ଜଗତସିଂହପୁର : ସ୍ଵାଧୀନତାର ୭୮ ବର୍ଷ ପରେ ମଧ୍ୟ ଗାଁ କୁ ନାହିଁ ରାସ୍ତା । କାଦୁଅ ପାଣି ଚକଡ଼ି ଗାଁ ବାହାରକୁ ଆସୁଛନ୍ତି ଲୋକେ । ନେତା ଓ ପ୍ରଶାସନିକ ଅଧିକାରୀଙ୍କ ପ୍ରତିଶୃତି ଏଠି ହୋଇଛି ପାଣିର ଗାର । ଶେଷରେ ବାଧ୍ୟ ହୋଇ ଲୋକମାନେ ଏହାକୁ ବିରୋଧକରି ରାସ୍ତାରେ ରୋଇଛନ୍ତି ତଳି । ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀ ବାଲିକୁଦା ବ୍ଲକ ତଣ୍ଡିକୁଳ ପଞ୍ଚାୟତର ଶଙ୍କରସାହି ଗ୍ରାମରେ ।
ଏହି ରାସ୍ତା ତଣ୍ଡିକୁଳ ପଞ୍ଚାୟତ ଓ ବାହାରଣା ପଞ୍ଚାୟତର ୨୦୦ ପରିବାରର ଗମନାଗମନର ମୁଖ୍ୟରାସ୍ତା । ତିହୁଡ଼ି ,ଶଙ୍କରସାହି ,ସିରେଇଲ , ରୋଙ୍ଗଲ,ବାଲିପାଟଣା ଆଦି ଗ୍ରାମର ଲୋକମାନେ ଏହି ରାସ୍ତା ଦେଇ ଯାତାୟତ କରନ୍ତି । ଏପଟେ ପ୍ରାୟ ସତୁରୀ ଭାଗ ଚାଷୀ ପରିବାର ଏହି ରାସ୍ତା ଉପରେ ନିର୍ଭର କରନ୍ତି । ବର୍ଷା ଅସରାଏ ହେଲେ ବାହାରକୁ ବାହାରିବା ଲୋକମାନଙ୍କ ପାଇଁ ସ୍ୱପ୍ନ ପାଲଟିଯାଏ । ଛୋଟ ପିଲାମାନେ ଅଙ୍ଗନବାଡ଼ି ,ସ୍କୁଲ ଯାଇ ପାରନ୍ତି ନାହିଁ । ରୋଗୀଟିଏ ମଧ୍ୟ ବାହାରକୁ ବାହାରି ପାରେନାହିଁ ଟିକେ ମେଡିକାଲ୍ ଯିବା ପାଇଁ ।
ଶଙ୍କରସାହି ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡ଼କ ଯୋଜନା ରାସ୍ତାଠାରୁ ଜନତାକୋଠି ଗ୍ରାମ୍ୟସଡ଼କ ଯୋଜନା ରାସ୍ତା ପର୍ଯ୍ୟନ୍ତ ଯୋଡି ହୋଇଥିବା ଏହି ରାସ୍ତାଟି ଅତି ଦୟନୀୟ ଅବସ୍ଥାରେ ରହିଛି । ୨୦୧୨ ମସିହାରେ ଏହି ରାସ୍ତାରେ କିଛି ମାଟିକାମ ଓ ୨୦୧୪ ମସିହାରେ ବାହାରର ସାଂସଦଙ୍କ ପାଣ୍ଠିରୁ କିଛି ମୋହରମ ପଡିଥିଲା । ଏହି ବାବଦରେ ସ୍ଥାନୀୟ ଲୋକମାନେ ରାଜନେତା, ଜିଲ୍ଲା ପ୍ରଶାସନ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ । ପିଲା ମାନଙ୍କ ପାଠପଢ଼ା, ରୋଗୀ ମାନଙ୍କ ସମସ୍ୟା, ଗମନା ଗମନ ଅସୁବିଧା ଦେଇ ଗତି କରୁଛନ୍ତି ଲୋକ ମାନେ ।
ତେବେ ଏହାକୁ ନେଇ ସ୍ଥାନୀୟଲୋକେ ଉତ୍ୟକ୍ତ ହୋଇ ରାସ୍ତାରେ ଧାନ ତଳି ରୋଇ ପ୍ରତିବାଦ କରିଛନ୍ତି । ଯଦି ଆଗାମୀ ଦିନରେ ପଞ୍ଚାୟତ ପ୍ରଶାସନଠାରୁ ଆରମ୍ଭ କରି ରାଜ୍ୟ ପ୍ରସାସନ ପର୍ଯ୍ୟନ୍ତ ଯଦି କେହି ଦୃଷ୍ଟି ନଦିଅନ୍ତି, ତେବେ ଆଗାମୀ ଦିନରେ ଜନ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ତେଣୁ ଏହି ଦୀର୍ଘଦିନର ସମସ୍ୟାର ସମାଧାନ ପାଇଁ ପ୍ରଶାସନ ଦୃଷ୍ଟି ଦେବ ବୋଲି ଆମେ ଆଶା ରଖିବା ।