ପରିବା ଦର ଶୁଣିଲେ ମୁଣ୍ଡ ଝାଇଁ ମାରିଯାଉଛି ! ଯାହା କିଣିବ ସବୁ ୫୦ ଉପରେ…

ଭୁବନେଶ୍ୱର (କେନ୍ୟୁଜ):  ସାଧାରଣ ଖାଉଟିର ହାଣ୍ଡିଶାଳ ଉପରେ ପଡିଛି ଚଡକ । ଆକାଶଛୁଆଁ ହୋଇ ଯାଇଛି କଞ୍ଚା ପରିବା ଦର । କୌଣସି ବି ପରିବା ୫୦ ଟଙ୍କା ତଳକୁ ନ ଥିବା ବେଳେ ଗରିବ ଓ ମଧ୍ୟବିତ୍ତ ପରିବାର କିପରି ଚଳିବେ ତାକୁ ନେଇ ସମସ୍ୟା ଦେଖାଦେଇଛି । ଯେଉଁ ପରିବା ଦର ଗତମାସ ସୁଦ୍ଧା ସ୍ୱାଭାବିକ ରହିଥିଲା, ତାହା ଏବେ ବୃଦ୍ଧି ପାଇଛି । ରାଜ୍ୟ ତମାମ୍ ଏହି ଅବସ୍ଥା। ପାଇକାରୀ ଠାରୁ ଆରମ୍ଭ କରି ଖୁଚୁରା ବଜାର ଯାଏଁ, ସବୁଠି ପରିବା ଦର ଉଚ୍ଚା। ବ୍ୟବସାୟୀ ବି ନାଚାର।

ପରିବା ମାର୍କେଟରେ ଆଳୁ କିଲୋ ୩୫ ଟଙ୍କ ଓ ପିଆଜ ୪୦ ଟଙ୍କା ରହିଛି । ସେହିପରି ଭେଣ୍ଡି ୫୦ ଟଙ୍କା,ପୋଟଳ ୪୦ରୁ ୭୦ ଟଙ୍କା, ଝୁଡଙ୍ଗ ୫୦ , ଟମାଟୋ ୭୫, ଜହ୍ନି ୭୦,କଲରା ୮୦, କାଙ୍କଡ଼ ୮୦, କ୍ୟାପିସିକମ ୧୨୦ ଟଙ୍କାରୁ ୨୦୦ ଟଙ୍କା, ସଜନା ଛୁଇଁ ୬୦ ରୁ ୮୦ ଟଙ୍କା,ବନ୍ଧା କୋବି ୩୦ ଟଙ୍କାରୁ ୫୦ ଟଙ୍କା, ଫୁଲକୋବି ଗୋଟା ୬୦ ଟଙ୍କା ରହିଛି । ଯାହାକୁ ନେଇ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି ଖାଉଟି ।

ସେହିପରି ଡାଲି, ତେଲ, ଗହମ ଜାତୀୟ ସାମଗ୍ରୀ ଏବଂ ଦୁଗ୍ଧ ଆଦି ଅଧିକାଂଶ ସାମଗ୍ରୀ ଉପରମୁହାଁ ହୋଇ ଚାଲିଛି । ହରଡ଼ ଡାଲି କେଜି ୧୭୦ରୁ ୧୮୦ ଟଙ୍କା ରହିଛି । ବୁଟ ଡାଲି ୯୦ ଟଙ୍କା, ମୁଗ ଡାଲି ୧୧୦ରୁ ୧୨୦ ଟଙ୍କା ରହିଛି । ସେହିପରି ସୋରିଷ ତେଲ ଲିଟର ୧୩୫ ରୁ ୧୫୫ ଟଙ୍କା ରହିଥିବା ବେଳେ ସନ୍ଫ୍ଲାୱାର ତେଲ ଲିଟର ୧୧୨ ଟଙ୍କାରେ ବିକ୍ରି ହେଉଛି ।

ସେହିପରି ବୌଦ୍ଧ ଜିଲ୍ଲା କଣ୍ଟାମାଳରେ ପରିବା ଦର ଏବେ ଆକାଶ ଛୁଆଁ । ଖୁଚୁରା ବଜାରରେ କଞ୍ଚାଲଙ୍କା କିଲୋ ପ୍ରତି ୧୦୦ ଟଙ୍କାରେ ବିକ୍ରି ହେଉଛି । ଅଦା କେଜି ପ୍ରତି ୧୫୦ ଟଙ୍କା, ଟମାଟୋ ୮୦ ଟଙ୍କା ଛୁଇଁଛି । ସେହିପରି ବାଇଗଣ ୪୦, ପୋଟଳ ୮୦ ଟଙ୍କାରେ ପହଞ୍ଚିଛି । ପରିବା ଦର ବଢୁଥିବାରୁ ପ୍ରଭାବିତ ହେଉଛନ୍ତି ଗରିବ ଓ ମଧ୍ୟବିତ ପରିବାର । ଉତ୍ପାଦିତ ଫସଲ ସଂରକ୍ଷଣ ପାଇଁ ଜିଲ୍ଲାରେ ଶୀତଳ ଭଣ୍ଡାରର ବ୍ୟବସ୍ଥା ନଥିବାରୁ ପରିବା ଦର ବଢୁଥିବା କହିଛନ୍ତି ବ୍ୟବସାୟୀ । ତୁରନ୍ତ ଜିଲ୍ଲାରେ ଶୀତଳ ଭଣ୍ଡାର ପାଇଁ ଦାବି ହୋଇଛି ।

You might also like