ଗିରଫ ହେଲେ ବନ୍ୟପ୍ରାଣୀ ଡିଭିଜନର ACF, ଅଚଳାଚଳ ସମ୍ପତ୍ତି ଦେଖି ଭିଜିଲାନ୍ସ ଆଖି ଟେରା

ସମ୍ବଲପୁର: ଗିରଫ ହେଲେ କୋଟିପତି ଏସିଏଫ୍ । ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ACF ରେବତୀ ରମଣ ଯୋଶୀଙ୍କ ଅଚଳାଚଳ ସଂପତ୍ତି ଦେଖି ଭିଜିଲାନ୍ସ ଆଖି ଟେରା । ସମ୍ବଲପୁରରେ ତାଙ୍କର ଏକ ତିନି ମହଲା କୋଠା ସମେତ ୩ଟି ବିଲଡିଂ ରହିଛି । ଅଇଁଠାପାଲିରେ ୯ହଜାର ୭ଶହ ବର୍ଗଫୁଟରେ ଥିବା ତିନି ମହଲା କୋଠାର ଦାମ କୋଟିଏ ୮୦ ଲକ୍ଷ ଟଙ୍କା ହେବ । ସେହିପରି ମଲ୍ଲିପାଲିରେ ଏକ ବ୍ୟାବସାୟିକ କୋଠା ମଧ୍ଯ ଠାବହୋଇଥିଲା ।

ଏସିଏଫ ରେବତୀ ରମଣ ଯୋଶୀଙ୍କର ସମ୍ବଲପୁର ସହରରେ ୩ଟି ଫ୍ଲାଟ ଓ ଭୁବନେଶ୍ବର ଘାଟିକିଆରେ ଏକ ଫ୍ଲାଟ ରହିଛି । ତାଙ୍କର ମୋଟ ୭ଟି ପ୍ଲଟ ଥିବା ଭିଜିଲାନ୍ସ ଚଢ଼ାଉରୁ ଜଣାଯାଇଛି । ସମ୍ବଲପୁର ଓ ବରଗଡରେ ଏସିଏଫ ରେବତୀ ରମଣ ଯୋଶୀଙ୍କର ୯ଟି ଠିକଣାରେ ଏକକାଳୀନ ରେଡ କରାଯାଇଥିଲା । ଘରୁ ଜବତ ହୋଇଛି ନଗଦ ୧୪ ଲକ୍ଷ ୭୧ ହଜାର ଟଙ୍କା , ୧୫୦ ଗ୍ରାମ ସୁନା ଓ ୩ଶହ ଗ୍ରାମ ରୁପା ଅଳଙ୍କାର । ତାଙ୍କର ବୀମା ଓ ଇନସ୍ୟୁରାନସରେ ୩୧ ଲକ୍ଷ ୩୧ ହଜାର ଟଙ୍କା ଜମା ରହିଛି ।

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଏକସଙ୍ଗେ ୯ଟି ଭିଜିଲାନ୍ସ ଟିମ ଚଢ଼ାଉ କରିଥିଲେ । ଏଥିରେ ୩ ଡିଏସପି, ୧୦ ଇନ୍ସପେକ୍ଟର ଓ ଅନ୍ୟ ସହାୟକ କର୍ମଚାରୀ ସାମିଲ ଥିଲେ । ଚଢ଼ାଉ ବେଳେ ଏସିଏଫ ରେବତୀ ଯୋଶୀଙ୍କ ଅମାପ ସଂପତ୍ତି ଦେଖି ଭିଜିଲାନସ ଅଧିକାରୀ ତାଜୁବ ହୋଇଛନ୍ତି । ତେବେ ଏତେ ସଂପତ୍ତି ସେ କିପରି କମାଇଲେ ତାର ସଠିକ ଉତ୍ତର ଦେଇପାରିନାହାନ୍ତି ।