ଆମ ସଂସ୍କୃତିରେ ରହିଛି ଅନେକ ପର୍ବପର୍ବାଣୀ । ଏହି ପର୍ବ ପର୍ବାଣୀ ମଧ୍ୟରୁ ଇନ୍ଦ୍ର ଉତ୍ସବ ଅନ୍ୟତମ । ବାର ମାସରେ ତେର ପୂଜା ହୋଇଥାଏ । ଆଉ ଖୁବ କମ ଲୋକ ହିଁ ଇନ୍ଦ୍ରଙ୍କ ପୂଜା କରନ୍ତି । ତେବେ ଇନ୍ଦ୍ର ବା ଇନ୍ଦ୍ରଦେବ ହେଉଛନ୍ତି ବର୍ଷାର ଦେବତା । ହିନ୍ଦୁ ଧର୍ମରେ ସମସ୍ତ ଦେବଦେବୀଙ୍କ ରାଜା ବା ଦେବରାଜ ରୂପେ ସେ ପୂଜିତ । ବର୍ଷାର ଅଧିପତି ଦେବତା ଭାବେ ଇନ୍ଦ୍ର ସର୍ବମାନ୍ୟ । କୃଷିପ୍ରଧାନ ଭାରତବର୍ଷରେ ବର୍ଷାର ଦେବତା ଇନ୍ଦ୍ରଙ୍କୁ ପ୍ରାଧାନ୍ୟ ଦେଇ ବହୁ ପ୍ରାଚୀନ କାଳରୁ ଇନ୍ଦ୍ରଦେବଙ୍କ ପୂଜା ଅନୁଷ୍ଠିତ ହୋଇଆସୁଅଛି । ତେବେ କେବଳ ସାରା ଭାରତବର୍ଷ ନୁହେଁ ପୃଥିବୀର ଅନେକ ସ୍ଥାନରେ ମଧ୍ୟ ଇନ୍ଦ୍ରପୂଜାର ପ୍ରସିଦ୍ଧି ରହିଛି । ଧରାପୃଷ୍ଠରେ ଇନ୍ଦ୍ରଦେବ ବର୍ଷାର ଦେବତା ଭାବେ ପୂଜା ପାଆନ୍ତି ।
ତେବେ ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ଖଣ୍ଡାମ ଗାଁରେ ଭାଦ୍ରବ ପୂର୍ଣ୍ଣିମା ଉପଲକ୍ଷେ ଇନ୍ଦ୍ର ଉତ୍ସବ ରାମାୟଣ ଆଦ୍ୟକାଣ୍ଡ ପଠନ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ପୁରୋହିତ ସଙ୍କୀର୍ତ୍ତନ ଶାସନୀ ଯୋଗ ଦେଇଥିଲେ ଏବଂ କର୍ତ୍ତା ଭାବରେ ଗାଁର ଗୌନ୍ତିଆ ଅଖିଳେନ୍ଦ୍ର ଶାସନୀ ଦାୟିତ୍ବ ନିର୍ବାହ କରିଥିଲେ । ଗାଁ ମନ୍ଦିର ପ୍ରାଙ୍ଗଣରେ କଳସ ପୂଜନ ତଥା ସଂକଳ୍ପ ପୂର୍ବକ ରାମାୟଣ ଆଦ୍ୟକାଣ୍ଡ ପଠନ କରାଯାଇଥିଲା । ଗାଁର ପ୍ରତ୍ୟେକ ପରିବାରରୁ ଜଣେ ଜଣେ ସଦସ୍ୟ ଗାଁ ପର୍ବତକୁ ଯାଇ ସେଠାରେ ରୁଷ୍ୟଶୃଙ୍ଗ ମୁନିଙ୍କୁ ପୂଜାର୍ଚ୍ଚନା କରି ଆବାହନ କରି ଗାଁକୁ ଆଣିଥିଲେ । ମନ୍ଦିର ପ୍ରାଙ୍ଗଣରେ କୀର୍ତ୍ତନ ଭଜନରେ ଗାଁ ପରିବେଶ ଉତ୍ସବ ମୁଖର ହେଇଥିଲା । ଏହି ପବିତ୍ର ଉତ୍ସବ ଉପଲକ୍ଷେ ଜାତି ବର୍ଣ୍ଣ ନିର୍ବିଶେଷରେ ପ୍ରତ୍ୟେକ ଗ୍ରାମବାସୀ ପ୍ରସାଦ ସେବନ କରିଥିଲେ । ଏଥିରେ ପ୍ରମୁଖ ଭାବେ ଗାଁ ପରିଚାଳନା କମିଟିର ସମସ୍ତ ସଦସ୍ୟ ଏବଂ ଗ୍ରାମବାସୀ ଗଣ ପ୍ରମୁଖ ସହଯୋଗ କରିଥିଲେ ।
ଅନାବୃଷ୍ଟି ଓ ରୋଗପୋକ ଦାଉରୁ ଫସଲ ରକ୍ଷା ସହ ଅଧିକ ବର୍ଷା ହେବା ସହିତ ଗ୍ରାମବାସୀଙ୍କ ମଙ୍ଗଳ ନିମିତ୍ତ ଏହି ପୂଜା କରାଯାଏ । ଗାଁ ଲୋକଙ୍କ କହିବା ଅନୁସାରେ ଇନ୍ଦ୍ରଙ୍କୁ ପୂଜା କଲେ ଠିକ ସମୟରେ ବର୍ଷା ହୁଏ, ମରୁଡ଼ି ଆଶଙ୍କା ଦୂର ହୁଏ । ଏହାକୁ ନେଇ ଇନ୍ଦ୍ରଙ୍କୁ ପ୍ରସନ୍ନ କରିବା ହେତୁ ଏହି ପୂଜା ଧୂମଧାମରେ ଅନୁଷ୍ଠିତ ହୋଇଥାଏ ।