ପରିବା ବଜାରରେ ନିଆଁ; ଟମାଟୋ ଦର ଶୁଣି ଛାନିଆ ଗ୍ରାହକ

ଭୁବନେଶ୍ୱର (କେନ୍ୟୁଜ): ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି ବଜାର ଦର । ପରିବା ବଜାରରେ ନିଆଁ । ବର୍ଷା ଯୋଗୁଁ ପନିପରିବା ଦରରେ ବୃଦ୍ଧି ଲୋକଙ୍କ ପକେଟକୁ ପ୍ରଭାବିତ କରୁଛି । ସେଞ୍ଚୁରୀ ପାର୍ କରିବା ପରେ ରୋଷେଇ ଘରୁ ଉଭାନ ହୋଇଯାଇଛି ଟମାଟୋ । ଅନ୍ୟାନ୍ୟ ସବୁଜ ପନିପରିବା ଦର ମଧ୍ୟ ଖୁବ୍ ଅଧିକ ରହିଛି । ଏବେ ଶତକ ମାରିଛି ଟମାଟୋ । ତେଜରାତି ସାମଗ୍ରୀ ପରେ ଏବ ପରିବା ବଜାରରେ ମହଙ୍ଗା ମାଡ଼ । ଦରବୃଦ୍ଧି ଯନ୍ତ୍ରଣାରେ ଏବେ ଖାଉଟି କଲବଲ । ବଜାରରେ ଅଧିକାଂଶ ପରିବା ଦର ଏବେ ଶତକ ଛୁଇଁବାକୁ ବସିଲାଣି । ଫଳରେ ରୋଷେଇ ଘରୁ ଏବେ ବହୁ ପରିବା ଗାଏବ ହେବାକୁ ବସିଲାଣି । ହାଟ ବଜାରରେ ଆଳୁ କିଲୋ ପିଛା ୩୦ ଟଙ୍କାରେ ମିଳୁଥିବା ବେଳେ ଗୋଟିଏ ଦିନରେ ଦର ବଢି ଏବେ ୩୫ ଟଙ୍କାରେ ପହଞ୍ଚିଛି ।
ସେହିପରି ୮୦ ଟଙ୍କା କିଲୋ ପିଛା ବିକ୍ରି ହେଉଥିବା ଟମାଟୋ ଦର ଏବେ ୧୦୦ ଟଙ୍କାକୁ ବୃଦ୍ଧି ହୋଇଛି । ଅନ୍ୟ ପରିବା ମଧ୍ୟରେ ଦେଶୀ ପୋଟଳ୯୦ ଟଙ୍କା, ଭେଣ୍ଡି ୮୦ ଟଙ୍କା, କଲରା ୧୦୦, ଜହ୍ନି ୮୦, ବନ୍ଧାକୋବି ୬୦, କାଙ୍କଡ ୧୪୦ ଟଙ୍କା, କଖାରୁ ୩୦ ଟଙ୍କାରେ ବିକ୍ରି ହେଉଛି । ଏହାଛଡା ଝୁଡଙ୍ଗ ୧୨୦, କାକୁଡି ୮୦, ବିନ୍ସ ୩୮୦, ଅମୃତ ଭଣ୍ଡା ୩୦, ସଜନା ଛୁଇଁ ୧୬୦, ପିଆଜ କିଲୋ ପ୍ରତି ୪୦ ଟଙ୍କାରେ ପହଞ୍ଚିଛି । କମ ଯୋଗାଣ ଦର ବୃଦ୍ଧିର ମୁଖ୍ୟ କାରଣ ବୋଲି କହିଛନ୍ତି ବ୍ୟବସାୟୀ ।