ଠାକୁରଙ୍କ ଜମିରୁ ମାଟି ଲୁଟ୍, ଗ୍ରାମବାସୀ ଆଣିଲେ ଅଭିଯୋଗ

ପିପିଲି: ରାତି ଅଧ ହେଉ କି ଦିନ ଦ୍ଵିପ୍ରହର । ବାଲି ମୋରମ ଠାରୁ ଆରମ୍ଭ କରି ମାଟି ପର୍ଯ୍ୟନ୍ତ ବେଧଡ଼କ ଭାବରେ ଚୋରା ଚାଲାଣ କରାଯାଉଛି । ଯେଉଁମାନେ ଏଭଳି କାର୍ଯ୍ୟ କରୁଛନ୍ତି ସେମାନଙ୍କ ମନରେ ଟିକିଏ ହେଲେ ଭୟ ନାହିଁ । ସରକାରୀ ଜମିରୁ ମାଟି ତାଡ଼ିବା ପରେ ଏବେ ଠାକୁରଙ୍କ ଜିମକୁ ମଧ୍ୟ ଛାଡ଼ୁନାହାନ୍ତି । ପୁରୀ ଜିଲ୍ଲା ପିପିଲି ଜଗନ୍ନାଥପୁର ପଞ୍ଚାୟତ ଦେଉଳି ଗ୍ରାମରୁ ଆସିଛି ଏଭଳି ଏକ ଅଭିଯୋଗ । ଗ୍ରାମର ଆରାଧ୍ୟ ଠାକୁର ନିଳକଣ୍ଠେଶ୍ଵର ଦେବ ଏବଂ ଗୋପୀନାଥ ଦେବ । ଠାକୁରଙ୍କ ରହିଛି ଅନେକ ଜମି ।

ଯେଉଁମାନେ ଠାକୁରଙ୍କ ନିତ୍ୟସେବା ଯୋଗାଇବେ ସେମାନେ ଉକ୍ତ ଜିମର ମାର୍ଫତଦାର ରହିବା ସହିତ ଜମିକୁ ଭୋଗ ଦଖଲ କରିବେ କିନ୍ତୁ କେହି ବି ଏହାକୁ ବିକ୍ରି କରିପାରିବେ ନାହିଁ କି ଏହି ଜମିରୁ ମାଟି ବିକ୍ରି କରି ପାରିବେ ନାହିଁ । ତେବେ ଠାକୁର ନିଳକଣ୍ଠେଶ୍ଵର ଦେବ ଏବଂ ଗୋପୀନାଥ ଦେବ ମନ୍ଦିର ନିକଟରେ ରହୁଥିବା ଭୀମସେନ ନାୟକ ମାର୍ଫତଦାରରେ ରହିଥିବା ୨୮ ଡ଼ିସମିଲ ଜିମରୁ ଜେସିବି ଏବଂ ଟ୍ରାକ୍ଟର ସାହାଯ୍ୟରେ ମାଟି ଖୋଳାଯାଇ ବିଭିିନ୍ନ ସ୍ଥାନରେ ବିକ୍ରି କରାଯାଇଥିବା ଗ୍ରାମବାସୀ ବିଭିନ୍ନ ଫୋରମରେ ଅଭିଯୋଗ କରିଛନ୍ତି ।

ତେବେ ମନ୍ଦିରର ଭଲ ପୋଖରୀ ନଥିବାରୁ ଏଠାରେ ପୋଖରୀ ଖୋଳାଯାଇଛି । ଯେଉଁ ମାଟି ଖୋଳାଯାଇଛି ତାହା ବନ୍ଧ କରାଯାଇଛି । ଅନ୍ୟ ମାଟିକୁ ନିଆଯାଇ ଠାକୁରଙ୍କ ଜମି ପୋତାଯାଇଛି ବୋଲି କହିଛନ୍ତି ଜମିର ମାର୍ଫତଦାର ଭୀମସେନ ନାୟକ । ତେବେ ଉକ୍ତ ସ୍ଥାନରୁ ଖୋଳାଯାଇଥିବା ମାଟି ମନ୍ଦିର ଚତୁଃପାର୍ଶ୍ୱରେ କୈାଣସି ସ୍ଥାନରେ ପକାଯାଇ ନଥିବାବେଳେ ଏହାକୁ ଅନ୍ୟ ସ୍ଥାନକୁ ପଠାଯାଇଥିବାର ଜଣା ପଡ଼ିଛି । ଜମିରୁ ମାଟି ଖୋଳିବା ପାଇଁ କୈାଣସି ସରକାରୀ ଅଧିକାରୀଙ୍କ ଆଦେଶ ନ ଆଣିଥିବା କଥାକୁ ସ୍ଵୀକାର କରିଛନ୍ତି ଭୀମସେନ ।

ଗ୍ରାମବାସୀଙ୍କ ଅଭିଯୋଗ ପାଇବା ପରେ ପୁରୀ ଖଣି ବିଭାଗର ଜିଲ୍ଲା ଅଧିକାରୀ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ । ସେଠାରେ କୈାଣସି ମେସିନ କି ଜଣେ ହେଲେ ବି ବ୍ୟକ୍ତିଙ୍କର ଦେଖା ନଥିଲା । ଖୋଳାଯାଇଥିବା ଜମିକୁ ଦେଖିଥିଲେ । ଏହା ସହିତ ଏହି ଜମିକୁ ମେସିନ ସହାୟତାରେ ଖୋଳାଯାଇଥିବା କଥାକୁ ସ୍ଵୀକାର କରିବା ସହିତ ଅଭିଯୋଗର ସତ୍ୟତା ରହିଛି ବୋଲି ସେ ଜାଣିପାରିଥିଲେ । ଯାହାପରେ ଏହା ଉପରେ ଏକ ଟିମ୍ ଗଠନ ପରେ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

Also read: ପାଣି ମୁନ୍ଦିଏ ପାଇଁ କେତେବେଳେ ବ୍ଲକ୍ ଘେରାଓ ତ, ଆଉ କେତେବେଳେ ରାସ୍ତାରୋକ