ଗଞ୍ଜାମ : ଗ୍ରାମାଞ୍ଚଳ ପାଇଁ ଋଷିକୂଲ୍ୟା ନଦୀରୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିରେ ଅଞ୍ଚଳବାସୀ ଖୁସି ପ୍ରକାଶ କରିଛନ୍ତି । ଏଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ସରକାରଙ୍କ ବସୁଧା ଯୋଜନାରେ ରାଜ୍ୟର ପୁରୀ ଓ ଗଞ୍ଜାମ ଜିଲ୍ଲାର ୫ଟି ବ୍ଲକରେ ଥିବା ୩୦୫ ଗାଁ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ । ସେଭିତରୁ ଗଞ୍ଜାମ ବ୍ଲକର ୫୫ଟି ଗାଁର ୫୩ ହଜାର ଲୋକ ଉପକୃତ ହେବେ । ଏହି ପ୍ରକଳ୍ପକୁ ୨୪ ମାସ ଭିତରେ ସାରିବା ପାଇଁ ଲକ୍ଷ୍ୟ ଧାର୍ୟ୍ୟ ହୋଇଛି । ଏନେଇ ଗଞ୍ଜାମର ଶତ୍ରୁସୋଲ ଗାଁରେ ଏକ କୃତଜ୍ଞତା ସଭାର ଆୟୋଜନ କରାଯାଇଥିଲା । ଏଥିରେ ଛତ୍ରପୁର ବିଧାୟକ ପ୍ରିୟାଂଶୁ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁବାସ ବେହେରାଙ୍କ ସମେତ ସରପଞ୍ଚ, ସମିତିସଭ୍ୟ ଓ ଗାଁ ଲୋକ ଉପସ୍ଥିତ ଥିଲେ ।