ବାଉଁସ ଓ ବେତରେ ତିଆରି ହୋଇଛି ଟାଇଟନିକ ଜାହାଜ , ବେଡ୍ ଲ୍ୟାମ୍ପ , କଣ୍ଢେଇ, ପେନ ଷ୍ଟାଣ୍ଡ, ୱାଲ ଫ୍ରେମ , ଟୋପି , ବାସ୍କେଟ ଓ ମହିଳାଙ୍କ ବ୍ୟାଗ ସହ ବିଭିନ୍ନ ପ୍ରକାରର ଆଖି ଲାଖିଲା ଭଳି ଉପକରଣ । ପଶ୍ଚିମବଙ୍ଗର କୁଚ ବିହାରରୁ ଆସିଥିବା ହସ୍ତଶିଳ୍ପ କାରିଗର ସମୀର ଦେଙ୍କ ଷ୍ଟଲ ପାଖରେ ଲାଗୁଛି ଲୋକଙ୍କ ଗହଳି । ତାଙ୍କ ଷ୍ଟଲରେ ରଖିଛନ୍ତି ୫୦ ଟଙ୍କାରୁ ଆରମ୍ଭ କରି ୩୦୦ ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ଜିନିଷ । ଯାହା କେବଳ ବାଉଁଶ ଓ ବେତରେ ତିଆରି କରାଯାଇଛି । କଟକ ଉପର ବାଲିଯାତ୍ରା ପଡିଆରେ ରାଜ୍ୟ ସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ‘ ଗାନ୍ଧୀ ଶିଳ୍ପ ବଜାର ’ ରେ ରହିଛି ଏଭଳି ଷ୍ଟଲ । ଏହି ପ୍ରଦର୍ଶନୀ ଅକ୍ଟୋବର ୪ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ସକାଳ ୧୦ଟାରୁ ଷ୍ଟଲ ଗୁଡିକ ରାତି ୯ ଟା ପର୍ଯ୍ୟନ୍ତ ପ୍ରଦର୍ଶନୀରେ ଖୋଲା ରହୁଛି । ଏହି ପ୍ରଦର୍ଶନୀରେ ଜାତୀୟ ସ୍ତରର ହସ୍ତଶିଳ୍ପ କାରିଗରମାନଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରୟର ବ୍ୟବସ୍ଥା କରାଯାଇଛି ।
ଅନ୍ୟପଟେ ଗାନ୍ଧୀ ଶିଳ୍ପ ବଜାରରେ ହସ୍ତଶିଳ୍ପୀଙ୍କ ଦ୍ଵାରା ବିକ୍ରି ହେଉଛି କାଠ ତିଆରି ନେମ ପ୍ଲେଟ । ଏଠାରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ହସ୍ତଶିଳ୍ପୀଙ୍କ ଦ୍ଵାରା ତିଆରି ହୋଇଥିବା ହସ୍ତ ସାମଗ୍ରୀ ବିକ୍ରି ହେଉଛି । ଗାନ୍ଧୀ ଶିଳ୍ପ ବଜାରରେ ଏମିତି ଏକ ଷ୍ଟଲ ରହିଛି ଯେଉଁଠି କାଠରେ ତିଆରି ହେଉଛି ଘର ସମ୍ମୁଖ ଓ ଘର ଭିତରେ ଟାଙ୍ଗିବା ପାଇଁ ହ୍ୟାଙ୍ଗିଙ୍ଗ ନେମ ପ୍ଲେଟ । ଯାହାର ମୂଲ୍ୟ ୩୦୦ ରୁ ଆରମ୍ଭ ହୋଇ ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଏହି ନେମ ପ୍ଲେଟ ସୁନା ଝୁଡ଼ି କାଠରେ ନିର୍ମିତ । ପଶ୍ଚିମବଙ୍ଗ ଜୟ ନଗରର ହସ୍ତଶିଳ୍ପ ବ୍ୟବସାୟୀ ବୋରୁନ ବୋଇଦ ଏହି ନେମ ପ୍ଲେଟ ତାଙ୍କ ଷ୍ଟଲରେ ତିଆରି କରି ଗ୍ରାହକଙ୍କୁ ଯୋଗାଇ ଦେଉଛନ୍ତି । ବୋରୁନ ବୋଇଦଙ୍କର ଏହି ନେମ ପ୍ଲେଟ ବ୍ୟବସାୟ ଭଲ ହେଉଛି । ବୋରୁନ ଯେତିକି କଞ୍ଚା ମାଲ ଆଣିଥିଲେ ପାଖାପାଖି ଶେଷ ହୋଇଗଲାଣି ।
ସେହିପରି ଝୋଟରୁ ତିଆରି ହୋଇଛି ବିଭିନ୍ନ ପ୍ରକାର ଚାବି ରିଂ, ବ୍ୟାଗ, ହ୍ୟାଙ୍ଗିଙ୍ଗ ଡିଜାଇନ ଭଳି ବିଭିନ୍ନ ପ୍ରକାରର ହସ୍ତଶିଳ୍ପ । ଏସବୁ ଜିନିଷ କିଣିବା ପାଇଁ ଗ୍ରହକଙ୍କ ଭିଡ଼ ଲାଗୁଛି । ଏସବୁ ଜିନିଷର ଡିଜାଇନ ଖୁବ ସୁନ୍ଦର ହୋଇଛି ।