ଲଗାଣ ବର୍ଷାରେ ଭାଙ୍ଗିଲା କାନ୍ଥ, ଅବ୍ୟବସ୍ଥା ଭିତରେ ମହିଳା

ଘରେ ବସିବାକୁ ଜାଗା ନାହିଁ, ରୋଷେଇ କରିବେ କଣ ? ସାପ ବେଙ୍ଗ ଭିତରେ ଶୋଇବାକୁ ବି ଭୟ କରୁଛନ୍ତି ଅସହାୟ ମହିଳା । ଯାହା ହାତ ଧରି ବାହା ହୋଇଥିଲେ ସେ ତାଙ୍କୁ ଏ ଦୁନିଆରେ ଏକା କରି ଚାଲି ଗଲେ । ଭଗବାନଙ୍କୁ ଭରଷା କରି ଭଙ୍ଗା ଘରେ ରହୁଥିଲେ । କିନ୍ତୁ ଭଗବାନ ବି ତାଙ୍କୁ ସାହା ହେଲେନି । ଲଗାଣ ବର୍ଷାରେ ଭାଙ୍ଗି ଗଲା ଚାଳ ଛପର ଘର । ଘର କାନ୍ଥ ଭାଙ୍ଗିବା ଫଳରେ ଚିନ୍ତାରେ ମହିଳା । କେମିତି ଘରଟିକୁ ବନାଇବେ । ଖଟିଲେ ଖାଆନ୍ତି । ଘରେ ଏକୁଟିଆ ରୁହନ୍ତି । ଯାହା କାମ ପାଇଟି କରି ଆଣନ୍ତି ସେଥିରେ ନିଜ ପେଟ ପୋଷନ୍ତି । ଏବେ ଘରର କାନ୍ଥ ଭାଙ୍ଗି ଗଲା ପରେ କେଉଁଠି ରହିବେ ସେହି ଚିନ୍ତା ଘାରିଛି ମହିଳାଙ୍କୁ । ବାର ଦୁଆର ବୁଲି ରହିବା ପାଇଁ ଆଶ୍ରା ଖୋଜୁଛନ୍ତି । କିନ୍ତୁ ନିଜ ଘର ଛାଡି କେତେଦିନ ବା ଆଉ କାହା ଘରେ ରହିବେ ।

ତେବେ ଆନନ୍ଦପୁର ପୌରପରିଷଦ ୧୬ ନମ୍ବର ୱାର୍ଡ ଶୈଲଙ୍ଗ ଗାଁର କୌଶଲ୍ୟା ସା ନାମକ ଏହି ଅସହାୟ ମହିଳାଙ୍କ ଘରର କାନ୍ଥ ଲଗାଣ ବର୍ଷାରେ ଭାଙ୍ଗି ଯାଇଛି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି କୌଶଲ୍ୟା । ଘରେ ନାଁ ଶୋଇ ପାରୁଛନ୍ତି ନାଁ ରୋଷେଇ କରି ଖାଇ ପାରୁଛନ୍ତି । ବର୍ଷା ଯୋଗୁ ବିଧବା ମହିଳା ଜଣକ ବାର ଦୁଆର ବୁଲୁଥିବା ବେଳେ ତୁରନ୍ତ ତାଙ୍କୁ ଜରି ପାଲଟିଏ ଯୋଗାଇବା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବାକୁ ଅନୁରୋଧ ରଖିଛନ୍ତି । କୌଶଲ୍ୟାଙ୍କ ଦୁଃଖ ଦେଖିବାକୁ କେହି ନାହାନ୍ତି । ଯଦି କୌଶଲ୍ୟାଙ୍କୁ କେହି ସହୃଦୟ ବ୍ୟକ୍ତି ସାହାଯ୍ୟ କରନ୍ତି ତେବେ ତାଙ୍କ ଦୁଃଖ ଦୂର ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like