ଅବକାରୀ ବିଭାଗର ଯୁଗ୍ମ କମିଶନରଙ୍କ ଅମାପ ସମ୍ପତ୍ତି, କେବଳ ଭୁବନେଶ୍ବରରେ ରହିଛି ୫୨ ପ୍ଲଟ

ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଅବକାରୀ ଯୁଗ୍ମ କମିଶନର । ଭୁବନେଶ୍ବର ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ରଙ୍କ ଘରେ ରେଡ୍ ହୋଇଛି । ଚଢ଼ାଉ ବେଳେ ଅବକାରୀ ଯୁଗ୍ମ କମିଶନରଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ତାଜୁବ ହୋଇଯାଇଛି । କେବଳ ଭୁବନେଶ୍ବରରେ ରହିଛି ୫୨ ପ୍ଲଟ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଅବକାରୀ ବିଭାଗର ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ରଙ୍କ ଭୁବନେଶ୍ବର ସମେତ ଏକକାଳୀନ ୧୦ଟି ସ୍ଥାନରେ ହୋଇଛି ରେଡ୍ । ଚଢଉ ବେଳେ ରାମଚନ୍ଦ୍ରଙ୍କ ଅମାପ ସଂପତ୍ତି ଦେଖି ଭିଜିଲାନ୍ସ ଆଖି ଟେରା ହୋଇଯାଇଛି । ଅବକାରୀ ବାବୁଙ୍କର ରହିଛି ୬ଟି ବିଲ୍ଡିଂ, ୫୨ ପ୍ଲଟ। ରାମଚନ୍ଦ୍ର ମିଶ୍ରଙ୍କର ଭୁବନେଶ୍ବରେ ରହିଛି ୩ଟି କୋଠା ।

ସେହିପରି ସମ୍ବଲପୁର, ବଲାଙ୍ଗିର ଓ ବରଗଡରେ ବି ବିଲ୍ଡିଂ ରହିଛି । ସୁବର୍ଣ୍ଣପୁରରେ ୪୭ଟି, ବଲାଙ୍ଗୀରରେ ୩ଟି ଓ ସମ୍ବଲପୁରରେ ୨ଟି ପ୍ଲଟ ରହିଛି। ସୂବର୍ଣ୍ଣପୁରର ତରଭାରେ ଗୋଟିଏ ରାଇସ୍ ମିଲ ଅଛି । ରାମଚନ୍ଦ୍ରଙ୍କୁ ପଚରାଉଚରା ଚାଲିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ବେଳେ ବିପୁଳ ସମ୍ପତ୍ତି ଠାବ ହୋଇଛି । ସ୍କାନରରେ ଅଛନ୍ତି ରାମଚନ୍ଦ୍ର ମିଶ୍ରଙ୍କ ସମ୍ପର୍କୀୟ।

କେବଳ ପ୍ଲଟ୍ କି ଫ୍ଲାଟ୍ ନୁହେଁ ଘରୁ ବିଡ଼ା ବିଡ଼ା ଟଙ୍କା ସାଙ୍ଗକୁ ୨୩୦ ଗ୍ରାମ ସୁନା ଓ ୩୧୭ ଗ୍ରାମ ରୁପା ଅଳଙ୍କାର ରହିଛି। ୨୨ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ରହିଛି । ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଆକଳନ କରି ଅନେକ ତଥ୍ୟ ପାଇଛି ଭିଜିଲାନ୍ସ। ଏଯାବତ ଠାବ ହୋଇଥିବା ସମ୍ପତ୍ତିର ମୂଲ୍ୟ ୨ କୋଟି ଟଙ୍କାରୁ ଅଧିକ ହେବ । ରାମଚନ୍ଦ୍ର ମିଶ୍ର ଅବକାରୀ ବିଭାଗର ସବ୍ଇନ୍ସପେକ୍ଟର ପଦବୀରେ କାର୍ଯ୍ୟଆରମ୍ଭ କରିଥିଲେ। ଆଉ ପ୍ରମୋସନା ପାଇ ଏବେ ସେ ଜଏଣ୍ଟ କମିଶନର। ହେଲେ ବାବୁ କହୁଛନ୍ତି ସେ କିଛି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିନାହାନ୍ତି । ଚଢ଼ାଉ ଜାରି ରହିଥିବାରୁ ଏହି ସମ୍ପତ୍ତି ତାଲିକା ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି। ଚଢ଼ାଉରେ ଭିଜିଲାନ୍ସର ୧୦ ଡିଏସପିଙ୍କ ସମେତ ୧୫ ଜଣ ଇନ୍ସିପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି।  ମୋବାଇଲ, ଲାପଟପ୍ ଓ ଅନ୍ୟ ଡିଜିଟାଲ ପ୍ରମାଣ ଯାଞ୍ଚ କରୁଛନ୍ତି ସାଇବର ଏକ୍ସପର୍ଟ ଟିମ୍ ।