ପରିବା ବଜାରରେ ଲାଗିଛି ନିଆଁ, କେତେ ରହିଛି ଛତ୍ର ବଜାରରେ ଦର ?

କଟକ : କିଛି ଦିନ ତଳେ କେତେବେଳେ ଆଳୁ ଚିନ୍ତା ବଢ଼ାଉ ଥିଲା ତ କେତେବେଳେ ପିଆଜ ।  ଆଉ ଏବେ ପୁରା ପରିବା ବଜାରରେ ଲାଗିଛି ନିଆଁ ।  ରକେଟ ପରି ଉପର ମୁହାଁ ହେଲାଣି ପ୍ରାୟ ସମସ୍ତ ପରିବା ଦର ।  ଯେଉଁଥିରେ ହାତ ମାରିବେ ଦର ଆକାଶ ଛୁଆଁ ।  ପ୍ରାୟ କୌଣସି ପରିବା କିଲୋ ୫୦- ୬୦- ୭୦ ତଳକୁ ନାହିଁ। ସେ ପୋଟଳ ହେଉ କି ବାଇଗଣ ।  ଆଉ କିଛି କିଛି ନିର୍ଦିଷ୍ଟ ପରିବା ତ ଶହେ ଟପି ଗଲେଣି। ଏହି ପରିସ୍ଥିତି କାର୍ତ୍ତିକ ମାସ ଶେଷ ପର୍ଯ୍ୟନ୍ତ ରହି ପାରେ ବୋଲି ଅନୁମାନ କରୁଛି ଛତ୍ର ବଜାର ବ୍ୟବସାୟୀ ସଂଘ।

ପାଞ୍ଚ ଶହ ଟଙ୍କା ପକେଟରେ ଧରି ଗଲେ ମଧ୍ୟ ଭର୍ତ୍ତି ହେଉ ନାହିଁ ପରିବା ବ୍ୟାଗ। କାରଣ ଯାହାକୁ ଛୁଇଁବେ କିଲୋ ୬୦ ରୁ ଅଧିକ ।  ପୋଟଳ ହେଉ କି ବାଇଗଣ ।  ୬୦ ରୁ ଶହେ ପର୍ଯ୍ୟନ୍ତ ଦର ଏପଟ ସେପଟ ହେଉଛି ପ୍ରତିଦିନ। ଗୋଟେ ପଟେ ଆଳୁ ଓ ପିଆଜ ଦର୍ ଆଉ ଖସିବାର ନାଁ ନେଉ ନ ଥିବା ବେଳେ, ସବୁଜ ପନି ପରିବାର ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଛତ୍ର ବଜାରରେ ଯେଉଁ ପରିବା ୬୦-୭୦ କିଲୋ ବିକ୍ରି କରାଯାଉଛି, ସହରର ଗଳି କନ୍ଦି ଦୋକାନରେ ତାହା ବିକ୍ରି ହେଉଛି ୮୦ ଟଙ୍କାରେ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ସବୁଜ ପରିବା ଉତ୍ପାଦନ ଏବେ କମ ରହିଥିବା ବେଳେ ଏହା ପରିବା ଦର ଉପରେ ପ୍ରଭାବ ପକାଇଛି ।  ଏହା ଛଡ଼ା ମହାରାଷ୍ଟ୍ର,କର୍ଣ୍ଣାଟକ,ପଶ୍ଚିମବଙ୍ଗ ତଥା ଅନ୍ୟାନ୍ୟ ରାଜ୍ୟରୁ ଆମ ରାଜ୍ୟକୁ ଆସି ଥାଏ ଅନେକ ସବୁଜ ପରିବା ।  ସେଠାରେ ଅତ୍ୟଧିକ ବର୍ଷା ପାଇଁ ଫସଲ ନଷ୍ଟ ହୋଇଥିବାରୁ ଏହାର ପ୍ରଭାବ ଆମ ରାଜ୍ୟ ଉପରେ ପଡ଼ିଥିବା କହିଛି ଛତ୍ର ବଜାର ବ୍ୟବସାୟୀ ସଂଘ । କିଛି ଦିନ ତଳେ ୪୦ ରୁ ୫୦ ଟଙ୍କା କେଜି ବିକ୍ରି ହେଉଥିଲା ଅଧିକାଂଶ ସବୁଜ ପରିବା ।  ଏବେ ଦୁଇ ଗୁଣ ଦର ବୃଦ୍ଧି ପାଇଛି ।  ଝୁଡଙ୍ଗ,ବିଲାତି, ବିନ୍, କ୍ୟାପ୍ସିକମ୍, କୋବି, କଲରା କେହି କମ୍ ନାହାନ୍ତି ।  କିଏ ୬୦ ତ କିଏ ଶହେ ।  କଣ ନେବେ ଆଉ କେତେ ନେବେ, ଦ୍ଵନ୍ଦରେ ପଡ଼ି ଯାଉଛନ୍ତି ଗ୍ରାହକ।  ଭର୍ତ୍ତି ହୋଇ ରହୁଥିବା ପରିବା ଡାଲା ଏବେ ଖାଲି ଖାଲି ଲାଗୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like