ଆଉ ନାହାନ୍ତି ‘ନିଦ ଭରା ରାତି ମଧୁଝରା ଜହ୍ନ…’ର ଗାୟିକା

ଭୁବନେଶ୍ୱର (କେନ୍ୟୁଜ୍‌) : ହୁଏତ ଓଡ଼ିଶାର ନୂଆପିଢ଼ି ତାଙ୍କୁ କେବେ ଦେଖି ନଥିବେ । ଏମିତିକି ପୁରୁଣା ପିଢ଼ିର ସଂଗୀତ ପ୍ରେମୀ ମଧ୍ୟ ତାଙ୍କ ବିଷୟରେ ଏତେ ଜାଣି ନଥିବେ । ହେଲେ ସମସ୍ତେ ତାଙ୍କ ଗୀତ ତ ଶୁଣିଥିବେ ନିଶ୍ଚୟ । ‘ନିଦଭରା ରାତି ମଧୁଝରା ଜହ୍ନ ଫିକା ଫିକା ଏଇ ଯୋଛନା’ ।…ସେଇ ଗାୟିକା ହେଉଛନ୍ତି ନିର୍ମଳା ମିଶ୍ର । ତାଙ୍କର ଦେହାନ୍ତ ହୋଇ ଯାଇଛି । ୮୧ ବର୍ଷ ବୟସରେ ତାଙ୍କର କୋଲକାତା ବାସଭବନରେ ପରଲୋକ ଘଟିଛି । ଗତକାଲି ମଧ୍ୟରାତ୍ରୀରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ଠାରୁ ଜଣାପଡ଼ିଛି ।

ସୂଚନା ଅନୁସାରେ ତାଙ୍କର ମରଶରୀରକୁ କୋଲକାତାର ରବୀନ୍ଦ୍ର ସଦନକୁ ଅଣାଯିବ। ଏଠାରେ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବେ । ନିର୍ମଳା ମିଶ୍ର ଅନେକ ଓଡ଼ିଆ ଏବଂ ବେଙ୍ଗଲି ସିନେମାରେ କଣ୍ଠଦାନ କରିଛନ୍ତି ।

ଷାଠିଏରୁ ସତୁରୀ ଦଶକ ମଧ୍ୟରେ ନିର୍ମଳା ମିଶ୍ର ଅନେକ ଓଡ଼ିଆ ଗୀତ ଗାଇଛନ୍ତି । ତେବେ ପରବର୍ତ୍ତୀ ସମୟରେ ସେ ଓଡ଼ିଆ ସିନେମାରୁ ଦୂରେଇ ଯାଇଥିଲେ । କୋଲକାତାର ଚେତଲା ଅଞ୍ଚଳରେ ରହୁଥିବା ନିର୍ମଳା ମିଶ୍ରଙ୍କର ଗତକାଲି ରାତି ୧୨ଟା ୫ ମିନିଟ୍‌ରେ ହୃଦଘାତ ହୋଇଥିଲା । ତାଙ୍କୁ ତୁରନ୍ତ ଘର ପାଖରେ ଥିବା ଏକ ନର୍ସିଂହୋମକୁ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ନିର୍ମଳା ମିଶ୍ର ୧୯୩୮ ମସିହାରେ ପଶ୍ଚିମବଙ୍ଗ ୨୪ ପ୍ରଗଣା ଜିଲ୍ଲାରେ ଜନ୍ମ ହୋଇଥିଲେ । ତାଙ୍କର ସୁମଧୁର କଣ୍ଠ ଯୋଗୁଁ ତାଙ୍କୁ ଉଭୟ ଓଡ଼ିଆ ଓ ବେଙ୍ଗଲୀ ଚଳଚ୍ଚିତ୍ରରେ ଅନେକ ଗୀତ ଗାଇବାର ସୁଯୋଗ ମିଳିଥିଲା । ଓଡ଼ିଶାରେ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି । ଓଡ଼ିଆ ସଂଗୀତ ଜଗତକୁ ତାଙ୍କର ଅବଦାନ ଯୋଗୁଁ ତାଙ୍କୁ ସଂଗୀତ ସୁଧାକର ବାଳକୃଷ୍ଣ ଦାସ ପୁରସ୍କାର ମିଳିଥିଲା ।
ତାଙ୍କର ମୃତ୍ୟୁରେ ପଶ୍ଚିମବଙ୍ଗ ମୁଖ୍ୟମନନ୍ତ୍ରୀ ମମତା ବାନାର୍ଜୀ ଶେକ ପ୍ରକାଶ କରିଛନ୍ତି ।

 

Leave A Reply

Your email address will not be published.