ପୋଲିସ ବାବୁଙ୍କ ଅଫର: ୫ ହଜାର ଟଙ୍କା ଦିଅ, କେସ କ୍ଲୋଜ କରିଦେବି

ଭଦ୍ରକ : ୫ ହଜାର ଟଙ୍କା ଦିଅ । କେସ କ୍ଲୋଜ କରିଦେବି । କୋର୍ଟ କଚେରୀରେ ଆଉ ଚକ୍କର ଲଗାଇବାକୁ ପଡ଼ିବ ନାହିଁ। ଜଣେ ପୋଲିସ ବାବୁଙ୍କ ନାଁରେ ଆସିଛି ଏପରି ଅଭିଯୋଗ । ଅଭିଯୋକାରୀଙ୍କୁ ଧାମନଗର ଥାନାର ASI ଏଲକେ ପଟ୍ଟନାୟକ ୫ ହଜାର ଟଙ୍କା ଲାଞ୍ଚ ମାଗିବାର ଭିଡିଓ ଏବେ ଭାଇରାଲ ହେଉଛି ।

ଅଭିଯୋଗ ଅନୁଯାୟୀ, ଭଦ୍ରକ ଜିଲ୍ଲା ଧାମନଗର ଅନ୍ତର୍ଗତ ବାଘୁଆରୀ ଗାଁର ଭବାନୀ ଦାସ ଓ ପ୍ରଶାନ୍ତ ବେହେରାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏନେଇ ଉଭୟଙ୍କୁ ପକ୍ଷରୁ ଥାନାରେ ଏତଲା ହୋଇଥିଲା । ପରେ ଉଭୟଙ୍କ ଭିତରେ ବୁଝା ମଣା ହୋଇ ସମାଧାନ ପରେ ୩ ତାରିଖରେ ଉଭୟଙ୍କ ଦସ୍ତଖତ ଓ ଟିପ ଚିହ୍ନ ଥିବା ଦରଖାସ୍ତ ଥାନାରେ ଦିଆଯାଇଥିଲା । କେସର ତଦନ୍ତ କରୁଥିବା ଧାମନଗର ଥାନାର ASI ଏଲକେ ପଟ୍ଟନାୟକ ଏହାର ଫାଇଦା ନେବାପାଇଁ ପର ଦିନ ଗ୍ରାମରକ୍ଷୀଙ୍କୁ ସାଥିରେ ନେଇ ବାଘୁଆରୀରେ ପହଂଚିଥିଲେ । ପ୍ରଶାନ୍ତ ବେହେରାଙ୍କୁ ୫ହଜାର ଟଙ୍କା ଦେଲେ ତାଙ୍କ ନାଁରେ କୌଣସି କେସ ହେବ ନାହିଁ କି ତାଙ୍କୁ କୋର୍ଟ କଚେରୀ ଚକ୍କର ଲଗାଇବାକୁ ପଡ଼ିବ ନାହିଁ ବୋଲି ASI ଜଣଙ୍କ କହିଥିଲେ । ଯାହାର ଭିଡିଓ ଏବେ ଭାଇରାଲ ହେଉଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଉଭୟ ପକ୍ଷର ସମାଧାନ ହେଲା ପରେ ASI ଜଣଙ୍କ କାହିଁକି କେଉଁ ଉଦ୍ଦେଶ୍ୟ ରଖି ଗାଁକୁ ଯାଇ ବେଆଇନ ଭାବେ ଟଙ୍କା ମାଗୁଥିଲେ ।