ଅନାବିଳ ପ୍ରେମ ଆଗରେ ହାର ମାନିଲା ଅହମିକା, ବୁଲା କୁକୁର ଅନ୍ତ୍ୟେଷ୍ଟିରେ ଯୋଗ ଦେଲେ ଗ୍ରାମବାସୀ

ଭଦ୍ରକ(କେନ୍ୟୁଜ୍):  ଗୋଟିଏ ପଶୁ ପ୍ରତି ମଣିଷର କିପରି ଅନାବିଳ ସ୍ନେହ ପ୍ରେମ ଓ ଭଲ ପାଇବା ରହିଥିଲା ଏବଂ ସେହି ପଶୁଟିର ମୃତ୍ୟୁ ପରେ କିପରି ଲୋକ ମାନେ ମଣିଷ ପରି ତାର ଶୁଦ୍ଧି କ୍ରିୟା କର୍ମ କରି ମାନବୀୟତା ଦେଖାଇଛନ୍ତି ତାର ଏକ ଉଦାହରଣ ଆଜି ଦେଖିବାକୁ ମିଳିଛି ଭଦ୍ରକ ସହରସ୍ଥିତ ଚରମ୍ପା ବଜାର ଅଞ୍ଚଳରେ ।  ଏହି ବଜାରରେ ଗତ ୨୦୦୬ ମସିହାରେ ଗୋଟିଏ କୁକୁର ସଡ଼କ ଦୁର୍ଘଟଣାରେ  ଗୋଟିଏ କୁକୁର ସହ ତାର ଦୁଇ ଛୁଆ ପ୍ରାଣ ହରାଇଥିଲେ। କିନ୍ତୁ ଗୋଟିଏ  ଛୁଆ ସୌଭାଗ୍ୟ କ୍ରମେ ବଞ୍ଚିଯିବା ପରେ ସେହି ଛୁଆ କୁକୁରଟି ଚରମ୍ପା ବଜାର ଅଞ୍ଚଳର ଗୋଟିଏ ଦୋକାନରେ ଆସି ଆଶ୍ରୟ ନେଇଥିଲା।

 ପରେ ସେଠାକାର ଦୋକାନୀ ମାନେ ସେହି କୁକୁରଟିକୁ ଆଦରି ନେଇ ତାର ନାମ ଦେଇଥିଲେ ଚମ୍ପି। ତେବେ ସେହି ଦିନ ଠାରୁ ଚମ୍ପି ମଧ୍ୟ ସେମାନଙ୍କୁ ଆଦରି ନେବା ସହିତ ମଣିଷ ସଭ୍ୟତା ଭିତରେ ରହିବାକୁ ପସନ୍ଦ କଲା।  ଏପରିକି ଅନ୍ୟ କୁକୁର ମାନଙ୍କ ସହିତ ମିଶିଲା ନାହିଁ।  ତେଣୁ ସ୍ଥାନୀୟ ଦୋକାନୀ ଓ ଲୋକ ମାନଙ୍କର ସ୍ନେହ ଶ୍ରଦ୍ଧା ଓ ଭଲ ପାଇବା ମଧ୍ୟ ଚମ୍ପି ପ୍ରତି ବଢିଲା। ଦୋକାନୀ ମାନେ ନିଜ ଝିଅ ପରି ତାକୁ ପାଳି ପୋଷି ବଡ଼ କରିଥିଲେ। ତେବେ ସେହି ଚମ୍ପିର ହଠାତ ଗଣେଶ ପୂଜା ଦିନ ମୃତ୍ୟୁ ହୋଇଗଲା ।  ଚମ୍ପିର ମ୍‌ତ୍ୟୁରେ ମିୟମାଣ ହୋଇଗଲେ ଦୋକନୀ ମାଲିକ ମାନେ।

ଚମ୍ପିକୁ ଝିଅ ଭଳି ଆଦର କରୁଥିବାରୁ ସ୍ଥାନୀୟ ଦୋକାନୀ ମାନେ ମନସ୍ଥ କରିଥିଲେ ଯେ ଚମ୍ପିର କ୍ରିୟା କର୍ମ କରିବେ ।ତେଣୁ ଯଥା ରୀତିନୀତି ଅନୁଯାଇ ଚମ୍ପିର ଶବ ସତ୍କାର କରାଯାଇଛି । ସାଧାରଣ ଲୋକଙ୍କ ଭଳି କ୍ରିୟା ସହ ମାଲ ଆଟିକା ମଧ୍ୟ ଯାଇଛି । ଆଉ ଆଜି ଏକଦଶାହ ଭୋଜିରେ ବ୍ରାହ୍ମଣ ଭୋଜନ ସହ ପଡୋଶୀଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା ମଧ୍ୟ ହୋଇଛି । ଦୋକାନୀ ମାନେ କର୍ମ ଅନୁଯାୟୀ ନଣ୍ଡା ହୋଇଛନ୍ତି ଓ ଶୁଦ୍ଧି ମଧ୍ୟ ହୋଇଛନ୍ତି। ତେବେ ଏକାଦସାହ ପାଇଁ ଆଜି ଚଳଚଞ୍ଚଳ ହୋଇଛି ଚରମ୍ପା ଛକ ।

ଲୋକ ଆସି ଚମ୍ପିର ଫୋଟୋରେ ପୁଷ୍ପ ଦେଇ ଚମ୍ପିର ଆତ୍ମାର ସଦଗତି କାମନା କରିଛନ୍ତି । ଦୋକାନୀମାନେ ମିଳିତ ହୋଇ ଦଶାହ ଭୋଜିରେ ବ୍ରାହ୍ମଣ ଭୋଜନ ଶହ ପଡୋଶୀଙ୍କୁ ମଧ୍ୟ ଖାଦ୍ୟ ଦେଇଛନ୍ତି ।  ଏଭଳି ଏକ ନିଆରା କାର୍ଯ୍ୟକ୍ରମ ଏବେ ଜିଲ୍ଲାରେ ବେଶ ଚର୍ଚ୍ଚାର ବିଷୟ ପାଲଟିବା ସହିତ ମାନବୀୟ ମୂଲ୍ୟବୋଧ ଉଦାହାରଣ ଦେଖାଇଛନ୍ତି ଦୋକାନୀମାନେ ।