ଶିଶୁ, ଗର୍ଭବତୀ ମହିଳା ଓ କିଶୋର ବାଳିକାମାନଙ୍କୁ ଦିଆଯାଉଛି ନିମ୍ନ ମାନର ଛତୁଆ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି
ଚାନ୍ଦବାଲି: ଛତୁଆରେ ସାଲୁବାଲୁ ହେଉଛନ୍ତି ପୋକ । ମଣିଷ ଖାଇବା ତ ଦୂରର କଥା, ଛତୁଆକୁ ଗାଇ ଗୋରୁଙ୍କୁ ଦେବାକୁ ବି ଡର ଲାଗୁଛି । ଏଭଳି ନିମ୍ନମାନର ଛତୁଆ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ଶିଶୁ , ଗର୍ଭବତୀ ମହିଳା ଓ କିଶୋର ବାଳିକାମାନଙ୍କୁ ଦିଆଯାଉଥିବା ଅଭିଯୋଗ ହୋଇଛି । ଏନେଇ ଚାନ୍ଦବାଲି ଏନ.ଏ.ସି ଚାରି ନମ୍ୱର ଓ୍ଵାର୍ଡର ପାଂଚ ପଡାର କିଛି ମହିଳାମାନେ ଚାନ୍ଦବାଲି ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ମହିଳାମାନଙ୍କ ଅଭିଯୋଗ ଅନୁସାରେ ମହିଳା ଓ ଶିଶୁ ବିଭାଗର ଅଧିକାରୀଙ୍କୁ ବାରମ୍ୱାର ଏ ନିମ୍ନମାନର ଛତୁଆ ବଣ୍ଟନ କରାଯାଉଥିବା ବାବଦରେ ପୂର୍ବରୁ ଅବଗତ କରାଯାଇଥିଲେ ବି କିଛି ପଦକ୍ଷେପ ନିଆଯାଇନି । ତେବେ ମହିଳାମାନେ ଉକ୍ତ ଛତୁଆ ଚଲାଇବା ପରେ ଛତୁଆରୁ ଖଦୁଡି ବାହାରିବା ସହ ପୋକ ବାହାରୁଥିବାର ଦେଖିବାକୁ ମିଳିଛି । ନିମ୍ନମାନର ଛତୁଆ ପ୍ୟାକେଟକୁ ଧରି ଅଭିଯୋଗକାରୀମାନେ ଚାନ୍ଦବାଲି ବ୍ଲକରେ ପହଁଚି ଚାନ୍ଦବାଲି ବିଡିଓଙ୍କୁ ଦେଖାଇବା ସହ ବଣ୍ଟନ ଦାୟିତ୍ୱରେ ଥିବା ସ୍ୱୟଂ ସହାୟିକା ଗୋଷ୍ଠୀ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଅନ୍ୟପଟେ ବିଡିଓ କହିଛନ୍ତି ଏଭଳି ଘଟଣାକୁ ନେଇ ତଦନ୍ତ ହେବ ।