ବାଜା ବଜାଇ ବାଣ ଫୁଟାଇ ଓଏଏସ ଟପ୍ପରଙ୍କୁ ସ୍ବାଗତ କଲେ ଗାଁ ଲୋକେ, କାଳିଆଙ୍କ ଆଖିରେ ଖୁସିର ଲୁହ

ସଫଳ ଛାତ୍ର ଓଏଏସ ଟପ୍ପର ହୋଇ ଗାଁକୁ ଫେରିବା ପରେ ଗ୍ରାମବାସୀ କରିଛନ୍ତି ସ୍ୱାଗତ । ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ୫୫୮ ରାଙ୍କ ରଖି କୃତକାର୍ଯ୍ୟ ପରେ ଘରକୁ ଫେରିଛନ୍ତି ଗରିବ ପୁଅ । ଗାଁ ଲୋକଙ୍କ ପକ୍ଷରୁ ବାଜା ବଜାଇ ବାଣ ଫୁଟାଇ ଶୋଭାଯାତ୍ରା କରି ପାଛୋଟି ନେଲେ ଲୋକେ । ଏହା ଦେଖି ଛାତ୍ରଙ୍କ ଆଖି ଛଳ ଛଳ ହୋଇ ଖୁସିରେ ଲୁହ ବାହାରିଗଲା । କାହିଁକି ନାଁ ଗରିବ ଛାତ୍ର ସେ । ଜଣେ ଦିନ ମଜୁରିଆର ପୁଅ ଯିଏ କି ନିଜ ଗରିବି ନିଜ ଆଖିରେ ଦେଖିଛି । ଆଜି ସଫଳତାରେ ଗାଁ ଲୋକେ ବେଶ୍ ଖୁସି । ଜମି ବାଡ଼ି ନାହିଁ, ବାପା ପର ଘରେ ମୂଳ ଲାଗିଲେ ଚୁଲି ଜଳେ, ଘର ଖଣ୍ଡିଏ ଠିକ ସେ ଆଜି ପର୍ଯ୍ୟନ୍ତ ହେଇ ପାରିଲା ନାହିଁ, ଏଭଳି ଆର୍ଥିକ ଅନାଟନରେ ପଲିଥିନ ଟାଣି ରହୁଛନ୍ତି ପରିବାର ଲୋକେ । ଖାଲି ସେତିକି ନୁହେଁ ଗାଁକୁ ଆଜି ପର୍ଯ୍ୟନ୍ତ ପକା ରାସ୍ତାଟିଏ ପହଂଚି ପାରିନାହିଁ । ତେଣୁ ଓଏଏସ ପାଇବା ପରେ ଏବେ ଗାଁ ଲୋକଙ୍କ ମଧ୍ୟରେ ବେଶ ଖୁସି । ଉପାନ୍ତ ଅଞ୍ଚଳ ଆଦିବାସୀ ଅଧ୍ୟୁଷିତ ବୌଦ୍ଧ ଜିଲ୍ଲା ବିଳାସପୁର ପଞ୍ଚାୟତ ଅନ୍ତର୍ଗତ ରାକ୍ଷସକୋଟି ଗାଁରେ କାଳିଆଙ୍କୁ ଗାଁ ଲୋକେ ବାଣଫୁଟାଇ , ଢୋଲ ନିଶାନ ବଜାଇ ସ୍ୱାଗତ କରିଛନ୍ତି ।
ବାପା ମାଙ୍କ ସ୍ନେହ, ଗାଁ ସାହି ଭାଇଙ୍କ ଭଲ ପାଇବା, ଭଗବାନ ଙ୍କ ଆଶୀର୍ବାଦ ଓ ନିଜର ଦୃଢ଼ ଇଛାଶକ୍ତି ଯୋଗୁଁ ସଫଳତା ହାସଲ କରି ଓଡି଼ଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ପାରିଛନ୍ତି କାଳିଆ ମଲିକ । ପ୍ରଥମେ ନିଜ ଗାଁ କୁ ରାସ୍ତା ଓ ଲୋକଙ୍କ ମୌଳିକ ସୁବିଧା ଯୋଗାଇ ଦେବାପାଇଁ କହିଛନ୍ତି ଓଏସ ଟପ୍ପର କାଳିଆ ମଲିକ ।
ବାପା ବଶିଷ୍ଠ ମଲିକଙ୍କ ଜମିବାଡ଼ି ନାହିଁ ଫଳରେ ପର ଘରେ ମୂଲ ଲାଗି ଯାହା ମିଳେ ପରିବାର ଓ ପୁଅ ପାଠପଢାରେ ଖର୍ଚ୍ଚ କରିଥିଲେ । ମୁଣ୍ଡ ଝାଳ ତୁଣ୍ଡରେ ମାରି ପର ଘରେ କାମ କରନ୍ତି । ଭଲ ଘର ଖଣ୍ଡିଏ ନାହିଁ, ଖଜୁରୀ ପାତିଆ ଓ ପଲିଥିନ ଟଣା ଘରେ ଖରା ବର୍ଷା ଶୀତ ସହି ଅତି ଦୟନୀୟ ଅବସ୍ଥାରେ ରହନ୍ତି ପରିବାର । ମା କୌତୁକ ମଲିକ ଭଙ୍ଗା ଦଦରା ଘରେ ରୋଷେଇ କରି ପିଲାଙ୍କୁ ଦିଅନ୍ତି । ପୁଅର ଏଭଳି ସଫଳତା ପାଇଁ ମା ବାପା ବେଶ ଖୁସି ଥିବା କହିଛନ୍ତି । ଅନ୍ୟପଟେ ଦୃଢ ଇଛାଶନ୍ତି ଓ କଠିନ ପରିଶ୍ରମ ଆଗରେ ଅର୍ଥ ପ୍ରତିବନ୍ଧକ ରହେ ନାହିଁ । ବାପା ଦିନ ମଜୁରିଆ ଥିଲେ ସୁଦ୍ଧା ଆଜି ତାଙ୍କ ପୁଅ ପାଇଁ ଜିଲ୍ଲା ଗର୍ବିତ ବୋଲି ସାଙ୍ଗସାଥି କହିଛନ୍ତି ।
କଠିନ ପରିଶ୍ରମ, ଅଧ୍ୟୟନ ଓ ସାଧନା ଯେ ସଫଳତାର ମାପକାଠି ତାହା ପ୍ରମାଣ କରି ଦେଖାଇଛନ୍ତି କାଳିଆ ମଲିକ । ଆର୍ଥିକ ଅନାଟନ ଥାଇ ସୁଦ୍ଧା ଓଏସ ପରୀକ୍ଷାରେ ୫୫୮ ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି ଦିନ ମଜୁରିଆ ଆଦିବାସୀ ପୁଅ କାଳିଆ ମଲିକ । ଆଉ ତାଙ୍କର ସଫଳତା ଜିଲ୍ଲା ପାଇଁ ଗୌରବ ଆଣିଦେଇଛି ।