ଦୀର୍ଘ ୨୫ ବର୍ଷ ହେବ ବିଦ୍ୟୁତ୍ ଦେଖିନାହାନ୍ତି ଗାଁ ଲୋକେ

ବରଗଡ଼ : ଭବିଷ୍ୟତକୁ ଉଜ୍ଜଳ କରିବାକୁ ଏଠି ଆଲୁଅର ଅଭାବ….ମହମ ବତୀ ଏଠି ଅନ୍ଧାକାରର ସାହାରା… ଟର୍ଚ୍ଚ ଲାଇଟର ଆଲୁଅରେ ଭାଗ୍ୟକୁ ଅଣ୍ଡାଳୁ ଅଣ୍ଡାଳୁ କେବେ ପ୍ରତିଶ୍‌ରୁତି ଖଣ୍ଡେ ମିଳେ । ସକାଳ ହେଲେ ଏଠି ଜୀବନ ଆରମ୍ଭ ହୁଏ । ତଥାପି ଏହାରି ଭିତରେ ଭବିଷ୍ୟତ ତିଆରି ହେବାକୁ … ମୋବାଇଲ ଟର୍ଚ୍ଚରେ ଭବିଷ୍ୟତ ସଜାଡ଼ିବାର କସରତ୍ । ଏ ହେଉଛି ବରଗଡ଼ ବ୍ଲକ ଲେଉନିପଦର ଗାଁର ଚିତ୍ର… ୨୦ ରୁ ୨୫ ବର୍ଷ ହେଲା ଏଠିକି ପହଞ୍ଚିପାରିନି ବିଜୁଳି । ପାଖ ଗାଁରୁ ମୋବାଇଲ ଚାର୍ଜ କରି ଆଣିଲେ ରାତିର ଅନ୍ଧାର ଦୂର ହୁଏ । ନଚେତ ସାହାରା ବନେ ଖଣ୍ଡେ ମହମବତୀ, ଲଣ୍ଠନ କିମ୍ବା ଡିବିରି(ଡିବା) ।

ବରଗଡ଼ ସହର ଠାରୁ ମାତ୍ର ୧୦ କିମି ଦୂରରେ ଥ‌ିବା ଗୋଏସର ପଞ୍ଚାୟତ ଲେଉନିପଦର ଗାଁର ବଜାର ପଡ଼ାକୁ ନେତା ଭୋଟ ନେବା ପାଇଁ ଆସନ୍ତି ଏବଂ ପ୍ରତିଶ୍ରୁତି ଦେଇ ଯାଆନ୍ତି । ନିର୍ବାଚନ ସରିଲେ ସରିଲା ପ୍ରତିଶ୍ରୁତି । ଗାଁର ଅନ୍ଧାର କାହା ପାଖକୁ ଯାଏନି । ରାତିରେ ମୋବାଇଲରେ ଚାର୍ଜ ଥିଲେ ପାଠ ପଢ଼ନ୍ତି ନଚେତ ବହି ବସ୍ତାନି ବାନ୍ଧି ଶୋଇପଡ଼ନ୍ତି ।

ମୋବାଇଲ୍ ଲାଇଟରେ ଖାଦ୍ୟ ରାନ୍ଧୁ ରାନ୍ଧୁ ଭାଗ୍ୟକୁ କୋଷି ହେଉଥ‌ିବା ଏହି ମହିଳାଙ୍କ ଦୁଃଖ ପଚାରିଲେ ସେ କହିବେ ରାତିର ରଙ୍ଗ କେମିତି .. କହିବେ ଜୀବନ ଘନ ଅନ୍ଧକାର, ଆକାଶରେ ବାସ ଜହ୍ନଟିଏ ଯାହା ଆଲୁଅ ଦିଏ । ବାସ୍ତବରେ ବିକଶିତ ଓଡ଼ିଶା ଓ ଭାରତର ସ୍ୱପ୍ନ ଦେଖୁଥ‌ିବା ସରକାର ଓ ପ୍ରଶାସନ କେମିତି ଭୁଲିଯାଇଛନ୍ତି ଏହି ଅନ୍ଧାରୀ ଗାଁକୁ । ଯେମିତି ଆଜି ମଧ୍ୟ ଏହି ଗାଁ ମୌଳିକ ସୁବିଧାରୁ ବଞ୍ଚିତ ତାହା ସବୁଠାରୁ ବଡ଼ ପ୍ରଶ୍ନ । ଅନ୍ୟପଟେ ଲେଉନିପଦର ଗ୍ରାମବାସୀଙ୍କ ସମସ୍ୟା ବିଷୟରେ ଅବଗତ ଅଛୁ ବିଦ୍ୟୁତ ବିଭାଗକୁ କହିଛୁ ଯାହା ବ୍ୟବସ୍ଥା ହେବ କରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ କହିଛନ୍ତି ।

Also read:ମାଓଗଡ଼ରୁ ହେଲିକପ୍ଟର ଯୋଗେ ଫେରିଲା ଇଭିଏମ