ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ଦେହାନ୍ତ । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । କିଡନୀ ଜନିତ ସମସ୍ୟା ଯୋଗୁଁ ସେ ଗତ କିଛି ବର୍ଷ ଧରି ଅସୁସ୍ଥ ହୋଇ ଚିକିତ୍ସାଧୀନ ରହିଥିଲେ ।
ତେବେ ରତିକାନ୍ତ ମହାନ୍ତି ଦି ଏସିଆନ୍ ଏଜ୍, ଦିନଲିପି, ସ୍ୱରାଜ୍ୟ ଏବଂ ପର୍ଯ୍ୟବେକ୍ଷକ ଭଳି ଅନେକ ସମ୍ବାଦ ସଂସ୍ଥା ସହିତ କାମ କରିଥିଲେ । ସେ ପ୍ରାୟ ଚାରି ଦଶନ୍ଧି ଧରି ଶାସନ ଏବଂ ରାଜନୀତିର ଖବର ପରିବେଷଣ କରିଥିଲେ । ତାଙ୍କ ପରିବାରରେ ସ୍ତ୍ରୀ ସିପ୍ରା ମହାନ୍ତି ଏବଂ ଦୁଇ ଝିଅ ଅଛନ୍ତି ।
ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ ଏକ୍ସ ରେ ପୋଷ୍ଟ କରି ଲେଖିଛନ୍ତି ଯେ, ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ଦେହାନ୍ତ ଖବର ଶୁଣି ସେ ଦୁଃଖିତ ଓ ମର୍ମାହତ । ରତି ଭାଇ ଭାବରେ ରାଜ୍ୟର ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ସେ ବେଶ୍ ଜଣାଶୁଣା ଥିଲେ । ତାଙ୍କର ଦୀର୍ଘ ସାମ୍ବାଦିକତା ଜୀବନରେ ସଚ୍ଚୋଟତା, ନିରପେକ୍ଷତା ଓ କର୍ତ୍ତବ୍ୟନିଷ୍ଠା ପାଇଁ ସ୍ମରଣୀୟ ରହିବେ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ।
ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ରତି ଭାଇ ଭାବରେ ରାଜ୍ୟର ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ସେ ବେଶ୍ ଜଣାଶୁଣା ଥିଲେ। ତାଙ୍କର ଦୀର୍ଘ ସାମ୍ବାଦିକତା ଜୀବନରେ ସଚ୍ଚୋଟତା, ନିରପେକ୍ଷତା ଓ କର୍ତ୍ତବ୍ୟନିଷ୍ଠା ପାଇଁ ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ…
— Mohan Charan Majhi (@MohanMOdisha) April 19, 2025
ଏହାସହ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହି ଶୋକ ବାର୍ତ୍ତାରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ସ୍ୱର୍ଗତଃ ମହାନ୍ତି ତାଙ୍କର ବୃତ୍ତି ପ୍ରତି ସମ୍ପୂର୍ଣ୍ଣ ଭାବରେ ଉତ୍ସର୍ଗୀତକୃତ ଥିଲେ । ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଦକ୍ଷତା ଓ ନିଷ୍ଠା ଅତୁଳନୀୟ ଥିଲା । ତାଙ୍କର ବିୟୋଗରେ ଆମେ ଜଣେ ଆଦର୍ଶ ସାମ୍ବାଦିକ ଓ ଭଲ ମଣିଷଙ୍କୁ ହରାଇଲୁ । ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ପରଲୋଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି ।