ବୌଦ୍ଧ: ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ସୁଧୁରୁନି ଗାଁର ଅବସ୍ଥା । ରାସ୍ତା ପାଲଟିଛି ମରଣଯନ୍ତା । ନାଳ ଓ କାଦୁଅ ପଚ ପଚ ରାସ୍ତା ଯୋଗୁଁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଯାତାୟତ କରୁଛନ୍ତି ସାତ ଖଣ୍ଡ ଗାଁ ଲୋକେ । ଅନେକ ବର୍ଷ ଧରି ନାଳରେ ଆଣ୍ଠୁଏ ପାଣିରେ ଯିବା ଆସିବା କରୁଛନ୍ତି ଅଞ୍ଚଳବାସୀ। ବର୍ଷା ଅଧିକ ହେଲେ ୭ ଖଣ୍ଡ ଗାଁ ଲୋକେ ଜଳବନ୍ଦୀ ଅବସ୍ଥାରେ ରହନ୍ତି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଲମ୍ବସରୀ ପଞ୍ଚାୟତର ଦେମୁହାଁଣି ଗାଁ ନାଳ ସାଜିଛି ପ୍ରତିବନ୍ଧକ ।
ଖମାରଠାରୁ ଡେମୁହାଣିକୁ ସଂଯୋଗ କରୁଥିବା ଦୀର୍ଘ ଦଶ କିଲୋମିଟର ରାସ୍ତାର ଅବସ୍ଥା ଏମିତି l ଏହି ରାସ୍ତା ଉପରେ ସାତ ଖଣ୍ଡ ଗାଁ ଲୋକେ ନିର୍ଭର କରନ୍ତି । ଏହି ରାସ୍ତା ଉପରେ ଖମାର,ଦେମୁହାଣୀ, ଢେଣ୍ଡୋକୁଟି,ଅରଖପଦର, ପୋଢ଼ମୁଣ୍ଡା, ବାଲିଚ୍ଛାପର, ଲବରକାନୀ ଆଦି ପ୍ରାୟ ସାତ ଖଣ୍ଡ ଗାଁ ଲୋକ ଯିବା ଆସିବା କରିଥାନ୍ତି । ହେଲେ ଏହି ଦେମୁହାଣି ନାଳ ଲୋକଙ୍କ ପାଇଁ ବର୍ଷା ଦିନେ ବାଧକ ସାଜିଥାଏ । ପଞ୍ଚାୟତକୁ ଯିବା ପାଇଁ ଏହା ହିଁ ଏକମାତ୍ର ରାସ୍ତା । ଫଳରେ ସ୍କୁଲ ଛାତ୍ରଛାତ୍ରୀମାନେ ପ୍ରତିଦିନ ଯିବାଆସିବା କରନ୍ତି । ଟିକେ ଅଧିକ ବର୍ଷା ହେଲେ ନାଳରେ ଯାଇ ହୁଏ ନାହିଁ । ଅନେକ ସମୟରେ ଗୋଡ଼ ଖସିଯିବା ସହ ସ୍କୁଲ ପିଲାଙ୍କ ବହିପତ୍ର ଭିଜିଯାଏ । ସେହିପରି ଗାଁକୁ ଆମ୍ବୁଲାନ୍ସ ମଧ୍ୟ ଆସିପାରେ ନାହିଁ । ଫଳରେ ଅନେକ ସମୟରେ ରୋଗୀ ମୃତ୍ୟୁମୁଖରେ ପଡିଥାନ୍ତି l ପଞ୍ଚାୟତକୁ ଭତା ହେଉ କି ଚାଉଳ ହେଉ ବୁଢ଼ାବୁଢ଼ୀଙ୍କ ଠାରୁ ଆରମ୍ଭ କରି ସମସ୍ତେ ଏହି ନାଳ ଦେଇ ଯାଆନ୍ତି ।
କେବଳ ଏହି ନାଳ ନୁହେଁ ଆହୁରି ତିନିଗୋଟି ନାଳ ସହ ଯାଇଥିବା ରାସ୍ତାଟି ଅତ୍ୟନ୍ତ କାଦୁଅ ସହ ଖାଲଖମାରେ ଭର୍ତ୍ତି ହୋଇଛି । ଗାଡ଼ି ମଟର ତ ଦୂରର କଥା ଖାଲି ପାଦରେ ଚାଲି ଯିବା ମଧ୍ୟ କଷ୍ଟକର ହୋଇପଡେ । ଦୀର୍ଘ ବର୍ଷ ହେବ ଗାଁ ଲୋକେ ସବୁବେଳେ ଏହି ରାସ୍ତା ପାଇଁ ସଂଘର୍ଷ କରୁଛନ୍ତି । ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ସୁଦ୍ଧା ସେମାନଙ୍କୁ ଅଣଦେଖା କରୁଥିବା ଗ୍ରାମବାସୀ କହିଛନ୍ତି । ତେବେ ଏ ସମ୍ପର୍କରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳଙ୍କୁ ପଚାରିବାରୁ ବିଡିଓଙ୍କୁ ପଠେଇ ତଦନ୍ତ କରିବେ ଓ ଏହି ରାସ୍ତା ନିର୍ମାଣ କରିବା ପାଇଁ ପଦକ୍ଷେପ ନେବେ ବୋଲି କହିଛନ୍ତି ।
ଲୋକଙ୍କ ଯାତାୟତକୁ ଦୃଷ୍ଟିରେ ରଖି ଖୁବ ଶୀଘ୍ର ରାସ୍ତା ସହ ଏହି ନାଳରେ ଏକ ପୋଲ ନିର୍ମାଣ କରାଗଲେ ଲୋକ ମାନେ ସୁବିଧାରେ ଯାଇ ପାରନ୍ତେ l ତେବେ ଏ ରାସ୍ତା ଉପରେ କେବେ ପ୍ରଶାସନର ଶୁଭ ଦୃଷ୍ଟି ପଡୁଛି ତାହା ଦେଖିବାକୁ ବାକି ରହିଲା ।