ଝାରସୁଗୁଡ଼ାରେ ସ୍ଥଗିତ ରହିଲା ଅନାସ୍ଥା ଭୋଟ୍, ଆସିଲେନି ସମିତି ସଭ୍ୟ କି ସରପଞ୍ଚ

ଝାରସୁଗୁଡ଼ା: ସ୍ଥଗିତ ରହିଲା ଅନାସ୍ଥା ଭୋଟ୍ ।  ଝାରସୁଗୁଡ଼ା କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ଦେବାକୁ ସମିତି ସଭ୍ୟ କି ସରପଞ୍ଚ ଆସିନଥିଲେ ।  କେହି ନଆସିବାରୁ ଅପେକ୍ଷା କରି ଫେରିଯାଇଥିଲେ ନିର୍ବାଚନ ଅଧିକାରୀ ।

ସୂଚନା ଅନୁସାରେ ସକାଳ ୧୦ଟାରେ ଅନାସ୍ଥା ଭୋଟିଂ ଆରମ୍ଭ ହେବାକୁ ଥିଲା ।  ଏଥିପାଇଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଅଧ୍ୟକ୍ଷତା କରିବାକୁ ଥିବା ପିଏ ଆଇଟିଡିଏ, ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା କିର୍ମିରା ତହସିଲଦାର, ପୁଲିସ ଉପସ୍ଥିତ ହୋଇଥିଲେ ।  କିନ୍ତୁ ଦିନ ୧୧ଟା ଯାଏଁ କୌଣସି ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ନହେବାରୁ ବୈଠକ ବାତିଲ କରାଯାଇଥିଲା ଓ ଭୋଟିଂ ପାଇଁ ଯାଇଥିବା ଅଧିକାରୀମାନେ ଫେରି ଯାଇଥିଲେ।

ସେପଟେ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କୁ ଅଟକ ରଖାଯାଇଛି । ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା ସରେଇପାଲି ଥାନାରେ ବିଶାଲ ଦାସ ଅଟକ ଅଛନ୍ତି ।  କିର୍ମିରା ବ୍ଳକର ସମିତି ସଭ୍ୟ ଏବଂ ସରପଞ୍ଚଙ୍କୁ ମଧ୍ୟ ଅଟକ ରଖାଯାଇଛି । ଏକ ଭିଡିଓ ମାଧ୍ୟମରେ ଏହା କହିଛନ୍ତି ଵିଶାଲ ଦାସ ।  ରାତି ୨ଟାରୁ ସମସ୍ତଙ୍କୁ ଅଟକ ରଖାଯାଇଥିବା ବିଶାଲ ସୂଚନା ଦେଇଛନ୍ତି। ପୋଲିସ କାର୍ଯ୍ୟାନୁଷ୍ଠାନକୁ ବେଆଇନ କହିଛନ୍ତି ବିଶାଲ ।

ଗତକାଲି ବିଶାଲଙ୍କ ଘରେ ପୋଲିସ ବିନା ସର୍ଚ୍ଚ ୱାରେଣ୍ଟରେ ପ୍ରବେଶ କରିଥିଲା । ସାଥୀରେ କିଛି ଅଣ- ପୋଲିସ ମଧ୍ୟ ଥିଲେ । ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ତାଙ୍କ ଘରେ ପୋଲିସ ରହିଥିଲା । ଏହାକୁ ନେଇ ସେ ଆପତ୍ତି କରିବା ସହ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କୁ ଭେଟି ଫେରାଦ ହୋଇଥିଲେ।