ଭୁବନେଶ୍ୱର ତମାଣ୍ଡୋରେ ଦୁଇ ଡ୍ରାଇଭର ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା, ପୋଲିସ ସହ ଆନ୍ଦୋଳନକାରୀଙ୍କ ମୁହାଁମୁହିଁ ସ୍ଥିତି

ଗଡୁନି ବସ୍‌, ଅଟକିଛି ଟ୍ରକ । ସାରା ରାଜ୍ୟରେ ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚର ଷ୍ଟିଅରିଂ ଛାଡ଼ ଆନ୍ଦୋଳନର ଦ୍ୱିତୀୟ ଦିନର ପ୍ରଭାବ । ରାସ୍ତାରେ ଅଟକିଛି ଶହଶହ ସଂଖ୍ୟାରେ ଯାନବାହନ । ଆନ୍ଦୋଳନ ଯୋଗୁଁ ଘଣ୍ଟା ଘଣ୍ଟା ଧରି ଚକା ଜାମ୍‌ । ବସଷ୍ଟାଣ୍ଡରୁ ବସ୍‌ ଗଡୁନଥିବାରୁ ଯାତ୍ରୀ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।

କେନ୍ୟୁଜ୍(ବ୍ୟୁରୋ): ରାସ୍ତାରେ ଅଟକିଛି ଶହଶହ ସଂଖ୍ୟାରେ ଗାଡ଼ି । ଆଗକୁ ଗଡ଼େଇ ପାରୁନାହାନ୍ତି ଡ୍ରାଇଭର । ବିଭିନ୍ନ ସ୍ଥାନରେ ଦୀର୍ଘ ସମୟ ଧରି ରାସ୍ତା ଜାମ୍‌ । ରାଜରାସ୍ତାରେ ମାଇଲ ମାଇଲ ବାଟ ପର୍ଯ୍ୟନ୍ତ ଲମ୍ବିଛି ଧାଡ଼ି । ଗତକାଲି ଧର୍ମଘଟ ଶାନ୍ତିପୂର୍ଣ୍ଣ ଥିବା ବେଳେ ଆଜି ଜବରଦସ୍ତ ଗାଡ଼ି ଅଟକାଇଲେ ଆନ୍ଦୋଳନକାରୀ । କେବଳ ଭୁବନେଶ୍ୱର ନୁହେଁ, ରାଜ୍ୟ ତମାମ ସବୁଠି ଏହି ସମାନ ଦୃଶ୍ୟ । ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନରେ ରାଜ୍ୟବ୍ୟାପୀ ଗୁରୁତର ପ୍ରଭାବ ପଡିଛି ।

ମାଲବାହୀ ଟ୍ରକ, ବସ୍‌ ଆଦି ଚାଲୁନି । ମାଲ ପରିବହନ ଗୁରୁତର ଭାବରେ ପ୍ରଭାବିତ । ଯାତ୍ରୀ ପରିବହନ ବି ଠପ୍‌ । ଦୁଇ ଦିନ ହେଲା ବସ୍‌ ଉପରେ ନିର୍ଭର କରୁଥିବା ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । ଜରୁରୀ କାମରେ କୁଆଡ଼େ ଯାଇ ପାରୁ ନାହାନ୍ତି । ବସଷ୍ଟାଣ୍ଡ ପାଲଟିଛି ପିଲାଙ୍କ ଖେଳ ପଡ଼ିଆ । ବରମୁଣ୍ଡା, ବାଦାମବାଡି ସହ ରାଜ୍ୟରେ ବିଭିନ୍ନ ବସଷ୍ଟାଣ୍ଡ ଖାଁ ଖାଁ । ସରକାର କୌଣସି ଠୋସ୍‌ ନିଷ୍ପତ୍ତି ନନେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଡ୍ରାଇଭର । ରାସ୍ତାଘାଟରେ କେବଳ ଡ୍ରାଇଭର ନୁହେଁ ସେମାନଙ୍କ ପରିବାର ମଧ୍ୟ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।

ଭୁବନେଶ୍ୱର ତମାଣ୍ଡୋ ଛକରେ ଟ୍ରକ ଚାଳକ-ଆନ୍ଦୋଳନକାରୀ ମୁହାଁମୁହିଁ । ରାଜ୍ୟ ବାହାର ଡ୍ରାଇଭର ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଗଣ୍ଡଗୋଳ । ଯାହାକୁ ନେଇ ଜାତୀୟ ରାଜପଥରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ମଝି ରାସ୍ତାରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଠେଲାପେଲା । ରାଜଧାନୀରେ ଡ୍ରାଇଭରଙ୍କ ଆନ୍ଦୋଳନକୁ ବିରୋଧ କରିଥିଲେ ବାହାର ରାଜ୍ୟର ଡ୍ରାଇଭର । ସ୍ଥିତି ଏଭଳି ହେଲା ଯେ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାଜପଥ ଖାଲି କରିବାକୁ ପଡ଼ିଥିଲା ।… ସେହିଭଳି ବରଗଡ଼ରେ ଆନ୍ଦୋଳନକୁ ନେଇ ସପକ୍ଷବାଦୀ ଏବଂ ବିପକ୍ଷବାଦୀ ମୁହାଁମୁହିଁ । ଆନ୍ଦୋଳନକୁ ବିରୋଧ କରି ଓଡ଼ିଶା ମୋଟର ଚାଳକ ସଂଘ, ଟ୍ରକ ଓ ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ବରଗଡ଼ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ରାଜଧାନୀରେ ଅନଲାଇନ ଅଟୋ ମହାସଂଘ ଆନ୍ଦୋଳନ ସ୍ଥଗିତ ରଖିଛି। ପୋଲିସ ଡିଜିଙ୍କୁ ଭେଟିବା ପରେ ଆନ୍ଦୋଳନ ସ୍ଥଗିତ ରହିଛି। ଯେଉଁ ଡ୍ରାଇଭର ସେମାନଙ୍କୁ ଅପମାନିତ କରିଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଆଜି ରାଜଧାନୀରେ ଅଟୋ ଗଡ଼ିବନି ବୋଲି ଚେତାବନୀ ଦିଆଯାଇଥିଲା । ଆନ୍ଦୋଳନରେ ସାମିଲ ହୋଇ ନଥିବାରୁ ସେମାନଙ୍କୁ ଅପମାନିତ କରାଯାଇଥିବା ସଂଘ ଅଭିଯୋଗ କରିଛି । ଡ୍ରାଇଭରଙ୍କୁ ହାତରେ ପ୍ଲେଟ ଧରାଇଥିଲେ । ଯେଉଁଥିରେ ଲେଖାଥିଲା ମୁଁ ଡ୍ରାଇଭର ଜାତି ପାଇଁ କଳଙ୍କ । ଯାହାକୁ ନେଇ ଅନଲାଇନ ଅଟୋ ମହାସଂଘ ତାତି ଉଠିଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.