ମୌଳିକ ସୁବିଧାରୁ ବଞ୍ଚିତ ଡାଢିଆପଦର ଗ୍ରାମବାସୀ, ଗାଁକୁ ନାହିଁ ରାସ୍ତା ନାହିଁ ପାନୀୟ ଜଳର ବ୍ୟବସ୍ଥା

କଣ୍ଟାବାଞ୍ଜି: ଏ ହେଉଛି ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତର ଡାଢିଆପଦର ଗାଁ । ଦୀର୍ଘ ବର୍ଷ ରୁ ଗାଁ ସ୍ଥାପନ ହୋଇଛି । ନା ଅଛି ଭଲ ରାସ୍ତା ନା ଅଛି ପାନୀୟ ଜଳର ବ୍ୟବସ୍ଥା । ସ୍ୱାସ୍ଥ୍ୟ ର କଥା ତ ନ କହିବା ଭଲ । ଜିଲ୍ଲା ର ସୀମାନ୍ତ ରେ ଜଙ୍ଗଲ ପାହାଡ ଘେରା ରାସ୍ତାରେ ଯିବାକୁ ପଡେ ଗାଁ କୁ । ଗ୍ରୀଷ୍ମ ଋତୁରେ କିଛି ମାସ ଚଲିଯାଏ । ବର୍ଷା ମାସର କଥା ନ କହିବା ଭଲ । ଲୋକଙ୍କ ପାଇଁ ପକ୍କା ରାସ୍ତାଟିଏ ହୋଇନାହିଁ । ସେଥିପାଇଁ ବହୁତ ହଇରାଣ ହେବାକୁ ପଡେ । ଗାଁ ରେ ଅଙ୍ଗନୱାଡି ସେଣ୍ଟର ସ୍ଥାପନ ହୋଇଛି । ଗାଁ ରେ ବିଦ୍ୟାଳୟ ନ ଥିବାରୁ ୩ କିମି ଦୂରରେ ଥିବା ବିଦ୍ୟାଳୟକୁ ଜଙ୍ଗଲ ରାସ୍ତା ରେ ପାଠ ପଢି ଯିବା ପାଇଁ ଭୟ କରିଥାନ୍ତି ଛାତ୍ରଛାତ୍ରୀ ।

କେବଳ ସେତିକି ନୁହେଁ ଏଠାରେ ପିଇବା ପାଣି ପାଇଁ ରହିଛି ଏକମାତ୍ର ନଳକୂପ । ଅନ୍ୟ ୨ ଗୋଟି ନଳକୂପ ଥିଲେ ମଧ୍ୟ ପିଇବା ପାଣି ଅନୁପଯୋଗୀ ହୋଇ ପଡିଛି । ଯାହାକି ସ୍ଥାନୀୟ ଲୋକଙ୍କ ଆବଶ୍ୟକତା ପୂରଣ କରି ପାରୁନାହିଁ । ଗାଁ ରେ ସ୍ୱାସ୍ଥ୍ୟ ସେବା ମଧ୍ୟ ଫେଲ ମାରିଛି । ପୂର୍ବରୁ ଆସୁଥିଲେ ସ୍ୱାସ୍ଥ୍ୟ ବିଭାଗର ଟିମ । ହେଲେ ଆଜକୁ ଅନେକ ବର୍ଷ ହେବ ସେମାନଙ୍କ ଆଉ ଦେଖା ମିଳୁନି । ଗାଁ ର ଲୋକେ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ବଜାରରେ ବିକ୍ରି କରି ପରିବାର ପ୍ରତିପୋଷଣ କରିଥାନ୍ତି ।

ପ୍ରତିବର୍ଷ ଏହି ଗାଁ ର ଲୋକେ ଦାଦନ ଖଟିବାକୁ ଯାଇଥାନ୍ତି । ଗାଁ ଲୋକଙ୍କୁ ଜମି ପଟ୍ଟା ମିଳିଛି ହେଲେ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରାଯାଉନାହିଁ । ଗାଁ ର ସମସ୍ୟା ନେଇ ଜନପ୍ରତିନିଧି ଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଛନ୍ତି ହେଲେ ଏଥିପ୍ରତି କେହି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏ ନେଇ ଆମେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ପ୍ରତିକ୍ରିୟା ନେଇଥିଲୁ ସେ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।

You might also like