ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସ: ଝଙ୍କୃତ ହେଲା “ବନ୍ଦେ ଉତ୍କଳ ଜନନୀ”
ଖାଲି ଓଡ଼ିଶାରେ ପାଳନ ହୋଇନି ଉତ୍କଳ ଦିବସ । ଦରିଆ ପାରିରେ ରହୁଥିବା ଓଡ଼ିଆ ମାନେ ମଧ୍ୟ ଏହି ଦିବସକୁ ଖୁବ ଆନନ୍ଦର ସହ ପାଳନ କରିଛନ୍ତି।

(କେନ୍ୟୁଜ): ଆଜି ଏପ୍ରିଲ ପହିଲା ଉତ୍କଳ ଦିବସ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ବର୍ଷ ପୂର୍ତ୍ତିକୁ ଆନନ୍ଦ ଉଲ୍ଲାସର ସହ ପାଳନ କରୁଛନ୍ତି ରାଜ୍ୟବାସୀ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବରେଣ୍ୟଙ୍କୁ ଆଜି ମନେ ପକାଉଛି ସାରା ରାଜ୍ୟ । ରାଜ୍ୟର ସମସ୍ତ ସ୍ଥାନରେ ଉତ୍କଳ ଦିବସ ପାଳନ ଲାଗି ବ୍ୟାପକ ଆୟୋଜନ ହୋଇଛି । ବରେଣ୍ୟ ବରପୁତ୍ରଙ୍କୁ ଉତ୍କଳ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି । ସେହିପରି ରାଜ୍ୟ ସରକାରର ତଥା ବିଭିନ୍ନ ଘରୋଇ ସଂସ୍ଥା ଏବଂ ସଂଗଠନ ପକ୍ଷରୁ ମଧ୍ୟ ଉତ୍କଳ ଦିବସ ପାଳନ କରାଯାଉଛି । ଖାଲି ଓଡ଼ିଶାରେ ପାଳନ ହୋଇନି ଉତ୍କଳ ଦିବସ । ଦରିଆ ପାରିରେ ରହୁଥିବା ଓଡ଼ିଆ ମାନେ ମଧ୍ୟ ଏହି ଦିବସକୁ ଖୁବ ଆନନ୍ଦର ସହ ପାଳନ କରିଛନ୍ତି।
ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ସାଉଦିଆରବରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ଅନୁଷ୍ଠାନ କଳିଙ୍ଗାନ ଉତ୍କଳ ଦିବସକୁ ଖୁବ ଧୂମଧାମରେ ପାଳନ କରିଛନ୍ତି। ମୁଖ୍ୟ ସଂଯୋଜକ ରଞ୍ଜନ ରଥ ଏହି କାର୍ଯ୍ୟକ୍ରମକୁ ପରିଚାଳିତ କରିଥିଲେ। ଏବଂ ବିଦେଶରେ ରହୁଥିବା ଛୋଟ ଛୋଟ ପିଲାଙ୍କ ମଧ୍ୟରେ ନିଜର ମାତୃଭାଷା ଓ ମାତୃଭୂମି ପାଇଁ କିପରି ସଚେତନତା ସୃଷ୍ଟି କରାଯାଇ ପାରିବ ସେଥିପ୍ରତି ସମସ୍ତ କଳିଙ୍ଗାନ ମାନଙ୍କୁ ସଚେତନ ହେବାକୁ ଅନୁରୋଧ କରିଥିଲେ। ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି କାର୍ଯ୍ୟକ୍ରମ “ବନ୍ଦେ ଉତ୍କଳ ଜନନୀ” ଗାନ ସହ ଆରମ୍ଭ ହୋଇଥିଲା। ଏବଂ କଳିଙ୍ଗାନର ସଦସ୍ୟ ମାନଙ୍କ ଦ୍ୱାରା ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯାଇଥିଲା। ଏଥିରୁ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ ବିଦେଶରେ ରହି ମଧ୍ୟ ସଦସ୍ୟ ମାନଙ୍କର ଓଡିଶା ପ୍ରତି ରହିଥିବା ପ୍ରେମ ଓ ଭାବନାକୁ।