ପୂର୍ବତନ ASP ତ୍ରିନାଥ ମିଶ୍ରଙ୍କୁ ମିଳିଲା ଜାମିନ,୬୦ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ ନ ହେବାରୁ ମିଳିଛି ଜାମିନ

କଟକ(କେନ୍ୟୁଜ୍): ଭିଜିଲାନ୍ସ ଦ୍ବାରା ଗିରଫ ହୋଇ ଜେଲରେ ଥିବା ସିଗ୍ନାଲ ବିଭାଗର ପୂର୍ବତନ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ମିଳିଲା ଜାମିନ। ସର୍ତ୍ତ ମୂଳକ ଜାମିନ ପ୍ରଦାନ କଲେ କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ। ୬୦ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ ନ ହେବାରୁ ମିଳିଛି ଏହି ଜାମିନ। ଫେବୃଆରୀ ୧୬ ରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ ତ୍ରିନାଥ ମିଶ୍ର। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଥିଲା। ପରେ ରାଜ୍ୟ ସରକାର ତାଙ୍କୁ ବାଧ୍ୟତାମୂଳକ ଅଵସର ମଧ୍ୟ ଦେଇଥିଲେ। ପ୍ରମାଣ ନଷ୍ଟ ନ କରିବାକୁ ରହିଛି ସର୍ତ୍ତ। ଜାମିନରେ ଅନ୍ୟାନ୍ୟ ସର୍ତ୍ତ ମଧ୍ୟ ରଖିଛନ୍ତି ଭିଜିଲାନ୍ସ କୋର୍ଟ। ୯ କୋଟି ୫ ଲକ୍ଷ ୨୯ ହଜାର ୭୩ ଟଙ୍କାର ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗ ଥିବାରୁ କଟକ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ପୂର୍ବରୁ ତାଙ୍କର ଜାମିନ ଆବେଦନ ଖାରଜ କରିଥିଲେ।  ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ହୋଇଥିଲା। ତାଙ୍କ ପାଖରୁ କେବଳ ୨ କୋଟି ଟଙ୍କାର ବିଭିନ୍ନ କାର୍ ଜବତ ହୋଇଥିଲା। ସେଥି ମଧ୍ୟରେ ତାଙ୍କର ଏକ ବିଏମଡବ୍ଲ୍ୟୁ ଗାଡ଼ି ଯାହାକୁ ଚିଲିକାର ସ୍ୱସ୍ତି ରିସୋର୍ଟରୁ ଜବତ କରିଥିଲା ଭିଜିଲାନ୍ସ। ଯାହାର ମୂଲ୍ୟ ୧ କୋଟି ୧୧ ଲକ୍ଷ ଟଙ୍କା ହେବ ବୋଲି ସୂଚନା ଦିଆଯାଇଥିଲା।

 ଏହାଛଡ଼ା ତାଙ୍କଠାରୁ ହୁଣ୍ଡାଇ କ୍ରେଟା କାର୍, ମାରୁତି ବାଲେନୋ କାର୍ ଓ ସେଭ୍ରୋଲେଟ୍ ଟ୍ରେଲ ବ୍ଲେଜର କାର୍ ବି ଠାବ ହୋଇଥିଲା। ସେହିପରି ୨୦ ଲକ୍ଷ ଟଙ୍କାର ଏକ ବାଇକ୍ ବି ଜବତ ହୋଇଥିଲା। କେବଳ ଏତିକି ନୁହେଁ, ତାଙ୍କର ଏକ ବୁଲେଟ୍ ବି ଜବତ ହୋଇଥିଲା। ତାଙ୍କ ଘରୁ ନଗଦ ସାଢ଼େ ୩ ଲକ୍ଷ ଟଙ୍କା ଜବତ ହୋଇଥିବାବେଳେ ୨୮ଟି ଆକାଉଣ୍ଟ ଠାବ କରାଯାଇଥିଲା। ନବରଙ୍ଗପୁରର ଡାବୁଗାଁରେ ଥିବା ପୈତୃକ ଘର, କଟକର ମହାନଦୀ ବିହାର ଠାରେ ପୁଅ ତୁଷାର ମିଶ୍ର ଏବଂ ତରୁଣ ମିଶ୍ରଙ୍କ ଡ୍ରଗ୍ ଉତ୍ପାଦନ ୟୁନିଟ୍, କଟକ ତୁଳସୀପୁରରେ ଅବସ୍ଥିତ ତାଙ୍କର ଅଫିସ୍, ସରକାରୀ ମଧୁପାଟଣା ପୁଲିସ୍ ଥାନାରେ ଥିବା କ୍ୟାମ୍ପସରେ କ୍ୱାର୍ଟର୍, ଭୁବନେଶ୍ୱର ରସୁଲଗଡ଼ସ୍ଥିତ ମନୋରମା ଇଷ୍ଟେଟରେ ଥ୍ରି ବିଏଚକେ ଫ୍ଲାଟ, ଯାଜପୁରର ବଡ଼ଚଣାରେ ଥିବା ଶଶୁର ଘର, ଫାର୍ମହାଉସ୍, ମେଡିସିନ୍ ଦୋକାନ ସହିତ ଶାନ୍ତିଲତା କେୟାର ଏବଂ ନର୍ସିଂହୋମ ଓ ଟ୍ରାନ୍ସପୋର୍ଟ ଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.