ଏମ୍ସରେ ପ୍ରଥମ ସମାବର୍ତ୍ତନ ଉତ୍ସବ : ନଜର ରଖିଛନ୍ତି ୮୦ଜଣ ବରିଷ୍ଠ ପୋଲିସ ଅଫିସର

ଭୁବନେଶ୍ୱର (କେନ୍ୟୁଜ୍) : ଏମ୍ସରେ ପ୍ରଥମ ସମାବର୍ତ୍ତନ ଉତ୍ସବ । ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ । ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତିଙ୍କ ସମେତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଏମ୍ସରେ ସଭାପତି ଜେ.ପି.ନଡ୍ଡା, ପ୍ରେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ଯୋଗ ଦେଇଛନ୍ତି ।

ସମାବର୍ତ୍ତନ ଉତ୍ସବରେ ୫୦ ଜଣ ଏମବିବିଏସ ଓ ୫୬ ଜଣ ବିଏସସି ଛାତ୍ରଛାତ୍ରୀଙ୍କୁ ମେଡାଲ ପ୍ରଦାନ କରାଯିବ । ଏହା ପୂର୍ବରୁ ଆଜି ସକାଳେ ଉପରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚିଥିଲେ । ବିମାନ ବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ୱାଗତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟପାଳ ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ବିମାନ ବନ୍ଦର ଯାଇ ଉପରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ ।

ଏହା ପରେ, ଉପରାଷ୍ଟ୍ରପତି ରାଜଭବନ ଯାଇଥିଲେ । ସେଠାରେ ସକାଳ ଭୋଜନ କରିବା ପରେ ଏମ୍ସ ଗସ୍ତ କରିଛନ୍ତି ଉପରାଷ୍ଟ୍ରପତି । ୧୧ଟା ୩୦ ମିନିଟ ପର୍ୟ୍ୟନ୍ତ ଉପରାଷ୍ଟ୍ରପତି ଏମ୍ସରେ ରହିବେ । ସେପଟେ ଉପରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି କମିଶନରେଟ ପୋଲିସ ।

ଭୁବନେଶ୍ୱର ବିମାନବନ୍ଦର ଠାରୁ ରାଜଭବନ ଓ ଏମ୍ସ ପଯ୍ୟର୍ନ୍ତ ସୁରକ୍ଷା ଯାଞ୍ଚ କରାଯାଇଛି । ମୁତୟନ ହୋଇଛନ୍ତି ୩୦ ପ୍ଲାଟୁନ୍‌ ପୋଲିସ ଫୋର୍ସ । ନଜର ରଖିଛନ୍ତି ୮୦ଜଣ ବରିଷ୍ଠ ପୋଲିସ ଅଫିସର ।