ସ୍ୱାମୀ ମିଳିଲେନି ତ ସ୍ତ୍ରୀଙ୍କୁ ଉଠାଇ ଆଣି ବାନ୍ଧି ରଖିଲେ ଗାଁ ଲୋକେ

କଟକ  : ସ୍ୱାମୀକୁ ନପାଇ ସ୍ତ୍ରୀକୁ ବାନ୍ଧିଲେ ଗାଁ ଲୋକେ । ଦେଖନ୍ତୁ ମହିଳା ଜଣଙ୍କ କେମିତି ଖୁଣ୍ଟରେ ବନ୍ଧା ହୋଇଛନ୍ତି । ଆଉ ଏପଟେ ରୁଣ୍ଡ ହୋଇଛନ୍ତି ଗାଁ ଲୋକେ । ମହିଳାଙ୍କୁ ବାନ୍ଧିଥିବା ଆଉ ଜଣେ ମହିଳାଙ୍କ ଗୋଟିଏ ଜିଦ୍‌ ସେ ଆସାମୀ ଆସୁ ତାପରେ ଯାଇ ମୁଁ ତା ସ୍ତ୍ରୀକୁ ଛାଡିବି । ନହେଲେ ଇଏ ସେମିତି ବନ୍ଧା ହୋଇଥିବ ।

ସ୍ୱାମୀ ମିଳିଲେନି ତ ସ୍ତ୍ରୀଙ୍କୁ ଉଠାଇ ଆଣିଲେ । ବାନ୍ଧି ରଖିଲେ ଘଣ୍ଟା ଘଣ୍ଟା ଧରି । ସ୍ୱାମୀ କରିଲେ ଭୁଲ୍‌ ସ୍ତ୍ରୀ ପାଇଲେ ଶାସ୍ତି । ସ୍ୱାମୀ ନ ମିଳିବାରୁ ସ୍ତ୍ରୀଙ୍କୁ ଆଣି ଇଲେକଟ୍ରିକ ଖୁଣ୍ଟରେ ବାନ୍ଧିଦେଲେ ଗାଁଲୋକେ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର ଥାନା କୋକଳବା ଗାଁରେ ।

କହିରଖିବାକୁ ଚାହିଁବୁ ଯେ ଗାଁର ଅଲେଖ ରଣା ନାମକ ଜଣେ ବ୍ୟକ୍ତି ମଦ ନିଶାରେ ରାଜେନ୍ଦ୍ର ନାୟକଙ୍କୁ ଗାଡିରେ ଧକ୍କା ମାରିଥିଲେ । ଯାହାକୁ ନେଇ ଆରମ୍ଭ ହୋଇଥିଲା ସବୁ କାଣ୍ଡ । ସୂଚନା ମୁତାବକ ୩ ଦିନ ତଳେ କୋକଳବା ଗାଁର ରାଜେନ୍ଦ୍ର ନାୟକ ଓ କିଛି ସାଙ୍ଗ ବାହାରେ ବସିଥିବାବେଳେ ସେହି ଗାଁର ଅଲେଖ ରଣା ରାଜେନ୍ଦ୍ର ନାୟକଙ୍କୁ ଆସି ଧକ୍କା ଦେଇ ପଳାଇ ଯାଇଥିଲା ଯାହାଫଳରେ ରାଜେନ୍ଦ୍ର ନାୟକଙ୍କ ପରିବାର ଅଲେଖ ରଣାଙ୍କ ଘରକୁ ଯାଇଥିଲେ । କିନ୍ତୁ ଏଥିରେ ଉତ୍‌କ୍ଷିପ୍ତ ହେଇଗଲେ ଅଲେଖ ରଣା । ଯାହାପରେ ଏକ ମାରଣାସ୍ତ୍ର ଆଣି ମୋଟ ୩ ଜଣଙ୍କୁ ଆକ୍ରମଣ କରିଥିଲା ।

ସେମାନଙ୍କ ମଧ୍ୟରୁ ପିଣ୍ଟୁ ନାୟକ ଗୁରୁତର ହୋଇ କଟକରେ ଚିକିତ୍ସିତ ହେଉଛନ୍ତି । ଏବଂ ଅନ୍ୟ ଦୁଇଜଣ ଭଲ ହୋଇ ଘରକୁ ଫେରିଛନ୍ତି । ହେଲେ ଏହାକୁ ନେଇ ରାଜେନ୍ଦ୍ରଙ୍କ ପରିବାର ତରଫରୁ ନରସିଂହପୁର ଥାନାରେ ଏତଲା ଦେଆଯାଇଥିଲେ ବି ପୋଲିସ କିଛି ନକରିବାରୁ ଆଇନକୁ ହାତକୁ ନେଇଛନ୍ତି ଗାଁ ଲୋକେ । ଅଲେଖ ରଣାଙ୍କୁ ଖୋଜି ଖୋଜି ନ ପାଇବାରୁ ତାଙ୍କ ସ୍ତ୍ରୀକୁ ଖୁଣ୍ଟରେ ବାନ୍ଧି ଦେଇଛନ୍ତି । ଯାହା ପରର ସ୍ଥିତି ଆଜ୍ଞା ଆପଣଙ୍କ ସାମ୍ନାରେ ।

ଘଟଣା ସମ୍ପର୍କରେ ଖବର ପାଇଥିଲା ପୋଲିସ । ଗାଁରେ ପୋଲିସ ପହଞ୍ଚି ଉକ୍ତ ମହିଳାଙ୍କୁ ଉଦ୍ଧାର କରିଥିବା ଜଣାପଡିଛି ।

 

You might also like