ରାଜ୍ୟରେ ଆକାଶ ଛୁଆଁ ପରିବା ଦର, ଆଗକୁ ସ୍ଥିତି ଅସମ୍ଭାଳ

ଭୁବନେଶ୍ୱର (କେନ୍ୟୁଜ): ଦିନକୁ ଦିନ ବଢ଼ିବାରେ ଲାଗିଛି ପରିବା ଦର । ଦରଦାମରେ ବେହାଲ ହେବାରେ ଲାଗିଛନ୍ତି ଖାଉଟି । ପେଟ୍ରୋଲ୍ ଓ ଡିଜେଲ୍ ଦର ବଢୁଥିବା ବେଳେ ଏବେ ଚିନ୍ତାରେ ପକାଉଛି ପରିବା ଦର । ଆାକାଶ ଛୁଆଁ ହେବାରେ ଲାଗିଲାନି ପରିବା ଦର । ସାରା ରାଜ୍ୟରେ ଆକାଶ ଛୁଆଁ ହୋଇଛି ପରିବା ଦର । କିଣିବା ପୂର୍ବରୁ ଚିନ୍ତା କରିବାକୁ ପଡୁଛି କେଉଁ ପରିବା କିଣିବେ । ସବୁ ୬୦ ଉପର। ଟମାଟୋ ୫୦ରୁ ୬୦, କାଙ୍କଡ ୧୦୦, ବାଇଗଣ ୭୦, ପୋଟଳ ୭୦ରୁ ୮୦, ବନ୍ଧାକୋବି କିଲୋ ୩୦, ଝୁଡୁଙ୍ଗ ବିଡା ୪୦, କ୍ୟାପସିକମ୍‌ ୧୨୦, ଲାଉ ଗୋଟା ୪୦,ବିନ୍ସ ୮୦ ରୁ ୯୦, କଲରା କିଲୋ ୬୦ ଟଙ୍କା ରହିଛି । ସେହିପରି ହବିଷ ପରିବାରେ ବି ମହଙ୍ଗା ମାଡ଼ । ସାରୁ କିଲୋ ୪୦, ଓଉ ଓ କଞ୍ଚାକଦଳୀ ଗୋଟା ୧୦, କନ୍ଦମୂଳ କିଲୋ ୪୦ ଟଙ୍କା । କାର୍ତ୍ତିକ ମାସରେ ଆକାଶ ଛୁଆଁ ଦରକୁ ନେଇ ଚିନ୍ତାରେ ଲୋକ। ଏବେ ଶହେ, ଦୁଇଶହ କି ୫୦୦ ନୁହେଁ, ବରଂ ୭୦୦ ରୁ ୮୦୦ ଟଙ୍କା ଖର୍ଚ୍ଚ କଲେ ବି ଭର୍ତ୍ତି ହେଉନି ବ୍ୟାଗ୍‌ ।

ପନିପରିବାର ଏହି ଚଢ଼ା ଦରକୁ ନେଇ ଖାଉଟିଙ୍କ ସହ ହବିଷ୍ୟାଳୀମାନେ ମଧ୍ୟ ଚିନ୍ତାରେ ପଡ଼ିଗଲେଣି। ବିଭିନ୍ନ ପରିବାର ଚଢ଼ା ଦର ଉଭୟ ଗ୍ରାହକ ଓ ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇଛି। ଆଳୁ ଓ ଟାମାଟୋଠାରୁ ଆରମ୍ଭକରି ପ୍ରତ୍ୟେକ ପନିପରିବା ଚଢ଼ା ଦରରେ ବିକ୍ରି ହେଉଛି। ଅହେତୁକ ଦରଦାମ ବୃଦ୍ଧି କାରଣରୁ ଏହାର ସିଧାସଳଖ ପ୍ରଭାବ ଖାଉଟିଙ୍କ ପକେଟ୍ ଉପରେ ପଡ଼ିଛି।

ବିଶେଷକରି ଖଟିଖିଆ, ମଜୁରିଆ ଓ ମଧ୍ୟବିତ୍ତ ବର୍ଗର ଲୋକ ମହଙ୍ଗାମାଡ଼ରେ ଅତିଷ୍ଠ ହୋଇ ପଡ଼ିଲେଣି। ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି ସହ ପରିବାଦର ବୃଦ୍ଧି ଏମାନଙ୍କ ଜୀବନକୁ ଦୁର୍ବିସହ କରି ସାରିଲାଣି। କରୋନା ଯୋଗୁଁ ବିଭିନ୍ନ ବର୍ଗର ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିବା ବେଳେ ଏହି ମହଙ୍ଗାମାଡ଼ ବୋଝ ଉପରେ ନଳିତାବିଡା ସଦୃଶ ହୋଇଛି। କିଭଳି ପାଞ୍ଚପ୍ରାଣୀ କୁଟୁମ୍ବ ଚଳାଇବେ ଏବେ ସେମାନଙ୍କୁ ସେହି ଚିନ୍ତା ଘାରିଛି। କାର୍ତ୍ତିକ ମାସ ଆରମ୍ଭରୁ ପରିବା ଦର ବୃଦ୍ଧି ଆରମ୍ଭ ହୋଇଯାଇ ଥିବାରୁ ପୂରା ମାସଶେଷ ବେଳକୁ ପରିବା ଖର୍ଚ୍ଚକୁ ନେଇ ଖାଉଟିଙ୍କ ଚିନ୍ତା ଏବେଠୁ ବଢ଼ିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.