କାର୍ତ୍ତିକ ମାସ ପାଇଁ ଦୁଇ ଗୁଣା ପରିବା ଦର, ଘରକୁ କିଣି ନେବାକୁ ଅସମର୍ଥ ଲୋକେ

ଭଦ୍ରକ(କେନ୍ଯୁଜ୍): ରୋଷେଇ ଘରେ ମହଙ୍ଗା ମାଡ଼ । ପରିବା ବଜାରରେ ନିଆଁ ।  କୃଷି ବହୁଳ ଭଦ୍ରକ ଜିଲ୍ଲାରେ ଏବେ ପନିପରିବା ଦର ଆକାଶ ଛୁଆଁ। ଫଳରେ ସାଧାରଣ ମଧ୍ୟବିତ୍ତ ଲୋକ ମାନେ ପନି ପରିବା କିଣିବା ପାଇଁ ବଜାର ରେ ଆଉ ପୂର୍ବଅପେକ୍ଷା ଭିଡ଼ ଜମାଉ ନାହାନ୍ତି।ନିତ୍ୟବ୍ୟବହାର୍ଯ୍ୟ ପରିବା ସହ, ପିଆଜ ଏବଂ ଆଳୁ ଦର ମଧ୍ୟ ବୃଦ୍ଧି ହୋଇଛି। ଭଦ୍ରକ ସହରର କଚେରୀ ବଜାର, ବନ୍ତ ଛକ, କଲେଜ ରୋଡ଼ ଏବଂ ରାଜ ଘାଟ ଛକ ଓ ବାଇ ପାସ ଅଂଚଳରେ ପନି ପରିବା ପ୍ରତିଦିନ ବିକ୍ରି ହୋଇଥାଏ। ସକାଳୁ ସଞ୍ଜ ଯାଏଁ ଭିଡ଼ ଜମିଥାଏ ଏଠାରେ। ଗତ କିଛି ଦିନ ହେବ ପରିବା ଦର ଯାହା ଥିଲା ତାହା ଏବେ ଦୁଇ ଗୁଣ ବଢ଼ି ଯାଇଛି।

ବଜାରରେ ଏବେ ବାଇଗଣ କିଲୋ ୬୦, ପୋଟଳ କିଲୋ ୧୦୦, ଗାଜର କିଲୋ ୧୦୦, ଫୁଲ କୋବି କିଲୋ ୮୦, ବନ୍ଧା କୋବି କିଲୋ ୫୦, ଟମାଟୋ କିଲୋ ୬୦, କଲରା କିଲୋ ୮୦, ଭେଣ୍ଡି କିଲୋ ୫୦, ସଜନା ଛୁଇଁ ୮୦ ଟଙ୍କାରେ ବିକ୍ରି ହେଉଛି। କାର୍ତିକ ମାସ ପାଇଁ ବଢି ଯାଇଛି ଦର। ଫଳରେ ଗ୍ରାହକ ହାଣ୍ଡିଶାଳରେ ଏହାର ସିଧାସଳଖ ପ୍ରଭାବ ପଡିଛି। ପୂର୍ବରୁ ଶହେ ଟଙ୍କାରେ କିଣୁଥିବା ପରିବା ଏବେ ୫୦୦ ଟଙ୍କାରେ ବି ବ୍ୟାଗ ଭର୍ତ୍ତି ହେଉନାହିଁ।

ସେହିପରି ଭଦ୍ରକ ଜିଲ୍ଲାର ଯେଉଁସବୁ ସ୍ଥାନରେ ପନି ପରିବା ଅଧିକ ଉତ୍ପାଦନ ହୁଏ ସେଠାରେ ଲଘୁଚାପ ଜନିତ ଲଗାଣ ବର୍ଷା ଓ ପରେ ବନ୍ୟା ପାଇଁ ତାହା ନଷ୍ଟ ହୋଇ ଯାଇଛି। ତେଣୁ ସହରବାସୀଙ୍କୁ ମିଳୁନି ନିଜ ଜିଲ୍ଲାର ପରିବା। ବାହାର ଜିଲ୍ଲାରୁ ପନି ପରିବା ଆମଦାନୀ ହେଉଛି। ଫଳରେ ବଜାର ଦର ଅଧିକ ରହୁଥିବା କହିଛନ୍ତି ବ୍ୟବସାୟୀ। ଲୋକଙ୍କ ଆର୍ଥିକ ସ୍ଥିତିକୁ ଦେଖି ବଜାର ଦର ଓ ପନିପରିବା ଦର ଉପରେ ନିୟନ୍ତ୍ରଣ କରିବାକୁ ସାଧାରଣରେ ଦାବି ହେଉଛି।

ଭଦ୍ରକରୁ ନରେନ୍ଦ୍ର ସାମଲଙ୍କ ରିପୋର୍ଟ, କେନ୍ଯୁଜ୍

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.