ପଞ୍ଚୁକରେ ମହଙ୍ଗା ଛାଟ: ପିଆଜ-ରସୁଣ ଦରରେ ନାହିଁ ନିୟନ୍ତ୍ରଣ
ବ୍ରହ୍ମପୁର: ପଞ୍ଚୁକରେ ମହଙ୍ଗା ଛାଟ । ବିଶେଷ କରି କାର୍ତ୍ତିକ ମାସରେ ଆମିଷ ସହ ପିଆଜ, ରସୁଣର ଦର କମିଥାଏ । ତେବେ ଆମିଷ ଦର ସ୍ଥିର ଥିବାବେଳେ ପିଆଜ, ରସୁଣ ଦର ଆକାଶ ଛୁଆଁ ରହିଛି । ରେଶମ ସହର ବ୍ରହ୍ମପୁରରେ ବି ପଡିଛି ମହାଙ୍ଗା ମାଡ଼ର ପ୍ରଭାବ । ରସୁଣ ଦର କିଲୋ ପ୍ରତି ୨୪୦ରୁ ୩୬୦/୪୦୦ ଟଙ୍କାକୁ ବୃଦ୍ଧି ପାଇଛି । ସେହିଭଳି ପିଆଜ ଦର କିଲୋ ପିଛା ୬୦ ଟଙ୍କାରୁ ବଢ଼ି ୭୦ରୁ ୮୦ ଟଙ୍କାରେ ବିକ୍ରି ହେଉଛି ।
ସେହିପରି ଭୁବନେଶ୍ୱରରେ ଏବେ ପ୍ରାୟ ସବୁ ପରିବା ଦର ୬୦ ଉପରେ ରହିଛି । ଯାହାଦ୍ବାରା ରୋଷେଇଘରେ ସବୁଜ ପନିପରିବା ପାଇବା ଏବେ ସ୍ୱପ୍ନ ପାଲଟିଛି । ପରିବା ଦର ବୃଦ୍ଧି ହବିଷିଆଳୀଙ୍କ ହବିଷ ଡାଲମା ଉପରେ ମାଡ ସଦୃଶ ହୋଇଛି । କାର୍ତ୍ତିକ ମାସରେ ଅନେକ ଲୋକ ଆମିଷ ଖାଉନଥିବାରୁ ସବୁଜ ପନି ପରିବା ଉପରେ ନିର୍ଭର କରିଥାନ୍ତି ହେଲେ ଏଭଳି ଦରବୃଦ୍ଧି ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଉଛି ।
ସେହିପରି ସାରୁ ଓ ବନ୍ଧାକୋବି କିଲୋଗ୍ରାମ୍ ପିଛା ୬୦ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଟମାଟୋ ଦର କିଲୋଗ୍ରାମ୍ ପିଛା ୬୦ରୁ ୮୦ ଟଙ୍କାରେ ବିକ୍ରି ହେଉଛି । ପୋଟଳ କିଲୋଗ୍ରାମ ପିଛା ୮୦ ଟଙ୍କା, କାଙ୍କଡ଼ କିଲୋଗ୍ରାମ ପିଛା ୬୦ ରୁ ୮୦ ଟଙ୍କା, ଜହ୍ନି କିଲୋଗ୍ରାମ୍ ପିଛା ୪୦ ରୁ ୬୦, ଭେଣ୍ଡି କିଲୋଗ୍ରାମ୍ ପିଛା ୬୦ରୁ ୮୦ ଟଙ୍କାରେ ବିକ୍ରି ହେଉଛି । ବାଇଗଣ ଓ କାକୁଡ଼ି କିଲୋଗ୍ରାମ୍ ପିଛା ୬୦ ଟଙ୍କା, କଖାରୁ କିଲୋଗ୍ରାମ୍ ପିଛା ୪୦ ଟଙ୍କାରେ ବିକ୍ରି ହେଉଛି । ଫଳରେ ଏକ କେଜି ବଦଳରେ ଅଧା କେଜି ପରିବା କିଣିବାକୁ ବାଧ୍ୟହେଉଛନ୍ତି ଲୋକେ ।