‘ଅଭିମାନ’ରୁ ଅଭିନୟ କରି’ ବିଦ୍ୟାରାଣ’ ପକାଇ ବାହୁଡ଼ିଗଲେ ଉତ୍ତମ, ସେ ଥିଲେ ଓଲିଉଡ଼ର ‘ସରପଞ୍ଚ ବାବୁ’

ଚିରନିଦ୍ରାରେ ଉତ୍ତମ ମହାନ୍ତି ।  ଜୀବନ ରଙ୍ଗମଞ୍ଚରେ ଅଭିନୟ ସାରି ବାହୁଡ଼ିଗଲେ ଉତ୍ତମ । ଲିଭିଗଲା ଓଡ଼ିଆ ଚଳଚ୍ଚିତ୍ର ଜଗତର ଉଜ୍ଜ୍ବଳ ତାରକା । ଉତ୍ତମ ମହାନ୍ତି ଥିଲେ ଜଣେ ଓଡ଼ିଆ ସିନେ ଜଗତର ଧ୍ରୁବ ତାରା ସଦୃଶ ।  ଅନେକ ସୁପରହିଟ୍‌ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି ଦର୍ଶକଙ୍କୁ ମନୋରଞ୍ଜନ କରୁଥିବା ଏହି ମହାନ୍‌ ନାୟକଙ୍କ ଜୀବନ ଦୀପ ଆଜି ଲିଭିଯାଇଛି ।  ‘ଅଭିମାନ’ ଚଳଚ୍ଚିତ୍ର ଜରିଆରେ ଫିଲ୍ମ ଜଗତକୁ ଆସିଥିଲେ, ‘ବିଦ୍ୟାରାଣ’ ପକାଇ ଚାଲିଗଲେ ।  ସେ ଥିଲେ ଓଲିଉଡ଼ର ‘ଦଣ୍ଡାବାଳୁଙ୍ଗା’, ‘ସରପଞ୍ଚ ବାବୁ’ । ତାଙ୍କ ନାମ ଖାଲି ଉତ୍ତମ ମହାନ୍ତି ନଥିଲା, ତାଙ୍କ ବ୍ୟକ୍ତିତ୍ବ ମଧ୍ୟ ଉତ୍ତମ ଥିଲା ଓ ତାଙ୍କ ଅଭିନିତ ଫିଲ୍ମ ସର୍ବୋତ୍ତମ ଥିଲା ।  ୭୦ ଦଶକରୁ ଦର୍ଶକଙ୍କ ମନରେ ରାଜ୍ କରିଆସୁଥିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଭେଟେରାନ ଅଭିନେତା ଉତ୍ତମ ମହାନ୍ତି । ସେ ସମୟରେ ସେ ଥିଲେ ରୋମାଣ୍ଟିକ ହିରୋ ।

୨୩ ଡିସେମ୍ୱର ୧୯୫୮ ରେ ମୟୂରଭଞ୍ଜର ବାରିପଦାରେ ଜନ୍ମଗ୍ରହଣ କରିଥିଲେ ଉତ୍ତମ ମହାନ୍ତି । ‘ଅଭିମାନ’ ଚଳଚ୍ଚିତ୍ରରୁ ଆରମ୍ଭ ହୁଏ ତାଙ୍କ ଫିଲ୍ମ କ୍ୟାରିୟର ।  ଦୀର୍ଘ ୪୮ ବର୍ଷ ଧରି ସେ ସିନେ ଇଣ୍ଡଷ୍ଟ୍ରିରେ ରାଜ କରିଥିଲେ ।  ୭୦ ଦଶକରେ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଭେଟି ଦେଇ ଦର୍ଶକଙ୍କ ପ୍ରିୟ ହିରୋ ପାଲଟିଥିଲେ । ଉତ୍ତମ ମହାନ୍ତିଙ୍କ ନୂଆ ଫିଲ୍ମ ଆସିବା ଶୁଣିଲେ ହାଉସ୍‌ ଫୁଲ । ଏମିତି କେଉଁ ଓଡ଼ିଆ ନଥିବେ, ଯିଏ ଉତ୍ତମ ମହାନ୍ତିଙ୍କ ଅଭିନୀତ ସିନେମା ପ୍ରେମରେ ପଡ଼ି ନଥିବେ। ତାଙ୍କର ଚେହେରା, ଅଭିନୟ, ନୃତ୍ୟ, ଆକ୍ସନ୍ ସବୁଥିରେ ନିଆରାପଣ ବାରି ହୋଇପଡ଼ୁଥିଲା ।  ଓଡ଼ିଶାର ଘରେ ଘରେ ଅତ୍ୟନ୍ତ ଲୋକପ୍ରିୟ ହୋଇଯାଇଥିଲେ ଉତ୍ତମ ।  ଓଲିଉଡ୍‌ରେ ସୁପରଷ୍ଟାର୍ ବୋଲି ଯଦି କାହାରିକୁ ପ୍ରଥମ ଥର ଆଖ୍ୟା ଦିଆଯାଇଥିଲା, ତେବେ ସେ ନିଃସନ୍ଦେହରେ ଥିଲେ ଉତ୍ତମ ।  ୧୩୫ରୁ ଅଧିକ ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ ।

୧୩୫ଟି ଓଡ଼ିଆ ଫିଲ୍ମ

ମୋଟ ୧୩୫ଟି ଓଡ଼ିଆ ଫିଲ୍ମ, 30ଟି ବଙ୍ଗଳା ଏବଂ ଗୋଟିଏ ହିନ୍ଦୀ ସିନେମା ‘ନୟା ଜେହେର’ ରେ କାମ କରିଛନ୍ତି ଉତ୍ତମ । ୧୯୭୭ ମସିହାରେ ‘ଅଭିମାନ’ ଫିଲ୍ମ ସହ ଓଲିଉଡ଼ରେ ଡେବ୍ୟୁ କରିଥିଲେ । ଏହା ପରେ ସେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଚାଲିଲେ ।  ୨୯୭୭ ରୁ ୨୦୨୫ ଯାଏଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ରହିଥିଲେ ।  ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ’ (୧୯୭୮), ‘ସରପଞ୍ଚ ବାବୁ’, ‘ଜ୍ୱାଇ ପୁଅ’ (୧୯୮୨), ‘ଝିଅଟି ସୀତା ପରି'(୧୯୮୩), ‘ଜନନୀ’ (୧୯୮୪), ‘ଚକା ଭଉଁରୀ'(୧୯୮୫), ‘ଜଗା ହାତରେ ପଘା’, ‘ମମତା ମାଗେ ମୂଲ’, ‘ସମୟ ବଡ଼ ବଳବାନ’, ‘ଶଙ୍ଖା ସିନ୍ଦୂର’, ‘ଚକା ଆଖି ସବୁ ଦେଖୁଛି’, ‘ଜୋର ଜାର ମୂଲକ ତାର’, ‘ଏଇ ଆମ ସଂସାର’, ‘ପାପ ପୂଣ୍ୟ’, ‘ଶାସ୍ତି’, ‘ନୂଆ ଭାଉଜ’, ‘ତୋ ବିନୁ ଅନ୍ୟଗତି ନାହିଁ’, ‘ଫୁଲ ଚନ୍ଦନ’, ‘ଝିଅଟି ସୀତା ପରି’, ‘ଦଣ୍ଡା ବାଳୁଙ୍ଗା’ ଭଳି ଅନେକ ହିଟ୍ ଫିଲ୍ମ ଦେଇ ଲୋକଙ୍କ ମନ ଜିତିଛନ୍ତି ।  ୨୦୨୨ରିଲିଜ ହୋଇଥିବା ‘ବିଦ୍ୟାରାଣ’ରେ ତାଙ୍କୁ ଶେଷ ଥର ଦେଖିବାକୁ ମିଳିଥିଲା ।

ଏତଦ୍ ବ୍ୟତୀତ ସେ କିଛି ଓଡ଼ିଆ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି, ଯେଉଁଥିରେ କଥା କହୁଥିଲେ ସରିବନି, ପଣତକାନୀ, ସାରାଆକାଶ ଓ ଉତ୍ତରଦାୟୀ ସାମିଲ ରହିଛି । ଉତ୍ତମ ମହାନ୍ତିଙ୍କୁ ୧୯୯୯ରେ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଦତ୍ତ ଜୟଦେବ ପୁରସ୍କାର ପ୍ରଦାନ କରାଯାଇଥିଲା । ସେ ଅନେକ ଥର ଶ୍ରେଷ୍ଠ ଅଭିନେତା ଓ ସହ ଅଭିନେତା ଭାବେ ମଧ୍ୟ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ । ବ୍ୟକ୍ତିଗତ ଜୀବନରେ ଉତ୍ତମ ଅତ୍ୟନ୍ତ ଭଦ୍ର, ଅମାୟିକ ଥିଲେ ।

ବଳିଷ୍ଠ ଅଭିନୟ ପାଇଁ ସମ୍ମାନ :

ଉତ୍ତମ ମହାନ୍ତି ନିଜ କ୍ୟାରିଅରରେ ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ପୁରସ୍କାର, ଜୟଦେବଲ ପୁରସ୍କାର (୧୯୯୯), ଶ୍ରେଷ୍ଠ ଅଭିନେତା ଭାବେ ୩ଟି ଓ ସହ ଅଭିନେତା ଭାବରେ ଗୋଟିଏ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ।  ସେ ୧୯୯୧ ରେ ରିଲିଜ ଫିଲ୍ମ (ତୋ ବିନୁ ଅନ୍ୟଗତି ନାହିଁ) ପାଇଁ ସହ- ଅଭିନେତା ଭାବରେ ଗୋଟିଏ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ।  ୧୯୮୨-୮୩-୮୪ ରେ ରିଲିଜ ଫିଲ୍ମ (‘ଫୁଲ ଚନ୍ଦନ’, ‘ଝିଅଟି ସୀତା ପରି’, ‘ଦଣ୍ଡା ବାଳୁଙ୍ଗା’) ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ୩ଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ।  ୨୦୦୬ ରେ ଇନ୍ଦିରାଗାନ୍ଧୀ ପ୍ରିୟଦର୍ଶିନୀ ପୁରସ୍କାର ଓ ୨୦୦୮ରେ ଶ୍ରେଷ୍ଠ ଅଭିନେତା ପାଇଁ ଫିଟଫାଟ ବାଇସ୍କୋପ ପୁରସ୍କାର ପାଇଛନ୍ତି ।

ସେହିପରି ହିରୋଇନ ଯିଏବି ହେଉ ତାଙ୍କ ସହ ପୁରା ଫିଟ୍‌ ହେଇଯାଉଥିଲେ ଉତ୍ତମ ମହାନ୍ତି । କିନ୍ତୁ ଅପରାଜିତାଙ୍କ ସହ ତାଙ୍କର ଯୋଡିକୁ ଦର୍ଶକ ଅଧିକ ପସନ୍ଦ କରୁଥିଲେ । ଧିରେ ଧିରେ ଅପରାଜିତାଙ୍କ ପ୍ରେମରେ ପଡିଯାଇଥିଲେ ଉତ୍ତମ । ତାଙ୍କୁ ବିବାହ ପାଇଁ ରାଜି କରାଇବାକୁ ତାଙ୍କୁ ୫ ବର୍ଷ ଲାଗିଯାଇଥିଲା । ୧୯୮୭ ମସିହାରେ ଅପରାଜିତା ମହାନ୍ତିଙ୍କୁ ବିବାହ କରିଥିଲେ । ଉଭୟ ଫିଲ୍ମ ଜଗତର ସଫଳ ଯୋଡି ।  ଉଭୟ ଏକାଠି ଅନେକ ଓଡିଆ ଫିଲ୍ମ ହିଟ୍ ଦେଇଛନ୍ତି । ଉତ୍ତମଙ୍କ ପରେ ତାଙ୍କ ପୁଅ ବାବୁସାନ ଏବେ ସିନେ ଜଗତରେ ଜଣେ ଚର୍ଚ୍ଚିତ କଳାକାର ହୋଇପାରିଛନ୍ତି ।

 

ଆହୁରି ପଢ଼ନ୍ତୁ : ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ