ଶୁଣିଲାନି ପ୍ରଶାସନ, ନିଜ ପାଇଁ ନିଜେ ରାସ୍ତା ତିଆରି କରି ଉଦାହରଣ ପାଲଟିଲେ ଦୁବୁଲାବେଡା ବାସିନ୍ଦା

ରାଇରଙ୍ଗପୁର: ଖଣ୍ଡିଏ ରାସ୍ତା ପାଇଁ ପ୍ରଶାସନକୁ ବାରମ୍ବାର ଗୁହାରୀ କରି କରି ଥକି ଯାଇଥିଲେ ଏହି ଗାଁ ଲୋକେ । ଶେଷରେ ପ୍ରଶାସନ ଉପରୁ ଭରଷା ତୁଟିଗଲା । ଆଉ ନିଜ ପାଇଁ ନିଜେ ରାସ୍ତା ତିଆରି କରିବାକୁ ଅଣ୍ଟା ଭିଡିଲେ। ମୟୁରଭଂଜ ଜିଲ୍ଲା ବହଳଦା ବ୍ଲକ ଦୁବୁଲାବେଡା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ଯ ।

ଆଦିବାସୀ ଅଧ୍ଯୁଷିତ ପାହାଡ଼ ବଣ ଘେରା ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକର ଦୁବୁଲାବେଡା ଗାଁ । ଆଜି ଭି ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଏଠାକାର ଲୋକେ। ଗ୍ରାମକୁ ଭଲ ରାସ୍ତା ଖଣ୍ଡିଏ ନାହିଁ। ମାଟି ରାସ୍ତାରେ ରହିଛି ବିରାଟ ବିରାଟ ଖାଲ ଖମା । ଅସରାଏ ବର୍ଷା ହେଲେ ଆଣ୍ଠୁଏ ପାଣି ଜମା ହେଉଥିବା ବେଳେ ବର୍ଷ ତମାମ କାଦୁଅ ପଚ ପଚ। ପ୍ରତିଦିନ ହଜାର ହଜାର ଲୋକ ଯାତାୟତ କରୁଥିଲେ ମଧ୍ୟ ଭଲ ରାସ୍ତା ନ ଥିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏଠାକାର ଲୋକେ। ରାସ୍ତାରେ ବଡ଼ ବଡ଼ ଖାଲ ଯୋଗୁ ଆମ୍ବୁଲାନ୍ସ ମଧ୍ୟ ଗାଁକୁ ପହଞ୍ଚି ପାରେ ନାହିଁ !

ସେଥିପାଇଁ ରୋଗୀଙ୍କୁ ହଳଦୀବଣୀ ଗ୍ରାମ ଡ୍ଯାମ ଛକ ପର୍ଯ୍ଯନ୍ତ ଦୁଇ କିଲୋମିଟର ଖଟିଆରେ ବୋହିବାକୁ ପଡେ । ବର୍ଷା ଦିନରେ ସାଇକେଲ ଓ ମୋଟରସାଇକେଲ ମଧ୍ୟ ଚଳାଚଳ ବନ୍ଦ ରହେ । ସ୍କୁଲକୁ ଯିବାକୁ ହେଲେ ଶିକ୍ଷକମାନଙ୍କୁ ଦୁଇ କିଲୋମିଟର ପୂର୍ବରୁ ଗାଡି ରଖି ଚାଲିଚାଲି ସ୍କୁଲକୁ ଯିବାକୁ ପଡିଥାଏ । ଛାତ୍ରଛାତ୍ରୀ ମାନେ ମଧ୍ୟ ବିଲ ହୀଡ଼ ରାସ୍ତା ଦେଇ ସ୍କୁଲ ଯାଇଥାନ୍ତି । ରାସ୍ତା ଖଣ୍ଡିଏ ପାଇଁ ପଞ୍ଚାୟତ ଠୁ ଆରମ୍ଭ କରି ବ୍ଲକ କାର୍ଯ୍ଯାଳୟ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଯାଇଥିଲେ ଗାଁ ଲୋକେ । ଯେତେ ଗୁହାରୀ କଲେ ମଧ୍ୟ କେବଳ ମିଳୁଥିଲା ପ୍ରତିଶ୍ରୁତି । ଶେଷରେ ଗାଁ ର ଉନ୍ନତି ପାଇଁ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ । ଆଉ ହାତକୁ ହାତ ମିଳାଇ ମରାମତି କଲେ ଗାଁ ରାସ୍ତା । ଜେସିବି ଲଗାଇ ଟ୍ରାକ୍ଟରରେ ମୋରାମ ଓ ମାଟି ଆଣି ନିଜେ ଶ୍ରମଦାନ କରି ଗାଁ ପାଇଁ ରାସ୍ତା ତିଆରି କରି ଉଦାହରଣ ସୃଷ୍ଟି କରିଛନ୍ତି ଗାଁ ଲୋକେ।

ତେବେ ଏହି ରାସ୍ତା ତିଆରି କରିବା ପାଇଁ ପ୍ରତେକଙ୍କ ଘରୁ ୧୫୦୦ ଶହ ଟଙ୍କା ଲେଖାଏଁ ଚାନ୍ଦା ଉଠାଇ ଟ୍ରାକ୍ଟର ଓ ଜେସିବି ଲଗାଇ ନିଜେ ଶ୍ରମ ଦାନ କରି ଦୁଇ ଦିନରେ ସମ୍ପୂର୍ଣ୍ଣ କରି ଦେଖେଇଛନ୍ତି ଗାଁ ଲୋକେ। ଏକତା ହିଁ ବଳ କାହାକୁ କୁହାଯାଏ , ତାହା କାମରେ କରି ଦେଖାଇଛନ୍ତି । ରାସ୍ତା ମରାମତି ପରେ ଏବେ ଗାଁକୁ ଚାରି ଚକିଆ ଯାନ ଆସି ପାରୁଛି। ତେବେ ଏହି ମାଟି ରାସ୍ତା ବାରମ୍ବାର ଖରାପ ହେଉଥିବା ବେଳେ ସରକାରଙ୍କ ତରଫରୁ ଏକ କଂକ୍ରିଟ ରାସ୍ତା ନିର୍ମାଣ ନେଇ ଦାବି କରିଛନ୍ତି ଗ୍ରାମବାସୀ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.