ହୁ ହୁ ହୋଇ ବଢୁଛି ପରିବା ଦର : ଆଳୁ କିଲୋ ୩୫ , ପିଆଜ କିଲୋ ୪୫ରୁ ୫୦

ଭୁବନେଶ୍ୱର (କେନ୍ୟୁଜ): ମହଙ୍ଗା ମାଡ଼ରେ ଖାଉଟି ବେହାଲ । ହୁ ହୁ ହୋଇ ବଢୁଛି ଆଳୁ- ପିଆଜ ସାଙ୍ଗକୁ ପରିବା ଦର । ହାତ ମାରିବାକୁ ଡର ଲାଗୁଛି । ହଜାରେ ଟଙ୍କା ମାର୍କେଟକୁ ନେଇ ଗଲେ ବ୍ୟାଗ ପୂରୁନି । ଏହି ସିଜିନ୍ରେ ପନିପରିବା ଅମଳ କମ୍ ଥାଇ ବି ଦର ଏତେଟା ବଢ଼େନି । ଏବର୍ଷ ସବୁ ସୀମା ପାର୍ କରିଛି ଦରଦାମ ବୃଦ୍ଧି। ଗତ ୧୫ ଦିନ ଭିତରେ ଆଳୁ କିଲୋ ୩୫ , ପିଆଜ କିଲୋ ୪୫ରୁ ୫୦ ଟଙ୍କାରେ ପହଞ୍ଚିଲାଣି । ଏପରି ହେଲେ ଘର ଚଳାଇବା କଷ୍ଟ ।
ଖାଲି ଆଳୁ, ପିଆଜ ନୁହଁ। କୌଣସି ବି ପନିପରିବା ୫୦ ଟଙ୍କା ତଳକୁ ନାହିଁ । ଟମାଟୋ କିଲୋ ୮୦ରୁ ୧୦୦ ଟଙ୍କା , ବିନ୍ସ ୧୦୦, ବାଇଗଣ ୬୦, ପୋଟଳ ଓ ଝୁଡ଼ଙ୍ଗ ୭୦, କଲରା ୮୦ ଓ ଫୁଲକୋବି ଗୋଟାର ଦାମ ରହିଛି ୬୦ ଟଙ୍କା । ସବୁଠାରୁ ବଡ଼ କଥା ହେଉଛି ଚାଉଳ , ବିଭିନ୍ନ ପ୍ରକାର ଡାଲି ଓ ସୋରିଷ ତେଲ ଭଳି ନିତ୍ୟ ବ୍ୟବହାର ଖାଇବା ସାମଗ୍ରୀ ବୃଦ୍ଧି ହେବାର ଲାଗିଛି । ବିଭିନ୍ନ ପ୍ରକାର ଡାଲି ଦର ମଧ୍ୟ ବଢିଛି । ହରଡ଼ ଡାଲି ଦର କିଲୋ ପିଛା ୧୦ ଟଙ୍କାରୁ ୧୨ ଟଙ୍କା ବଢିଛି । ହରଡ଼ ଡାଲି ସମେତ ବୁଟ ଡାଲି ଦର ମଧ୍ୟ ବୃଦ୍ଧି ପାଇଛି । ଯାହାକୁ ନେଇ ଚିନ୍ତାରେ ଗ୍ରାହକ । କଣ କିଣିବେ , କେମିତି ଖାଇବେ । ମହଙ୍ଗାମାଡରେ ସାଧାରଣ ଖାଉଟି ଚେପା । ହାଣ୍ଡିଶାଳ ଉପରେ ପଡିଛି ସିଧାସଳଖ ପ୍ରଭାବ । ପନିପରିବା ଠାରୁ ଆରମ୍ଭ କରି ଡାଲି ,ଚାଉଳ ,ତେଲ ଆଦି ଗ୍ରୋସରି ସାମଗ୍ରୀର ହଠାତ ଅହେତୁକ ମୂଲ୍ୟବୃଦ୍ଧି ଖାଉଟିଙ୍କୁ ବାଧୁଛି । ସାଧାରଣ ଲୋକଟିଏ ପରିବାର ଚଳାଇବା ଏକ ପ୍ରକାର ଅସମ୍ଭବ ହୋଇପଡିଛି । ଅମଳ କମ ଥିବାରୁ ଦରଦାମ ବୃଦ୍ଧି ହୋଇଥିବା କହିଛନ୍ତି ବ୍ୟବସାୟୀ ।
ସେପଟେ ନାସିକରୁ ଆମଦାନୀ ଅଧିକ ଦରରେ ହେଉଥିବା କାରଣରୁ ପିଆଜ ଦର ଏକପ୍ରକାର ବଢୁଥିବା କହିଛନ୍ତି ବ୍ୟବସାୟୀ ସଂଘ । ଫସଲ ଉତ୍ପାଦନର ପରିମାଣ ହ୍ରାସ ଓ କର୍ପୋରେଟ ସଂସ୍ଥାଙ୍କ ମନମୁଖୀ ଦର ନିୟନ୍ତ୍ରଣ, ଦର ଅସ୍ଥିର ରହିବାର ମୁଖ୍ୟ କାରଣ । ତେବେ ଆଗକୁ ଦର ଆହୁରି ବଢିପାରେ ବୋଲି ଆଶଙ୍କା କରିଛନ୍ତି ବ୍ୟବସାୟୀ ସଂଘ। ମାସେ ପରେ ପରିବା ଦରରେ ଟିକେ ଆଶ୍ବସ୍ତି ମିଳିପାରେ ବୋଲି ମତ ରଖିଛନ୍ତି ସଂଘ ।