ସହାୟତାର ହାତ ବଢ଼ାଇଲେ ସ୍ବେଚ୍ଛାସେବୀ ସଂଗଠନ, ସ୍ବାବଲମ୍ବୀ ହେଲେ ପ୍ରହ୍ଲାଦ

କେନ୍ଦ୍ରାପଡ଼ା: ଛଡ଼ାଇଲେ ଭିକ୍ଷା ବୃତ୍ତି, ଯୋଗାଇଲେ ଆତ୍ମ ନିଯୁକ୍ତି। ଏହି ଖୁସିରେ ଆଜି ପୁରା ପରିବାରଙ୍କ ମୁହଁରେ ଫୁଟିଛି ହସ । ଏକଥା ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି ନାଁ । କିନ୍ତୁ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଗରଜଙ୍ଗ ଗାଁରେ । ଆମେ କହୁଛୁ ଦିବ୍ୟାଙ୍ଗ ପ୍ରହଲ୍ଲାଦ ଜେନାଙ୍କ କଥା । ଜନ୍ମରୁ ସେ ଦିବ୍ୟାଙ୍ଗ । ତାଙ୍କ ପରିବାର କହିଲେ ସ୍ତ୍ରୀ ଓ କୁନିକୁନି ଗୋଟିଏ ଝିଅ ଗୋଟିଏ ପୁଅ। ପ୍ରହଲ୍ଲାଦ ନିଜର ପରିବାର ଚଳାଇବାକୁ ଗାଁ ଗାଁରେ ଟାଇ ସାଇକେଲରେ ଘର ଘର ବୁଲି ଭିକ୍ଷା ମାଗି ପରିବାର ଚଳାଇଥାନ୍ତି ।

ବର୍ଷା ହେଉ କି ଖରା ପ୍ରହଲ୍ଲାଦ ଯେଉଁ ଦିନ ଭିକ୍ଷା କରିବାକୁ ନଯାଇ ପାରିଲେ ପରିବାର ଉପବାସରେ ରହିଥାନ୍ତି । ପ୍ରହଲ୍ଲାଦଙ୍କ ଝାଟିମାଟି ନଡ଼ା ଛପର ଘର । ସେହି ନଡା ଛପରରେ ପଡ଼ିରହିଛି କଳା ରଙ୍ଗର ପଲିଥିନ ପାଲ । ଦିବ୍ୟାଙ୍ଗ ପ୍ରହଲ୍ଲାଦ ତାଙ୍କ ତିନି ଚକିଆ ଟାଇ ସାଇକେଲରେ ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରାପଡ଼ା ସହରରେ ବୁଲି ବୁଲି ଭିକ୍ଷା ବୃତ୍ତି କରିଥାନ୍ତି। ଏଥିରେ ଯାହା ରୋଜଗାର ହୁଏ କଷ୍ଟେମଷ୍ଟେ ଚଳିଯାନ୍ତି । ଦିନକର କଥା ପ୍ରହଲ୍ଲାଦ ଭିକ୍ଷା ମାଗିବା ସମୟରେ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦମନ ମହାନ୍ତିଙ୍କ ନଜର ପଡିଥିଲା ଦିବ୍ୟାଙ୍ଗ ପ୍ରହଲ୍ଲାଦଙ୍କ ଉପରେ । ଦୟାଳୁ ମଣିଷ ଦମନ ମହାନ୍ତି ପ୍ରହଲ୍ଲାଦଙ୍କ ନିକଟକୁ ଆସି ସମସ୍ତ କଥା ବୁଝିଥିଲେ । ପରେ ତାଙ୍କ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟରେ ସମସ୍ତ ସଦସ୍ୟମାନଙ୍କୁ ଏ ବିଷୟ ଟ୍ରଷ୍ଟର ସଭାପତି ଦମନ ମହାନ୍ତି ଜଣାଇଥିଲେ ।

ପରେ ଟ୍ରଷ୍ଟ ପକ୍ଷରୁ ପ୍ରହଲ୍ଲାଦଙ୍କ ଘରକୁ ଯାଇ ପ୍ରକୃତ ସତ୍ୟାସତ୍ୟ ଜାଣିବା ପରେ ଦିବ୍ୟାଙ୍ଗ ପ୍ରହଲ୍ଲାଦଙ୍କ ଇଛା ଅନୁଯାୟୀ ଏକ ଗ୍ରୋସରି ଦୋକାନ ପାଇଁ ପ୍ରତିଶୃତି ଦେଇଥିଲେ। ଆଜି ଏକ ଟାଟାଏସି ଗାଡ଼ିରେ ସମସ୍ତ ଗ୍ରୋସରି ସାମଗ୍ରୀ ଆଣି ପ୍ରହଲ୍ଲାଦଙ୍କ ଘରେ ପହଞ୍ଚିଥିଲେ । ସମସ୍ତ ଜିନିଷ ପତ୍ର ଟ୍ରଷ୍ଟର ସଭାପତିଙ୍କ ସମେତ ସଦସ୍ୟମାନେ ସଜାଡି ରଖିବା ସହିତ କେଉଁ ସାମଗ୍ରୀ କେତେ ଦାମରେ ବିକ୍ରୀ କରିବେ ଚିଠା ଦେବା ସହିତ ବୁଝାଉଥିବା ଦେଖିବାକୁ ମିଳିଛି । ପ୍ରହଲ୍ଲାଦ ଏହି ଦୋକାନର ନାମ ରଖିଛନ୍ତି ଜଗନ୍ନାଥ ଭେରାଇଟି ଷ୍ଟୋର ।