ଇଭି ଫର୍ମୁଲା ରେସିଂ ଗାଡ଼ି ତିଆରି କଲେ ଭିସୁଟ ଛାତ୍ରଛାତ୍ରୀ, ପ୍ରତିଯୋଗିତାରେ ଅଧିକାର କଲେ ୩ୟ ସ୍ଥାନ

ଇଚ୍ଛା ଆଗରେ ସମୟ ବି ହାରମାନେ । ଏକଥାକୁ ପ୍ରମାଣ କରି ଦେଖାଇଛନ୍ତି ଏହି ଛାତ୍ରଛାତ୍ରୀମାନେ । ହାତରେ ଥିଲା ମାତ୍ର ୧୫ ଦିନ । ଆଉ ସମୟକୁ ନଷ୍ଟ ନକରି ଆରମ୍ଭ କରିଥିଲେ ଗାଡ଼ି ନିର୍ମାଣ କାର୍ଯ୍ୟ । ଗାଡ଼ି ତିଆରି କରିବା ପାଇଁ ଦିନ ରାତି ଏକ କଲେ । ଆଉ ଶେଷରେ ପ୍ରସ୍ତୁତ କରି ପାରିଥିଲେ ଏକ ରେସିଂ ଗାଡ଼ି । ଖାଲି ଗାଡ଼ି ପ୍ରସ୍ତୁତ କରିଛନ୍ତି ତା ନୁହେଁ ବରଂ ନୋଏଡାସ୍ଥିତ ଗଲଗୋଟିଆସ୍ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ “ଫର୍ମୁଲା ଇମ୍ପେରିଆଲ୍ ୨୦୨୪”ରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

ଭିସୁଟର ଛାତ୍ରଛାତ୍ରୀ ତିଆରି କରିଛନ୍ତି ବଢ଼ିଆ ଡିଜାଇନର ରେସିଂ ଗାଡ଼ି । ରେସିଂ ଗାଡ଼ି ତିଆରି କରି ଜାତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି ଗାଡ଼ି ତିଆରି କରି ପୁଣି କମାଲ କରିଛନ୍ତି ସମ୍ବଲପୁରର ଏହି ଭିସୁଟ ଛାତ୍ରଛାତ୍ରୀ । ନୋଏଡାସ୍ଥିତ ଗଲଗୋଟିଆସ୍ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ “ଫର୍ମୁଲା ଇମ୍ପେରିଆଲ୍ ୨୦୨୪”ରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି “ଟିମ୍ ଭିର୍ ରେସର୍ସ ଇଲେକ୍ଟ୍ରିକ୍”(VeerRacerss Electric) ବିଭାଗ । ବୈଦ୍ୟୁତିକ ଯାନ(EV) ଶ୍ରେଣୀରେ ତୃତୀୟ ସ୍ଥାନ ହାସଲ କରି ଭିସୁଟ ପାଇଁ ଗୌରବ ଆଣିଛି ଭିସୁଟ୍ ଟେକ୍ନିକାଲ ସୋସାଇଟିର “ଟିମ୍ ଭିର୍ ରେସର୍ସ ଇଲେକ୍ଟ୍ରିକ୍” ବିଭାଗ  । ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟରୁ ୩୦ଟି ଟିମ୍ ଭାଗ ନେଇଥିଲେ । କିନ୍ତୁ ଓଡିଶାର ଏକମାତ୍ର ଟିମ୍ ହିସାବରେ ଭିସୁଟ ର ଟିମ୍ ଭିର୍ ରେସର୍ସ ଇଲେକ୍ଟ୍ରିକ୍ (VeerRacerss Electric) ଟିମ୍ ପ୍ରତିଯୋଗିତାରେ ଭାଗ ନେଇ କୃତକାର୍ଯ୍ୟ ହୋଇଛନ୍ତି ।

ତେବେ ଏହି ଇଭି ଫର୍ମୁଲା ରେସିଂ ଗାଡ଼ିକୁ ଛାତ୍ରଛାତ୍ରୀମାନେ ୧୫ ଦିନରେ ତିଆରି କରିଥିବାବେଳେ ଏହା ଘଣ୍ଟାପ୍ରତି ୭୦ କିଲୋମିଟର ସ୍ପିଡରେ ଦୌଡିପାରୁଛି । ଏଥିରେ ୭୨ ଭୋଲ୍ଟ ବ୍ୟାଟେରୀ ବ୍ୟବହାର ହୋଇଥିବାବେଳେ ଉଚ୍ଚ କ୍ଷମତା ସମ୍ପନ୍ନ ବ୍ୟାଟେରୀ ବ୍ୟବହାର କଲେ ଏହାର ସ୍ପିଡ ଘଣ୍ଟା ପ୍ରତି ୧୫୦ କିମି ରହିବ । ଖାସ କରି ଛାତ୍ରଛାତ୍ରୀମାନେ ଏହାକୁ ନିଜେ ତିଆରି କରିଥିବାବେଳେ ଏଥିରେ ଲାଗିଥିବା ପାର୍ଟ୍ସ ମଧ୍ୟ ନିଜେ ପ୍ରସ୍ତୁତ ତଥା ଡିଜାଇନ କରିଛନ୍ତି l ଆଗାମୀ ଦିନରେ ଫର୍ମୁଲା ରେସିଂ କ୍ଷେତ୍ରରେ ଇଭିର ପ୍ରବେଶ ଉପରେ ବଡ ଉପଲବ୍ଧି ହେବା ସହ ଦିଗ ଦେଖାଇବ l ଛାତ୍ରଛାତ୍ରୀଙ୍କ ଏହି ସଫଳତା ସମସ୍ତଙ୍କୁ ଖୁସି ଆଣିଦେଇଛି ।

You might also like