ଯୁବ ଉଦ୍ୟୋଗୀଙ୍କ ପ୍ରୟୋଗଶାଳା ସାଜିବ ଉତ୍କଳ ବିଶ୍ବବିଦ୍ୟାଳୟ, ଉଭୟ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀ ପାଇବେ ସୁବିଧା
ଭୁବନେଶ୍ୱର : ଛାତ୍ର ଅବସ୍ଥାରୁ ହିଁ ଉଦ୍ୟୋଗୀ ବନିବେ। ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିବେ। ଦକ୍ଷ, କର୍ମଠ ଓ କୁଶଳୀ ଉଦ୍ୟୋଗୀ ସୃଷ୍ଟି ପାଇଁ ନୂତନ ଶିକ୍ଷାନୀତି-୨୦୨୪ ଯେଉଁ ସମ୍ଭାବନା ସୃଷ୍ଟି କରିଛି, ସେ କ୍ଷେତ୍ରରେ ଆଉ ପାଦେ ଆଗେଇଛି ଉତ୍କଳ ବିଶ୍ବବିଦ୍ୟାଳୟ। ବୋଷ୍ଟନ୍ ସ୍ଥିତ ଉତ୍ତର ପୂର୍ବାଞ୍ଚଳ ବିଶ୍ବବିଦ୍ୟାଳୟ ସହିତ ଉତ୍କଳ ବିଶ୍ବବିଦ୍ୟାଳୟ ଏ ନେଇ ବୁଝାମଣା ପତ୍ର ସ୍ବାକ୍ଷରିତ କରିଛି । ଯାହା ଛାତ୍ରଦ୍ୟୋଗୀ ସୃଷ୍ଟି ହେବା ନିମନ୍ତେ ପ୍ରୋତ୍ସାହିତ କରିବ ବୋଲି ବିଶ୍ବିବଦ୍ୟାଳୟ ଭି.ସି ପ୍ରଫେରସର ସବିତା ଆଚାର୍ଯ୍ୟ ସୂଚନା ଦେଇଛନ୍ତି।
ଏହି ନୂତନ କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ବବିଦ୍ୟାଳୟରେ ୩୦୦୦ ଛାତ୍ରଛାତ୍ରୀଙ୍କୁ ସାମିଲ୍ କରାଯିବ । ଏହା ଉଭୟ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ଏହାର ସୁବିଧା ପାଇପାରିବେ । ଏପରିକି ଉତ୍କଳ ବିଶ୍ବବିଦ୍ୟାଳୟ ଅନୁବନ୍ଧିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନେ ମଧ୍ୟ ଏହାର ଲାଭ ଉଠାଇ ପାରିବେ । ପ୍ରତି ଶିକ୍ଷାବର୍ଷରେ ବିଶ୍ବବିଦ୍ୟାଳୟ ପକ୍ଷରୁ ୧୦ ଜଣ ଛାତ୍ରଛାତ୍ରୀଙ୍କୁ ଅଧିକ ଜ୍ଞାରନ ଆହରଣ ପାଇଁ ଶୈକ୍ଷିକ ଗସ୍ତ (ଷ୍ଟଡି ଟୁର) ରେ ପଠାଯିବାକୁ ବ୍ୟବସ୍ଥା ରହିଛି । ଏହାଦ୍ବାରା ସେମାନେ ବିଭିନ୍ନ ନୂତନ ଜ୍ଞାନକୌଶଳ ଓ ଅଭିଜ୍ଞତା ହାସଲ କରିପାରିବେ ।
ଏ ସମ୍ପର୍କରେ ସୂଚନା ଦେଇ ପ୍ରଫେସର ଆଚାର୍ଯ୍ୟ କହିଛନ୍ତି, ନୂତନ ଶିକ୍ଷାନୀତି ଆଧାରରେ ବ୍ୟାବସାୟିକ ଶିକ୍ଷାକୁ ଗୁରୁତ୍ବ ଦିଆଯାଉଛି । ଏହାଦ୍ବାରା ଛାତ୍ରାବସ୍ଥାରୁ ପିଲାମାନେ ଦକ୍ଷତା ହାସଲ କରିପାରିବେ । ଏହା ସେମାନଙ୍କୁ ଭବିଷ୍ୟରେ ଉଦ୍ୟୋଗୀ ହେବାରେ ସହାୟକ ହେବ । ତେଣୁ ବିଶ୍ବବିଦ୍ୟାଳୟ ଏ ଦିଗରେ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଉତ୍ସ ଭାବେ କାର୍ଯ୍ୟ କରିବାକୁ ଯାଉଥିବା ସେ କହିଛନ୍ତି ।
ବିଶ୍ବବିଦ୍ୟାଳୟର ପୂର୍ବତନ ଭି.ସିଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମର ମୂଳଦୁଆ ପଡ଼ିଥିଲା । ଉଭୟ ପୁରୁଣା ଓ ନୂଆ କ୍ୟାମ୍ପସ୍, ଚଣ୍ଡିଖୋଲ ପରିସରରେ ଷ୍ଟାର୍ଟଅପ୍ ପାର୍କ ପ୍ରତିଷ୍ଠା ସହ ଛାତ୍ର ଓ ଅଧ୍ୟାପକ ବିନିମୟ ଚାଲିବ । ଚଣ୍ଡିଖୋଲ କ୍ୟାମ୍ପସରୁ ପ୍ରୋଜେକ୍ଟ କାର୍ଯ୍ୟକାରୀ କରାଯିବାକୁ ଯୋଜନା କରାଯାଇଛି। ପୂର୍ବତନ ଭିସିଙ୍କ କହିବା ମୁତାବକ, ଏ ସମ୍ବନ୍ଧୀୟ ସମସ୍ତ ଉନ୍ନୟମୂଳକ କାର୍ଯ୍ୟ ନୂଆ କ୍ୟାମ୍ପସରେ କରାଯିବ। କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ଉଚ୍ଚତର ଅଭିଯାନ (ରୁଷା) ୨.୦ ପାଣ୍ଠିରୁ ଏଥିନିମନ୍ତେ ଖର୍ଚ୍ଚ କରାଯିବ।
ସୂଚନାଯୋଗ୍ୟ, ଓଡ଼ିଶାର ଏକମାତ୍ର ବିଶ୍ବବିଦ୍ୟାଳୟ ଭାବେ କେବଳ ଉତ୍କଳ ବିଶ୍ବବିଦ୍ୟାଳୟକୁ ଏଥିପାଇଁ ମନୋନୀତ କରାଯାଇଛି । ଏଥିସହିତ ଓସମାନିଆ ବିଶ୍ବବିଦ୍ୟାଳୟ, ଗୁରୁ ନାନକ ଦେବ ବିଶ୍ବବିଦ୍ୟାଳୟ, ସାବିତ୍ରୀବାଇ ଫୁଲେ ବିଶ୍ବବିଦ୍ୟାଳୟ, କୁରୁକ୍ଷେତ୍ର ବିଶ୍ବବିଦ୍ୟାଳୟ, ଆଲଗପ୍ପା ବିଶ୍ବବିଦ୍ୟାଳୟ,, ଯାଦବପୁର ବିଶ୍ବବିଦ୍ୟାଳୟ, ଶ୍ରୀ ଭେଙ୍କେଟେଶ୍ବର ବିଶ୍ବବିଦ୍ୟାଳୟ, ଆନ୍ଧ୍ର ବିଶ୍ବବିଦ୍ୟାଳୟ ଓ ଜାମ୍ମୁ ବିଶ୍ବବିଦ୍ୟାଳୟ ଭଳି ଦେଶର ଅନ୍ୟ ୯ଟି ବିଶ୍ବବିଦ୍ୟାଳୟକୁ ମଧ୍ୟ ଏଥିରେ ସାମିଲ୍ କରାଯାଇଛି ।