ଭିନ୍ନକ୍ଷମତା ଆଗରେ ଫିକା ପଡ଼ିନି ପ୍ରେମ, ଦିବ୍ୟାଙ୍ଗ ସ୍ୱାମୀଙ୍କ ହାତ ଧରି ଲିଜାରାଣୀ ଚାଲୁଛନ୍ତି ଜୀବନର ବାଟ

ସମ୍ପର୍କର ନଈ ତୁଠରେ ଠିଆ ହୋଇ ଯିଏ ସ୍ବପ୍ନର କଇଁକୁ ଭୁଲି ପାରେନି ସେ ହିଁ ପ୍ରକୃତ ପ୍ରେମିକ। ପ୍ରେମ ଶାଶ୍ୱତ ଓ ଚିରନ୍ତନ ବୋଲି ତ ସମସ୍ତେ କୁହନ୍ତି, କିନ୍ତୁ ଏହାର ପ୍ରକୃତ ଅର୍ଥକୁ ଖୁବ କମ ଲୋକ ହିଁ ବୁଝିଛନ୍ତି। ପ୍ରେମକୁ ବୁଝି ଜୀବନସାଥୀ ଭାବେ ଜଣେ ଭିନ୍ନକ୍ଷମଙ୍କ ହାତ ଧରିଥିବା ସେଭଳି ଜଣେ ପ୍ରେମିକା ହେଉଛନ୍ତି ନୟାଗଡ଼ ଜିଲ୍ଲା ଦାମୋଦରପୁର ଗାଁର ଲିଜା ରାଣୀ ସାହୁ। ଲିଜା ବିବାହ କରିଛନ୍ତି ନିମାପଡା ଭୋଗସଲଦା ଗାଁର ଭିନ୍ନକ୍ଷମ ଯୁବକ ପୁରୁଷୋତ୍ତମ ବେହେରାଙ୍କୁ। ୮ ବର୍ଷ ବୟସରୁ ସେ ଦିବ୍ଯାଙ୍ଗ, ଭିନ୍ନକ୍ଷମ ହୋଇ ମଧ୍ୟ ପାଠପଢ଼ା କ୍ଷେତ୍ରରେ କିନ୍ତୁ ବିଫଳ ହୋଇନାହାନ୍ତି ପୁରୁଷୋତ୍ତମ। +୩ ରେ ମଧ୍ୟ ଭଲ ନମ୍ବର ରଖି ପାସ୍‌ କରିଛନ୍ତି।

୩ ବର୍ଷ ତଳେ ପୁରୁଷୋତ୍ତମ କିଛି ସ୍ୱାସ୍ଥ୍ୟ ସମସ୍ଯା ପାଇଁ ଏମ୍ସରେ ଭର୍ତ୍ତି ହୋଇଥିଲେ। ଠିକ୍‌ ସେହି ସମୟରେ ଲିଜା ମଧ୍ୟ ଏମ୍ସରେ ସେହି କ୍ୟାବିନରେ ଚିକିତ୍ସିତ ହେଉଥିଲେ। ୭ ଦିନ ସେଠାରେ ରହିଲା ପରେ ଉଭୟଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା ହୋଇଥିଲା ଓ ପରେ ପରସ୍ପରକୁ ମୋବାଇଲ ନମ୍ବର ଦିଆନିଆ କରିଥିଲେ। ହସପିଟାଲରୁ ଡିସଚାର୍ଜ ହେବା ପରେ ମୋବାଇଲ ମାଧ୍ୟମରେ ଉଭୟେ ଯୋଗାଯୋଗରେ ଥିଲେ। ଏମିତି ଚାରିମାସ ଗଲା ପରେ ଲିଜା ନିଜ ଆଡୁ ପୁରୁଷୋତ୍ତମକୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। ମାତ୍ର ନିଜକୁ ଜଣେ ଦିବ୍ଯାଙ୍ଗ ବୋଲି କହି ପୁରୁଷୋତ୍ତମ ଏହାକୁ ପ୍ରତ୍ୟାଖ୍ଯାନ କରିଦେଇଥିଲେ। ସବୁପରେ ବି ପୁରୁଷୋତ୍ତମକୁ ବିବାହ କରିବାକୁ ଜିଦ୍‌ ଧରି ବସିଥିଲେ ଲିଜା।

dibyanga2

ପ୍ରେମ ଦେଖେନି ରୂପ, ବର୍ଣ୍ଣ ଓ ସୌନ୍ଦର୍ଯ୍ଯ, ଏହାକୁ ବୁଝିଥିଲେ ଉଭୟ ଲିଜା ଓ ପୁରୁଷୋତ୍ତମଙ୍କ ପରିବାର ଲୋକେ। ଏଣୁ ପରିବାରର ସହମତି କ୍ରମେ ବେଦୀ, ହୋମ ଓ ନିଆଁକୁ ସାକ୍ଷୀ ରଖି ୨ ଜଣ ବିବାହ କରିଥିଲେ। ଇତି ମଧ୍ୟରେ ବିତିଗଲାଣି ୨ ବର୍ଷ। ଦାମ୍ପତ୍ୟ ଜୀବନରେ ଉଭୟେ ବହୁ ଝଡ଼ଝଞ୍ଜାର ସମ୍ମୁଖୀନ ମଧ୍ୟ ହୋଇଛନ୍ତି। କିନ୍ତୁ କେବେ ବି ପରସ୍ପରକୁ ଛାଡ଼ି ଯିବା କଥା ଚିନ୍ତା କରିନାହାନ୍ତି। ଅନ୍ଯପଟେ ଲିଜାଙ୍କୁ ବୋହୂ କରିବା ପରେ ଲିଜାଙ୍କ ଶାଶୁ ଶ୍ୱଶୁର ବହୁତ ଖୁସି ଥିବା କହିଛନ୍ତି।

ତେବେ ଆଜି ପ୍ରେମ ଦିବସରେ ଏହି ପ୍ରେମୀ ଯୁଗଳଙ୍କୁ ସବୁ ଆଡୁ ପ୍ରଶଂସାର ସୁଅ ଛୁଟୁଛି। ଅନ୍ୟପଟେ ପୁରୁଷୋତ୍ତମଙ୍କ ଚିକିତ୍ସା ପାଇଁ ରାଜ୍ଯ ସରକାରଙ୍କୁ ଅନୁରୋଧ କରି ଯଥା ଶୀଘ୍ର ସାହାଯ୍ଯ ସୁବିଧା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସରପଞ୍ଚ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.