ସାମୁହିକ ନୂଆଁଖାଇ” ପର୍ବକୁ ଧୁମଧାମରେ ପାଳନ କଲେ ଝୁରିମାଲ ଗ୍ରାମବାସୀ

ଗାଁ ଦାଣ୍ଡରେ ରନ୍ଧା ହେଲା ୧୬୩ଟି ପରିବାରର ଖାଦ୍ୟ । ଭାତ, ଡାଲି, ଖିରୀ ପିଠାର ବାସ୍ନା ଚାରିଆଡେ ମହକୁ ଥିଲା । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଗୋଟିଏ ଧାଡିରେ ବସି ନୂଆ ଚାଉଳ ସଙ୍ଗେ ବିଭିନ୍ନ ସୁସ୍ଵାଦୁ ଖାଦ୍ୟର ମଜା ନେଇଥିଲେ ଆବାଳ ବୃଦ୍ଧ ବନିତା । ହୁଳହୁଳି, ହରିବୋଲ ସାଙ୍ଗକୁ ପାରମ୍ପରିକ ଗୀତର ତାଳେ ତାଳେ କାନ୍ଧକୁ କାନ୍ଧ ମିଶାଇ ନାଚୁଥିଲେ ଗ୍ରାମବାସୀ । ଏପରି ଏକ ଅଭିନବ ତଥା ନିଆରା ନୂଆଁଖାଇ ପାଳନ କରିଛନ୍ତି ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡ଼ା ବ୍ଲକ ଝୁରିମାଲ ଗାଁର ବାସିନ୍ଦା ।

ମାଟି ଓ ମଣିଷର ନିବିଡ ସମ୍ପର୍କର ମହାନ ଗଣପର୍ବ ହେଉଛି ନୂଆଁଖାଇ । ଖରା, ବର୍ଷା, ଶୀତ, କାକରରେ ହାଡଭଙ୍ଗା ପରିଶ୍ରମ କରି ମାଟି ମା’ ପାଖରୁ ଉତ୍ପାଦିତ ପ୍ରଥମ ଶସ୍ୟକୁ ସମ୍ମାନ ଦେବାର ପର୍ବ ହେଉଛି ନୂଆଁଖାଇ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅଭିନବ ଢଙ୍ଗରେ ବେଶ ହର୍ଷ ଉଲ୍ଲାସରେ ଏହି ଗଣପର୍ବକୁ “ସାମୁହିକ ନୂଆଁଖାଇ” ଭାବରେ ପାଳନ କରି ଏକତା, ସହଭାଗିତା ଓ ଭାଇଚାରାର ବାର୍ତ୍ତା ଦେଇଛି ଝୁରିମାଲ ଗାଁ । ଦୀର୍ଘ ୧୨ ବର୍ଷ ଧରି “ସାମୁହିକ ନୂଆଁଖାଇ” ଧୁମଧାମରେ ପାଳନ କରିଛନ୍ତି ଝୁରିମାଲ ଗ୍ରାମବାସୀ । ପ୍ରଥମେ ୫ ଟି ପରିବାର ମିଶି ଆରମ୍ଭ କରିଥିବା “ସାମୁହିକ ନୂଆଁଖାଇ” ଆଜି ଗାଁର ସମୁଦାୟ ୧୬୩ ଟି ପରିବାରକୁ ଏକତାର ଡୋରିରେ ବାନ୍ଧି ରଖିଛି ।

ଗୋଷ୍ଠୀ ସଚେତନତା ସଙ୍ଗେ ସଙ୍ଗେ ସାମୁହିକ ସହଭାଗିତା ଓ ଏକତାର ଏକ ଅବିଶ୍ଵସନୀୟ ଉଦାହରଣ ହେଉଛି “ଝୁରିମାଲର ସାମୁହିକ ନୂଆଁଖାଇ”। ଚଳିତ ବର୍ଷ ସର୍ବପ୍ରଥମେ ଗାଁର ଆରାଧ୍ୟ ଦେବତା ସଂକଟମୋଚନ ବଜରଙ୍ଗବଳୀଙ୍କ ପାଖରେ ନୂଆଁ ଚାଉଳ ଲାଗି କରିବା ପରେ ଗାଁର ପ୍ରତ୍ୟେକ ପରିବାର ନିଜ ନିଜ ଇଷ୍ଟଦେବ ଓ ଦେବୀଙ୍କୁ ପୂଜାର୍ଚ୍ଚନା କରିଥିଲେ । ଏହାପରେ ଗାଁର ପ୍ରତ୍ୟେକ ପରିବାରର ଆବାଳ ବୃଦ୍ଧ ବନିତା ଏକତ୍ରିତ ହୋଇ ଗାଁ ଦାଣ୍ଡରେ ନବାନ୍ନ ଭକ୍ଷଣ କରିଥିଲେ । ଏହାପରେ ଆରମ୍ଭ ହୋଇଥିଲା “ନୂଆଁଖାଇ ଭେଟଘାଟ”ର ଅନନ୍ୟ ପରମ୍ପରା । ଏଥି ସହିତ ବିଲୁପ୍ତପ୍ରାୟ ବିଭିନ୍ନ ପୁରାତନ ଖେଳ ପ୍ରତିଯୋଗିତା ହୋଇଥିଲା । ଏହି ଅବସରରେ ଝୁରିମାଲ ନୂଆଁଖାଇ କମିଟି ତରଫରୁ “ନୂଆଁଖାଇ ସମାରୋହ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ “ଦୁଲଦୁଳି”ର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ନୂଆଁଖାଇ ଉପଲକ୍ଷେ ଓଡିଶା ମିଲେଟ ମିଶନ ତରଫରୁ ଏକ ପୁଷ୍ଟିଶସ୍ୟ ଖାଦ୍ୟ ମେଳାର ଆୟୋଜନ କାରାଯାଇଥିଲା । ଦିଆମୁଣ୍ଡା ସଙ୍କୀର୍ତ୍ତନ ମଣ୍ଡାଳୀ ଓ ଝୁରିମାଲ ସଂପ୍ରଦା ଗୋଷ୍ଠୀଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ବେଶ ମନଛୁଆଁ ହୋଇଥିଲା। ବାସ୍ତବରେ ଝୁରିମାଲ ଗ୍ରାମବାସୀଙ୍କ ଏହି ଐତିହାସିକ ପଦକ୍ଷେପ ଅନ୍ୟ ଗାଁ ମାନଙ୍କ ପାଇଁ ଏକତା ଓ ଭାଇଚାରାର ଏକ ଜ୍ଵଳନ୍ତ ଉଦାହରଣ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like