ଭୁବନେଶ୍ୱର (କେନ୍ୟୁଜ): ୨୦୨୪ ନିର୍ବାଚନରେ ଉଡ଼ୁଛି ଟଙ୍କା । ନିର୍ବାଚନକୁ ପ୍ରଭାବିତ କରିବାକୁ ଅର୍ଥ ଏବଂ ଉପହାର ବିଞ୍ଚା ହେଉଛି। ଚଳିତ ନିର୍ବାଚନ ପରିପ୍ରେକ୍ଷିରେ ଓଡ଼ିଶାରେ ଏପର୍ଯ୍ୟନ୍ତ ୨୭୫ କୋଟି ମୂଲ୍ୟର ନଗଦ ଅର୍ଥ ଓ ଦ୍ରବ୍ୟ ସିଜ୍ ହୋଇଛି । ନଗଦ ଅର୍ଥ ପରିମାଣ କେବଳ ୨୦ କୋଟି ୮ ଲକ୍ଷ ଟଙ୍କା । ସିଜ ହୋଇଥିବା ଅନ୍ୟାନ୍ୟ ଜିନିଷ ଭିତରେ ରହିଛି ମଦ, ଡ୍ରଗ୍ସ, ରତ୍ନ ପଥର ଭଳି ମୂଲ୍ୟବାନ ଦ୍ରବ୍ୟ ।
୨୦୧୯ ଓ ୨୦୧୪ ନିର୍ବାଚନ ତୁଳନାରେ ଏହା ଯଥେଷ୍ଟ ଅଧିକ। ୨୦୧୪ ଏବଂ ୨୦୧୯ ନିର୍ବାଚନରେ ୨ କୋଟିରୁ କମ ଟଙ୍କା ସିଜ ହୋଇଥିଲା। ୨୦୧୪ରେ ୧ କୋଟି ୮୯ ଲକ୍ଷ ଏବଂ ୨୦୧୯ରେ ୧ କୋଟି ୭୧ ଲକ୍ଷ ସିଜ ହୋଇଥିଲା। ୨୦୧୪ରେ ମୋଟ ସିଜ୍ ପରିମାଣ ଥିଲା ୨୦ କୋଟି ଏବଂ ୨୦୧୯ରେ ମୋଟ ସିଜ୍ ପରିମାଣ ୪୪ କୋଟି। ଚଳିତ ନିର୍ବାଚନରେ ୧୦ ଗୁଣ ବଢ଼ିଛି ଜବତ ଟଙ୍କା ।
ଗତକାଲି ଉଦଳା ଥାନା ଗୋଧିମରା ଗାଁରେ ଭୁବନେଶ୍ୱରରୁ ଦାମୀ ଗାଡିରେ ଜଣେ ମହିଳା ଏବଂ ପୁରୁଷ ଆସି ଖାମ ଭିତରେ ଟଙ୍କା ଭର୍ତ୍ତି କରି ବାଣ୍ଟୁଥିଲେ । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଦୁଇ ଜଣଙ୍କୁ ଥାନାରେ ଅଟକ ରଖିବା ସହିତ ଟଙ୍କା ଜବତ କରିଥିଲା । ମହିଳା ଜଣଙ୍କ ଭୁବନେଶ୍ୱର ଖାରବେଳ ନଗର ଅଞ୍ଚଳର ବିଜୟଲକ୍ଷ୍ମୀ ମହାପାତ୍ର ବୋଲି ଜଣାପଡିଥିଲା । ମହିଳାଙ୍କ ଭ୍ୟାନୀଟି ଭିତରୁ ଟଙ୍କା ଭର୍ତ୍ତି ଖାମ ଜବତ କରିଥିଲା ପୋଲିସ । ଖାଲି ସେତିକି ନୁହେଁ ଅନ୍ୟ ଦୁଇଟି ବ୍ୟାଗରୁ ମଧ୍ୟ ଟଙ୍କା ଜବତ ହୋଇଥିଲା । ପ୍ରତି ଖାମରେ ଦୁଇ ହଜାର ଟଙ୍କା ଲେଖାଏଁ ଭର୍ତ୍ତି ହୋଇଥିଲା । ସମୁଦାୟ ୧ ଲକ୍ଷ ୯୧ ହଜାର ଟଙ୍କା ବଣ୍ଟା ହେବା ନିମନ୍ତେ ଆସିଥିଲା ।