କଳାବାଘ ଆତଙ୍କରେ ଭୟଭୀତ ଗ୍ରାମବାସୀ, ସବୁଜାଣି ମଧ୍ୟ ବନ ବିଭାଗ ଚୁପ

ବାଙ୍ଗିରିପୋଷି: ଗଛ ତଳେ ଲୁଚି ରହି ଛକିଛି । ଆଉ ସୁଯୋଗ ଦେଖିଲେ ଗାଁର ଗୃହପାଳିତ ପଶୁଗୁଡ଼ିକୁ ଝାମ୍ପି ନେଉଛି । କଳାବାଘର ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି । ମୟୁରଭଞ୍ଜ ଜିଲ୍ଲା  ବାଙ୍ଗିରିପୋଷି ବ୍ଲକ ଅଞ୍ଚଳରେ ପୁଣି ଦେଖିବାକୁ ମିଳିଛି କଳା ବାଘ ଆତଙ୍କ । କଳାବାଘ ଭୟରେ ଗାଁରୁ ବାହାରିବାକୁ ଭୟ କଲେଣି ଲୋକେ । ରାତି କଣ ଦିନରେ ବି ଲୋକଙ୍କ ତାଟି କବାଟ ପଡ଼ି ଯାଉଛି । ଛୋଟ ଛୋଟ ପିଲାଙ୍କୁ କାଳେ କଳାବାଘ ଟାଣି ନେବ ସେହି ଭୟରେ ଗାଁ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି ।

ଶିମିଳିପାଳ ପାଦ ଦେଶରେ ଥିବା ପିଠାବଟା ନର୍ଥ ୱାଇଲ୍ଡ ଲାଇଫ ରେଞ୍ଜ ଅଧୀନ ଚାକିଡ଼ି ଓ ସୋରିଷପାଳ ଗ୍ରାମ ପଞ୍ଚାୟତର ଜାମତଳିଆ, ଖଡିଘାଟି, କୁସୁମତୋଟା, ବାରିବେଡା, ଫୁଲଝରଣ, ଜାରକାଣି, ବସିଲାକଚା, ବାଉଁଶ ପାହାଡି, ଚିଲିକି, ନେଦାମ ପ୍ରମୁଖ ଗାଁ ଗୁଡିକ ନିକଟରୁ ଗୃହ ପାଳିତ ପଶୁ ମାନଙ୍କୁ ଶିକାର କରିନେଉଛି କଳାବାଘ । ଏନେଇ ଅଞ୍ଚଳର ଗ୍ରାମବାସୀମାନେ ଅଭିଯୋଗ କରି ଆସୁଛନ୍ତି । ପୂର୍ବରୁ ପାଦ ଚିହ୍ନ ଦେଖି ତାହା କଲରା ପତରିଆ ବାଘ ବୋଲି ବନ ବିଭାଗ କହିଥିଲା ।  ଏବେ କଳାବାଘଟି ଲୋକଙ୍କ ଅତି ନିକଟତର ପହଞ୍ଚିଥିବା ବେଳେ ଗ୍ରାମବାସୀ ବାଘର ଭିଡିଓ କରିଛନ୍ତି । ସ୍ପଷ୍ଟ ଦିବାଲୋକରେ ରାସ୍ତା କଡରେ ବାଘଟି ଶିକାର ପାଇଁ ଛପି ରହିଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି । ଅନ୍ୟପଟେ ବାଘ ଟି ଏବେ ଗାଁ ମୁହାଁ ହୋଇଥିବାରୁ ଗ୍ରାମବାସୀ ଭୟରେ ଅଛନ୍ତି ।

ସୂଚନା ଥାଉ କି ଗତ ଫେବୃଆରୀ ୯ ତାରିଖ ସୋରିଷପାଳ ପଞ୍ଚାୟତ ଅନ୍ତର୍ଗତ ନେଦାମ ନିକଟସ୍ଥ ଜଙ୍ଗଲରେ ଜିତୁ ମାରାଣ୍ଡିଙ୍କ ଏକ ବଳଦକୁ ବାଘ ମାରି ଦେଇଥିବା ବେଳେ ଦୁର୍ଗା ହାଁସଦାଙ୍କ ଏକ ମଇଁଷି ଓ ଘୁଷୁରିକୁ ଦରମରା କରି ଦେଇଥିଲା । ସେହିପରି ବାରିବେଡ଼ା ଗାଁର ଲାଛୁରାମ ମୁର୍ମୁ, କୁଶାଳ ମୁର୍ମୁ, ଦୁଲାରାମ ମୁର୍ମୁ ନିକଟସ୍ଥ ଜଙ୍ଗଲକୁ ଗୋରୁ ଚରାଇବା ପାଇଁ ଯାଇଥିବା ବେଳେ ସେଥି ମଧ୍ୟରୁ ନିଖୋଜ ଥିବା ୩ଟି ଗୋରୁଙ୍କ କ୍ଷତାକ୍ତ ମୃତଦେହ ଜଙ୍ଗଲରୁ ଗ୍ରାମବାସୀ ମାନେ ଉଦ୍ଧାର କରିଥିଲେ । ଖବର ପାଇ ପିଠାବଟା ଉତ୍ତର ରେଞ୍ଜ ର ବଡ଼ଗାଁ ରେଞ୍ଜ ଅଧିକାରୀ ମନୋରଞ୍ଜନ ନାଏକ , ଫରେଷ୍ଟର ସଂଜୟ କୁମାର ସେଠୀ ଓ ଅନ୍ୟ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବାଘ ପାଦ ଚିହ୍ନକୁ ଦେଖି ତଦନ୍ତ କରିଥିଲେ । ତେବେ ବନ ବିଭାଗ ପାଦ ଚିହ୍ନରୁ ଏହା ଏକ କଲରା ପତରିଆ ବାଘ କହୁଥିବା ବେଳେ ଭିଡିଓରୁ ଏହା କଳାବାଘ ବୋଲି ଜଣାପଡ଼ିଛି  । ସବୁଜାଣି ମଧ୍ୟ ବନ ବିଭାଗ ଚୁପ ହୋଇ ବସି ରହୁଥିବା ଯୋଗୁ ଗ୍ରାମବାସୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ଏନେଇ ବନ ବିଭାଗ ତରଫରୁ କୌଣସି ସ୍ପଷ୍ଟ ଉତ୍ତର ମିଳିପାରିନାହିଁ।

Also Read: ଶିମିଳିପାଳରୁ କଳାବାଘ ଛାଲ ଜବତ: ୪ ଗିରଫ,ମାଷ୍ଟରମାଇଣ୍ଡ ଫେରାର