ବନ୍ଧାହେଲେ କୋଟିପତି ଫରେଷ୍ଟ ରେଞ୍ଜର ବିଭୁଦାନନ୍ଦ ମିଶ୍ର, ପୁଳା ପୁଳା ଟଙ୍କା ସାଙ୍ଗକୁ ରଖିଥିଲେ ବନ୍ୟପ୍ରାଣୀ

ଢେଙ୍କାନାଳ : ବନ୍ଧାହେଲେ କୋଟିପତି ଫରେଷ୍ଟ ରେଞ୍ଜ ଅଫିସର । ଢେଙ୍କାନାଳ ଫରେଷ୍ଟ ରେଞ୍ଜ ଅଫିସର ବିଭୁଦାନନ୍ଦ ମିଶ୍ରଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ବିଭୁଦାନନ୍ଦ। ଭୁବନେଶ୍ବରରେ ୧ ଫ୍ଲାଟ, ହାଇଦ୍ରାବାଦରେ ୨ଟି ଫ୍ଲାଟ ଠାବ ହୋଇଛି । ଢେଙ୍କାନାଳ ଓ ଭୁବନେଶ୍ବରରେ ରହିଛି ୮ଟି ପ୍ଲଟ । ଫରେଷ୍ଟ ରେଞ୍ଜ ଅଫିସରଙ୍କ ୧ କୋଟି ଡିପୋଜିଟ୍ ଓ ୫ଲକ୍ଷ ୧୫ ହଜାର ଟଙ୍କା ଠାବ ହୋଇଛି।
ସେହିପରି କଟକ ଆଠଗଡ଼ ରାହାଙ୍ଗୋଳ ସ୍ଥିତ ଫାର୍ମହାଉସରେ ରେଡ କରିଥିଲା ଭିଜିଲାନ୍ସ । ଜଣେ ରେଞ୍ଜର ହୋଇ ନିଜେ ଫାର୍ମ ହାଉସରେ ରଖିଥିଲେ ମୟୂର । ଗୋଟିଏ କି ଦୁଇଟା ନୁହେଁ ବରଂ ନିଜର ଫାର୍ମହାଉସରେ ରଖିଥିଲେ ୪ଟି ମୟୂର, ଶୁଆ, ଠେକୁଆ ଓ ବତକ ଆଜି ଜବତ ହୋଇଛି । ବନ୍ୟପ୍ରାଣୀ ସୁରକ୍ଷା ଅନୁଯାୟୀ ବିଭୁଦାନନ୍ଦ ମିଶ୍ରଙ୍କ ନାଁରେ ମାମଲା ରୁଜୁ ହୋଇଛି।
ଅମାପ ସମ୍ପତ୍ତିର ଅଧିକାରୀ ଥିଲେ ମିଶ୍ରବାବୁ ଓରଫ ବିଭୂଦାନନ୍ଦ ମିଶ୍ର। ଭୁବନେଶ୍ବରରେ ଦାମୀ ଫ୍ଲାଟ୍, ବହୁତଳ କୋଠା ରହିଛି । ହାଇଦ୍ରାବାଦରେ ବି ୨ଟି ଫ୍ଲାଟ୍ ଠାବ କରିଛି ଭିଜିଲାନ୍ସ ଟିମ୍ । ଭୁବନେଶ୍ବର ଓ ଢେଙ୍କାନାଳରେ ୮ଟି ପ୍ଲଟ୍, ଆଠଗଡ଼ରେ ଫାର୍ମ ହାଉସ, ୪ ଲକ୍ଷ ୧୩ ହଜାର ନଗଦ ଟଙ୍କା, ୪୦ ଲକ୍ଷ ବ୍ୟାଙ୍କ ଜମା, ୩୦୦ ଗ୍ରାମର ସୁନାଗହଣା, ଗୋଟିଏ ହୀରା ହାର ଠାବ କରିଛି ତଦନ୍ତକାରୀ ଟିମ୍ । ଟଏଲେଟ୍ ଫ୍ଲସ୍ରେ ଲୁଚାଇ ରଖିଥିଲେ ପୁଳା ପୁଳା ଟଙ୍କା । କଟକ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ଉ କରାଯାଇଥିଲା । ଚଢ଼ଉରେ ୭ ଜଣ ଡିଏସପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୬ ଜଣ ଇନ୍ସପେକ୍ଟର ଓ ଅନ୍ୟ ଅଧିକାରୀମାନେ ସାମିଲ ହୋଇଥିଲେ ।