ଚାନ୍ଦବାଲି : କେତେ ସୁନ୍ଦର ତା ହସ । ଖିଲି ଖିଲି ହସରେ ପୂରା ଘରକୁ କମ୍ପେଇ ଦେଉଛି । ତାକୁ ଦେଖିଲେ ଯେମିତି ଲାଗୁଛି ସେ ଆସିଛି ହିଁ ସମସ୍ତଙ୍କୁ ଖୁସି ଦେବା ପାଇଁ । ତା କୁନି କୁନି ଓଠରେ କହୁଥିବା କଥା ଶୁଣିବାକୁ ଭାରି ଭଲ ଲାଗେ ।ଏ ନିରିହ ଶିଶୁର ଖିଲି ଖିଲି ହସ ମୁହଁକୁ ଦେଖିଲେ ଲାଗୁଛି ସତେ ଯେମିତି ଏ କଅଁଳ ଶିଶୁଟି ମନରେ ଅନେକ ଖୁସି । ପିଲାଟି ଭାରି ଚଳଚଞ୍ଚଳ । କିନ୍ତୁ ଏ ଚଳଚଞ୍ଚଳ ପିଲାଟିର ଗୋଟେ ଅଭାବ ରହିଯାଇଛି । ଦୃଷ୍ଟି ଶକ୍ତି । ଦୁନିଆ କଣ ଚିହ୍ନିବା ଆଗରୁ ସେ ହରାଇଛି ତାର ଦୃଷ୍ଟିଶକ୍ତି ଏମିତିକି ଜନ୍ମ ହେବା ପରେ ତାର ଜନ୍ମ କଲା ମାଆ ବାପାର ମୁହଁକୁ ବି ସେ ଦେଖିନି । ସତରେ ଭଗବାନ ବି କେତେବେଳେ ଯେ ନିଷ୍ଠୁର ପାଲଟିଯାନ୍ତି । ଏଇ ଛୋଟ ଛୁଆଟିର କଥା ଶୁଣିଲେ ମୁହଁରେ ହସ ଆସିଯାଉଛି । କେତେ ମିଠା ତାର କଥା । ହେଲେ ତାର ଏଇ ଅଭାବକୁ ଦେଖିଲା ପରେ ମନ ବି ଭାରି ଅଥୟ ହେଉଛି ।
ଦେଖୁନାହାଁନ୍ତି ଏ ମାଆଟି କେମିତି କାନ୍ଦୁଛି । ମାଆ ଆଖିରେ ଲୁହ ରହୁନି । ଝିଅ ଜନ୍ମ ହେବା ପରେ ମାଆ, ବାପା ତାକୁ ନେଇ ଦେଖିଥିଲେ ଅନେକ ସ୍ୱପ୍ନ । ହେଲେ ଝିଅ ଜନ୍ମ ହେବା ଠାରୁ କିଛି ବି ଦେଖିପାରୁନି । ଝିଅର ଦୃଷ୍ଟିଶକ୍ତି ନଥିବା ଜାଣି ସାରିବା ପରେ ବାପା, ମାଆଙ୍କ ପାଦ ତଳୁ ସତେ ଯେପରି ମାଟି ଖସିଯାଇଥିଲା । ଏବେ ଝିଅର ଭବିଷ୍ୟତକୁ ନେଇ ଦିନରାତି ଲୁହ ଝରାଉଛି ମାଆ । ଇଏ ହେଉଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଖେରଙ୍ଗ ପଂଚାୟତର ଚିତ୍ର । ଖେରଙ୍ଗ ଗାଁର ବିଜୟ ସୁତାର ଓ ରମାମଣୀ ସୂତାରଙ୍କ ଚାରି ବର୍ଷର ଝିଅ ସସ୍ମିତା ସୂତାର । ସସ୍ମିତାର ମୁହଁର ହସ ଯିଏ ଦେଖିବ ତାକୁ ଖୁସି ଲାଗିବ । ଆମେ ବି ସସ୍ମିତାକୁ ଦେଖିଲା ପରେ ଭାରି ଖୁସି ହେଉଥିଲୁ । କାହିଁକିନା ଦେଖି ନପାରିଲେ ବି ତା ପାଖରେ ଅଛି ସମସ୍ତଙ୍କୁ ନିଜର କରିନେବାର ଶକ୍ତି ।
ଜନ୍ମରୁ ସସ୍ମିତା ଅନ୍ଧ ତେଣୁ ଝିଅର ଆଖିକୁ ଭଲ କରିବାକୁ ବାପା, ମାଆ ଅନେକ ଚେଷ୍ଟା କରିଛନ୍ତି । କିନ୍ତୁ ଝିଅକୁ ଭଲ କରିପାରୁନଥିବାରୁ ବାପା, ମାଆଙ୍କ ମନରେ ଅନେକ କଷ୍ଟ । କାହିଁକିନା ଏ ଅଭାବୀ ପରିବାରରେ ଯେଉଁଠି କାମ କଲେ ଘରେ ଚୁଲି ଜଳେ ସେଠି ଭଗବାନ ଦେଇଛନ୍ତି ଏତେ ବଡ ଦୁଃଖ । ସସ୍ମିତାର ବାପା ଜଣେ କାଠ ମିସ୍ତ୍ରୀ । ଆଠ ଦିନ କାମ କଲେ ଆଉ ଆଠ ଦିନେକୁ କାମ ମିଳେନି । ମାଆ ଘରେ ରୁହନ୍ତି । ବିଜୟ ସୁତାରଙ୍କ ଦୁଇ ଝିଅ । ବଡ ଝିଅଟି ସମ୍ପୂର୍ଣ ଭାବେ ଭଲ ଅଛି । ହେଲେ ସାନ ଝିଅ ଜନ୍ମରୁ ଦେଖିପାରେନି । ସସ୍ମିତାର ଆଖିକୁ ସିନା ଦେଖାଯାଉନି ହେଲେ ତାର ମନରେ ପାଠ ପଢିବାର ଆଗ୍ରହ ବହୁତ । ଆଖିକୁ ଦେଖାଯାଉନଥିବାରୁ କେବଳ ସ୍ଲେଟ ଖଡି ଧରି ଗାରା ଗାରି କରୁଛି । ଏ ଅସହାୟ ଓ ଗରିବ ବାପା, ମାଆ ପାଖରେ ଅର୍ଥ ନଥିବାରୁ ଝିଅର ଚିକିତ୍ସା କରିବାକୁ ବଡ ଡାକ୍ତରଖାନାକୁ ନେଇପାରୁନାହିଁନ୍ତି । ଝିଅର ଉତ୍ତମ ଟିକିତ୍ସା କରାଇବା ପାଇଁ ସହୃଦୟ ବ୍ୟକ୍ତି ହୁଅନ୍ତୁ କି ସରକାର ସମସ୍ତେ ସହଯୋଗର ହାତ ବଢ଼ାଇବାକୁ କାନ୍ଦି କାନ୍ଦି ମାଆ ରମାମଣୀ ନିଦେବନ କରିଛନ୍ତି ।
ଆପଣଙ୍କର ଛୋଟିଆ ସାହାଯ୍ୟ ଗୋଟେ କୁନି ଝିଅକୁ ଭଲ କରିବାରେ ସାହାଯ୍ୟକାରୀ ହୋଇପାରିବ । ଆପଣ ଖୋଲା ହୃଦୟରେ ସସ୍ମିତାକୁ ସାହାଯ୍ୟ କରନ୍ତୁ । ଆଉ ତାର ମୁହଁରୁ ସବୁବେଳେ ହସ ଝରୁଥାଉ । ଯଦି ଆପଣ ସସ୍ମିତାର ଚିକିତ୍ସା ନିମନ୍ତେ କିଛି ଟଙ୍କା ସାହାଯ୍ୟ କରିବା ପାଇଁ ଚାହୁଁଛନ୍ତି ତାହେଲେ ଏଥିରେ ପଠାଇ ପାରିବେ