ବଂଶପାଳ: ନଦୀରେ ନାହିଁ ପୋଲ । ବର୍ଷର ଅଧା ମାସ ଜଳବନ୍ଦୀ ହୋଇ ଜୀବନ ବିତାଉ ଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଏ ନଦୀକୁ ପାର କରନ୍ତି ଲୋକେ । ଏପରିକି ଛାତ୍ରଛାତ୍ରୀମାନେ ଭରା ନଈରେ ଜୀବନକୁ ବାଜି ଲଗାଇ ଦଉଡ଼ି ସାହାଯ୍ୟରେ ଯାତାୟାତ କରୁଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମାଳ ମାଳ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରୁନି।
ବଞ୍ଚିବା ପାଇଁ ବର୍ଷ ତମାମ ସଂଘର୍ଷ କରୁଛନ୍ତି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କାଦକଳା ପଞ୍ଚାୟତର ହଲଡିହି ଗାଁ ଲୋକେ । ତଳ କାଦକଳା ପଞ୍ଚାୟତ ଠାରୁ ୩ କିମି ଦୂରରେ ଅବସ୍ଥିତ ଏହି ହଳଡିହି ସାହି ଗାଁ ରେ ୩୫ ଟି ପରିବାର ବସବାସ କରନ୍ତି । ଗାଁ ରେ ପିଇବା ପାଣିର ସମସ୍ୟା କେଉଁ କାଳରୁ ଲାଗି ରହିଛି । ନଳକୂପ ନଥିବାରୁ ଚୁଆରୁ ପାଣି ପିଉଥିବା ବେଳେ ଜରୁରୀ ସମୟରେ ଆମ୍ବୁଲାନ୍ସ ମଧ୍ୟ ଗାଁକୁ ଆସି ପାରେ ନାହିଁ। ଫଳରେ ଲୋକେ ଗୁଣି ଗାରେଡ଼ିର ସାହାରା ନେଇଥାନ୍ତି । ୩ କିମି ଦୂରରେ ଥିବା କାଦକଳା ଉଚ୍ଚ ବିଦ୍ୟାଳୟକୁ ଏଇ ଉଚଳା ମାଲଦା ନଈରେ ବିପଦ ପୂର୍ଣ୍ଣ ଭାବେ ଦଉଡ଼ି ଧରି ଛାତ୍ରଛାତ୍ରୀମାନେ ପାର ହୋଇଥାନ୍ତି । ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇ ଗାଁ ଲୋକେ ନଈ ପାର ହେଉଛନ୍ତି । ଗାଁ ର ଅର୍ଦ୍ଧାଧିକ ଶିଶୁ ଅଧା ରୁ ପାଠ ଛାଡ଼ିଦେଇଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି । ତେବେ ପ୍ରଶାସନ ନିକଟରେ ଗ୍ରାମବାସୀ ବାରମ୍ବାର ଗୁହାରୀ କରୁଥିଲେ ହେଁ ଏ ଦିଗରେ ସ୍ଥାୟୀ ସମାଧାନ ପାଇଁ କୌଣସି ପଦକ୍ଷେପ ନେଉନଥିବାରୁ ସଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି ।
ଉଛୁଳା ନଈରେ ସାମାନ୍ୟ ଦଉଡ଼ି ଧରି ପାର ହେବା ନିହାତି ଭାବେ ବିପଜ୍ଜନକ । କିନ୍ତୁ ଏମାନେ ନିରୁପାୟ ହୋଇ ଦଉଡ଼ିକୁ ସାହାର କରିଛନ୍ତି । ଯଦି ଏମାନଙ୍କ ପାଇଁ ନଈରେ ପୋଲଟିଏ ହୋଇପାରନ୍ତା ଏମାନଙ୍କ ଦୁଃଖ ଦୂର ହୁଅନ୍ତା । ଦେଖାଯାଉ ଏ ଲୋକଙ୍କ ଦୁର୍ଦ୍ଦଶା କେବେ ଦୂର ହେଉଛି ।