ଦେବୀ ନଦୀରେ ବିଦେଶୀ ପକ୍ଷୀଙ୍କ ସମ୍ଭାର, ପର୍ଯ୍ୟଟକଙ୍କୁ ଟାଣି ଆଣୁଛି ନୂଆ ଅତିଥିଙ୍କ କିଚିରି ମିଚିରି ଶବ୍ଦ

ନଦୀ ସମୁଦ୍ର ଘେରା ଅସ୍ତରଙ୍ଗ ଅଞ୍ଚଳ । ଏଠାରେ ପ୍ରବାହିତ ଦେବୀ ନଦୀ, କାଦୁଆ ନଦୀ ଏବଂ ପ୍ରାଚୀ ନଦୀ ବଙ୍ଗୋପସାଗର ସହିତ ମିସିଛନ୍ତି । ଅସ୍ତରଙ୍ଗ ଅଞ୍ଚଳରେ ପ୍ରବାହିତ ନଦୀ ସମୁଦ୍ର ଜୈବବିବିଧତାରେ ପରିପୂର୍ଣ ହୋଇ ରହିଛି । ଏଠାରେ ରହିଥିବା ହେନ୍ତାଳ ଜଙ୍ଗଲ ବନ୍ୟ ପ୍ରାଣୀଙ୍କ ପାଇଁ ପାଲଟିଛି ଅଭୟାରଣ୍ୟ । ବିଶେଷ ଭାବରେ ଶୀତରୁତୁ ଆସିଲେ ହଜାର ହଜାର କିଲୋମିଟର ଦୂରରୁ ବିଦେଶୀ ପକ୍ଷୀମାନେ ଧାଇଁ ଆସନ୍ତି ଏହି ଅଞ୍ଚଳକୁ ।
ଏଠାର ପ୍ରାକୃତିକ ପରିବେଶ ନଦୀ ଏବଂ ସମୁଦ୍ର ଅଞ୍ଚଳରେ ମିଳୁଥିବା ପର୍ଯ୍ୟାପ୍ତ ଖାଦ୍ୟ ସହିତ ସୁରକ୍ଷିତ ହେନ୍ତାଳ ଜଙ୍ଗଲ ସେମାନଙ୍କ ପାଇଁ ଏକ ସୁରକ୍ଷିତ ବାସସ୍ଥାନ ପାଲଟି ଯାଇଛି । ଏହି ବିଦେଶୀ ଅତିଥି ମାନଙ୍କ ଆଗମନ ହେବା କ୍ଷଣି ଅସ୍ତରଙ୍ଗକୁ ଛୁଟିଥାଏ ପର୍ଯ୍ୟଟକଙ୍କ ସୁଅ । ଅସ୍ତରଙ୍ଗର ଗଙ୍ଗାଦେବୀ ପୀଠରେ ପ୍ରବାହିତ ଦେବୀନଦୀର ଦୁଇପାର୍ଶରେ ରହିଥିବା ପ୍ରାକୃତିକ ହେନ୍ତାଳ ବଣ ମଧ୍ୟରେ ବିଦେଶୀ ପକ୍ଷୀଙ୍କ କଳ ରାବ ଏବଂ ବୋଟିଙ୍ଗର ମଜା ପର୍ଯ୍ୟଟକଙ୍କୁ ଅଧିକ ଆକର୍ଷିତ କରୁଛି ।
ପିକନିକ ଋତୁରେ ଅସ୍ତରଙ୍ଗର ପର୍ଯ୍ୟଟନସ୍ଥଳୀ ଭାବରେ ପରିଚିତ ପିର ଯାହାନିଆ ଏବଂ ଗଙ୍ଗାଦେବୀ ପୀଠ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି । ଅସ୍ତରଙ୍ଗ ଦେବୀମୁହାଣ ଠାରୁ ଶିଖର ଘାଟ ପର୍ଯ୍ୟନ୍ତ ପ୍ରାୟ ୨୫ କିଲୋମିଟର ଦେବୀନଦୀ ଅଞ୍ଚଳ ମଧ୍ୟରେ ହଜାର ହଜାର ବିଦେଶୀ ପକ୍ଷୀଙ୍କ ଅବସ୍ଥାନ ଦେଖିବାକୁ ମିଳୁଛି । ଏହି ଅଞ୍ଚଳର ଜୈବ ବିବିଧତା ଏହି ବିଦେଶୀ ଅତିଥିଙ୍କୁ ଏଠାରେ ଆତିଥ୍ୟ ପ୍ରଦାନ କରୁଛି । ଦେବୀନଦୀରେ ମିଳୁଥିବା ପର୍ଯ୍ୟାପ୍ତ ପରିମାଣର ମାଛ, କଙ୍କଡା ବିଦେଶୀ ପକ୍ଷୀଙ୍କ ପ୍ରମୁଖ ପସନ୍ଦର ଖାଦ୍ୟ ପାଲଟିଛି ।
ଏଠାକାର ପରିବେଶ ଏବଂ ନିରାପଦ ଆଶ୍ରୟସ୍ଥଳୀ ଦେବୀନଦୀ ଅଞ୍ଚଳରେ ସେମାନଙ୍କୁ ରହିବା ପାଇଁ ମୁଖ୍ୟ ମାଧ୍ୟମ ସାଜିଛି । ବିଭିନ୍ନ ରଙ୍ଗ ବେରଙ୍ଗର ବିଦେଶୀ ପକ୍ଷୀ ଯଥା – ନର୍ଦନ ପିନଟେଲ, ସାଇବେରିଆନ ଡକ, ସିଗଲ, ଫ୍ଲାମିଙ୍ଗୋସ, ସାଇବେରିଆନ କ୍ରେନ, ଗାଡୱାଲ, ବାର ହେଡେଡ ଗୋସ, ଅମୁର ଫାଲ୍କୋନ, ରେଡ କ୍ରିଷ୍ଟାର୍ଡ ପୋଚାର୍ଡ, ୟୁରେସିଆନ ୟୁଜେନ, ବ୍ଲାକ ହେଡେଡ ଆଇ. ବି.ସି, ଲେସର ହିଉସିଲିଙ୍ଗ ଡକ, ରୁଡିସେଲ ଡକ, କମନ ଟିଲ ଗଡ ହୁଇଟ ଭଳି ରଙ୍ଗ ବେରଙ୍ଗର ପକ୍ଷୀ ମାନଙ୍କର ସମ୍ଭାର ଦେବୀନଦୀର ବିଭିନ୍ନ ବାଲି ପଠାମାନଙ୍କରେ ଦେଖିବାକୁ ମିଳୁଛି ।