ଭାଙ୍ଗି ରୁଜି ଗଲାଣି ଷ୍ଟାଣ୍ଡ ପୋଷ୍ଟ, ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗାଁ ଲୋକେ

ଚାନ୍ଦବାଲି : ନଳକୂପରୁ ବାହାରୁଛି ଲବଣ ଯୁକ୍ତ ସହ ହଳଦିଆ ପାଣି । ଘର ଆଗରେ ମେଘା କମ୍ପାନୀ ବସାଇଛି ଷ୍ଟାଣ୍ଡ ପୋଷ୍ଟ, କିନ୍ତୁ ସେଥିରେ ପାଣି ଆସୁନି । ତେଣୁ ପାଣି ପାଇଁ ବହୁ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି ତିହିଡି ବ୍ଲକ ପୀରହାଟ ଦୌଲତପୁର ପଞ୍ଚାୟତର ଅର୍ଜୁନବିନ୍ଧା ଓ ଚନ୍ଦ୍ରକାଟ ବିନ୍ଧା ଗାଁ ଲୋକେ । ମେଘା କମ୍ପାନୀ ବସାଇଥିବା ଷ୍ଟାଣ୍ଡ ପୋଷ୍ଟଗୁଡ଼ିକ ଭାଙ୍ଗି ରୁଜି ଗଲାଣି । ହେଲେ ଲୋକଙ୍କୁ ପାଣି ମିଳୁନି ।

ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି ଏହି ଦୁଇ ଗ୍ରାମବାସୀ । ଭୂତଳ ଜଳ ସ୍ତର କମିବା ସାଙ୍ଗକୁ ଏହି ଦୁଇ ଗାଁରେ ଥିବା ନଳକୂପରୁ ବାହାରୁଛି ଲୁଣା ପାଣି । ଯାହାକି ପିଇବା ଅନୁପଯୋଗୀ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ବସୁଧା ଯୋଜନାରେ ମେଘା କମ୍ପାନୀ ନିର୍ମାଣ କରୁଥିବା ପ୍ରକଳ୍ପରୁ ମଧ୍ୟ ଲୋକମାନେ ଉପକୃତ ହୋଇପାରୁନାହାନ୍ତି ।  ତେଣୁ ପାଣି ସମସ୍ୟା ଖରା ଦିନରେ ବଢ଼ିବାରେ ଲାଗିଛି ।

କେବେ ବସୁଧା ଯୋଜନାରେ ମେଘା ପାଣି ଲୋକମାନେ ପାଇବେ ତାହା ଏବେ  ବଡ଼ ପ୍ରଶ୍ନବାଚୀ । ସବୁଠୁ ଗୁରୁତପୂର୍ଣ କଥା ହେଲା ଦୀର୍ଘ ବର୍ଷ ହେଲାଣି ହେଲେ ଷ୍ଟାଣ୍ଡ ପୋଷ୍ଟରୁ ବାହାରୁନି ପାଣି । ଆଠ ଗୋଟି ୱାର୍ଡ ସାଙ୍ଗକୁ ଦୁଇ ହଜାରରୁ ଉର୍ଦ୍ଧ ଲୋକ ବସବାସ କରୁଥିବା ଏହି ଦୁଇଟି ଗାଁରେ ସବୁ ୱାର୍ଡକୁ ପଞ୍ଚାୟତ ତରଫରୁ ମଧ୍ୟ ପାଇପ ପାଣି ସଂଯୋଗ କରାଯାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପିଏମ୍ ଶ୍ରୀ ବିଦ୍ୟାଳୟ ସାଙ୍ଗକୁ ୫ ଗୋଟି ଅଙ୍ଗନବାଡ଼ି କେନ୍ଦ୍ର ସେହି ଗାଁରେ ଅବସ୍ଥିତି ଥିଲେ ବି ପାନୀୟ ଜଳ କଷ୍ଟ ନ କହିବା ଭଲ। ତେଣୁ ଯଥା ଶୀଘ୍ର ଏହି ଦୁଇଟି ଗାଁରେ ଥିବା ନଳକୂପକୁ ସଫା କରିବା ସହ ମେଘା ପାଇପ ପାଣି ମିଳିବାର ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଅନ୍ୟପଟେ ଜିଲ୍ଲାପାଳ କହିଛନ୍ତି ବାରମ୍ବାର ରିଭ୍ୟୁ ହେଉଛି, ଅନେକ ଗାଁରେ ମେଘା ପାଣି ମିଳିଲାଣି, ଫେଜ ଅନୁଯାଇ ସବୁଠାରେ ପାଣି ମିଳିବ । ତୁରନ୍ତ ଜିଲ୍ଲାପାଳ ଘଟଣାରେ ହସ୍ତକ୍ଷେପ କରି ଗାଁମାନଙ୍କରେ ଥିବା ନଳକୂପକୁ ସଫା କରିବା ସହ ମେଘା ପାଇପ ଦ୍ବାରା ପାଣି କିପରି ମିଳିବ ତାର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।

Also Read:ଅଧାପନ୍ତରିଆ ମୁକ୍ତା ଯୋଜନା, ପାଣିରେ ପଡିଲା କୋଟି କୋଟି ଟଙ୍କା