ଜଳ ପାଇଁ ଦେଖା ଦେଇଛି ଉତ୍କଟ ପରିସ୍ଥିତି, ପାଣି ପାଇଁ ଯିବାକୁ ପଡୁଛି ଏକ କିଲୋମିଟର ଦୂର ବାଟ

ମାଡି ଆସିଲାଣି ଖରା ଆଉ କୂଅ ଗାଡିଆରୁ ଶୁଖିଗଲାଣି ପାଣି । ଖରାଦିନ ଆରମ୍ଭ ନହେଉଣୁ ଅନେକ ସ୍ଥାନରେ ଉତ୍କଟ ରୂପ ନେଲାଣି ଜଳ ସଙ୍କଟ ।  ବସତି ସ୍ଥାପନର ଦୀର୍ଘ ବର୍ଷ ପରେ ମଧ୍ୟ ଦୂର ହେଉନାହିଁ  ଜଳ କଷ୍ଟ । ଚୁଆ ଓ କୂଅ ଭରସାରେ ଗାଁ ଲୋକେ । ଏଭଳି ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧୀନ ତୋହରା ପଞ୍ଚାୟତର ଯୋଗୀଡଙ୍ଗରି ଗାଁରେ।

ଉମରକୋଟ ବ୍ଲକ ତୋହରା ପଞ୍ଚାୟତର ଯୋଗୀଡଙ୍ଗରିରେ ପ୍ରାୟ ୨୦୦ ପରିବାର ରୁହନ୍ତି । ୨୦୦୦ରୁ ଅଧିକ ଲୋକ ଗୋଟିଏ ନଳକୂପ ଉପରେ ଭରସା କରୁଛନ୍ତି । ସେଥିରୁ ମଧ୍ୟ ପାଣି ଅଳ୍ପ ବାହାରୁଛି ଏବଂ ଗୋଳିଆ ପାଣି ବାହାରୁଛି । ତେଣୁ ଗାଁ ଠାରୁ ଏକ କିଲୋମିଟର ଦୂରରେ ଥିବା ଏକ ମାଟିରେ ନିର୍ମିତ କୂଅ ଉପରେ ଭରସା କରୁଛନ୍ତି ଗ୍ରାମବାସୀ । ୧୯୮୦ ମସିହାରୁ ଏହି ଗାଁରେ ବସତି ସ୍ଥାପନ ହୋଇଥିଲା । କୂଅ ପାଣିରେ ଗାଧୋଇବା ସହ ପିଇବା ପାଇଁ ମଧ୍ୟ ସେହି କୂଅ ପାଣି ବ୍ୟବହାର କରୁଛନ୍ତି ଲୋକେ । ଖରା ଦିନ ଆସିଲେ ପାଣି ପାଇଁ ଡହଳ ବିକଳ ହେଉଥିଲେ ମଧ୍ୟ ଏମାନଙ୍କ ଦୁଃଖ କେହି ବୁଝୁ ନାହାଁନ୍ତି ।

ଘଟଣାକୁ ନେଇ ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ଜଣାଇଥିଲେ ମଧ୍ୟ ସ୍ଥିତି ଏବେ ବି ସମାନ । ସରକାରଙ୍କ ପକ୍ଷରୁ ବସୁଧା ଯୋଜନାରେ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଟ୍ୟାଙ୍କ ତିଆରି କରିଛନ୍ତି କିନ୍ତୁ ଏକ ବର୍ଷ ହେଲା ଉକ୍ତ ପ୍ରକଳ୍ପରୁ ଟୋପେ ପାଣି ପାଇ ନାହାନ୍ତି ଗାଁ ଲୋକେ । ସେହି ପ୍ରକଳ୍ପ ଏବେ ଅଚଳ ଅବସ୍ଥାରେ ପଡ଼ିରହିଛି । ଖାଲି ପ୍ରଦର୍ଶନ କରିବା ପାଇଁ ଟ୍ୟାଙ୍କ ତିଆରି କରାଯାଇଛି ବୋଲି କହିଛନ୍ତି ଗ୍ରାମବାସୀ । ସରକାରଙ୍କ କୌଣସି ଯୋଜନା ଏମାନଙ୍କ କାମରେ ଆସୁନାହିଁ ।

ଉମରକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଘଟଣାକୁ ନେଇ କହିଛନ୍ତି ତଦନ୍ତ କରାଯିବ ଯଦି ସମସ୍ୟା ରହିଥାଏ ତାହେଲେ ପ୍ରଶାସନ ପକ୍ଷରୁ ଜଳ ଯୋଗାଣ ବ୍ୟବସ୍ଥା କରାଯିବ ଏବଂ ଆଗାମୀ ଦିନରେ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଚେଷ୍ଟା କରାଯିବ ବୋଲି କହିଛନ୍ତି । ଖରା ଦିନ ଆରମ୍ଭରୁ ଏଭଳି ଅବସ୍ଥା ଦେଖାଗଲାଣି ଆଗକୁ ଅବସ୍ଥା ନିଶ୍ଚିତ ଭାବେ ଅସମ୍ଭାଳ ହେବ । ତେଣୁ ବିଭାଗ ତରଫରୁ ଏହା ଉପରେ ଦୃଷ୍ଟି ଦେବା ନିହାତି ଆବଶ୍ୟକ ହୋଇ ପଡିଛି ।

Also Read: ବିପଦରେ ବଧିଆମୁଣ୍ଡା ଗ୍ରାମବାସୀ : ମାତ୍ରାଧିକ ଫ୍ଲୋରାଇଡ ଯୁକ୍ତ ପାଣି ଏମାନଙ୍କ ଚିନ୍ତା ବଢାଇଛି