ଗୁରୁତ୍ୱ ଦେଇଥିଲେ ।ଏଥିସହିତ ଜାପାନ୍, କୋରିଆ, ଇଣ୍ଡୋନେସିଆ, ମାଲେସିଆ, ନେପାଳ, ଶ୍ରୀଲଙ୍କା ଆଦି ସାତଟି ଦେଶର ରାଷ୍ଟ୍ରଦୂତମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଆ ସଂସ୍କୃତିର ଏଭଳି ଆକର୍ଷଣୀୟ ବିଭବ ଦେଖି ଆନନ୍ଦ ପ୍ରକାଶ କରିଥିଲେ।

ପ୍ରାରମ୍ଭରେ ଓଡ଼ିଶୀ ନୃତ୍ୟଗୁରୁ ଶ୍ରୀ ଗଜେନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ତାଙ୍କ ଛାତ୍ର ଛାତ୍ରୀମାନେ ଆକର୍ଷଣୀୟ ଓଡ଼ିଶୀ ନୃତ୍ୟର ଭିନ୍ନ ଭିନ୍ନ ଶୈଳୀ ପରିବେଷଣ କରି ଉପସ୍ଥିତ ଅତିଥି ମାନଙ୍କର ମନ ଜିଣିଥିଲେ। ଏହି ଅବସରରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ଵାରା ଆକର୍ଷଣୀୟ ବାଲୁକା କଳା ଆନିମେସନ ପ୍ରଦର୍ଶନୀ ହୋଇଥିଲା । ଏଥିରେ ଉଭୟ ଭାରତ ଓ ବାହାରିନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଯୁଗଳବନ୍ଦୀ ପ୍ରଦର୍ଶିତ ହୋଇଥିଲା ଯାହାକି ଅତିଥି ଓ ଦର୍ଶକ ମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା।

ଏଥିସହିତ ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ମାନଙ୍କ ଦ୍ୱାରା ସବାଇ ଘାସରେ ପ୍ରସ୍ତୁତ ହସ୍ତଶିଳ୍ପ, ପିପିଲି ଚାନ୍ଦୁଆ ତଥା ଅନ୍ୟାନ୍ୟ ବହୁ ହସ୍ତକଳା ପ୍ରଦର୍ଶନ ହୋଇଥିଲା। ଓଡ଼ିଶା ବୁଣାକାରମାନଙ୍କର ଦ୍ୱାରା ପ୍ରସ୍ତୁତ ବସ୍ତ୍ରର ପ୍ରଚାର, ପ୍ରସାର ନିମନ୍ତେ ଏକ ଫ୍ୟାଶନ ‘ସୋ’ର ମଧ୍ୟ ଆୟୋଜନ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.